
ଜଗନ୍ନାଥ ମନ୍ଦିର
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ଦେଉଳ । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ଇତିହାସ
ଦ୍ଵାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅଙ୍ଗନବର୍ମନ ଚୋଡ଼ଗଙ୍ଗ ଦେବ ବର୍ତ୍ତମାନ ବଡ଼ଦାଣ୍ଡ ପତନ ଠାରୁ ୨୧୪ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ଓ ଅନଙ୍ଗ ଭୀମଦେବ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଶ୍ରୀବିଗ୍ରହମାନଙ୍କୁ ଅଧିଷ୍ଠିତ କରାଇଥିଲେ। ଏହା ଦଶ ଏକର ଆୟତନ ବିଶିଷ୍ଟ ଜମି ଉପରେ ଅବସ୍ଥିତ । ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ମେଘନାଦ ପାଚେରୀର ନିର୍ମାଣ କରାଇଥିଲେ । ଏହାର ଦୈର୍ଘ୍ୟ ୬୬୫ ଫୁଟ ଓ ପ୍ରସ୍ଥ ୬୪୦ ଫୁଟ, ଉଚ୍ଚତା ୨୨ ଫୁଟ ଓ ସ୍ଥାନେ ସ୍ଥାନେ ୨୦ ରୁ ୨୪ ଫୁଟ ଉଚ୍ଚତା ମଧ୍ୟ ରହିଥିବା ଦେଖାଯାଇଛି। ମେଘନାଦ ପାଚେରି ପରେ କୂର୍ମ ବେଢାର ଦୈର୍ଘ୍ୟ ୪୨୦ ଫୁଟ,୩୫୦ ଫୁଟ ପ୍ରସ୍ଥ ଓ ୨୦ ଫୁଟ ଉଚ୍ଚତାରେ ନିର୍ମିତ ହୋଇଛି।
ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରୁଛି ଓ ଏହା ଉପରେ ପତିତପାବନ ବାନା ଫର ଫର ହୋଇ ଉଡି



ଅଗଣିତ ଭକ୍ତ, ପାପୀ ତପୀଙ୍କୁ ନିଜ ପାଖକୁ ଟାଣି ଆଣି ଅଭୟ ଦେଉଛି ଓ ଶରଣ ପଞ୍ଜର ନାମକୁ ସାର୍ଥକ କରୁଛି।ବର୍ତ୍ତମାନର ଶ୍ରୀମନ୍ଦିର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଙ୍କ ଦ୍ୱାରା ନିର୍ମିତ ଓ ଏହା ଏକାଦଶ ଶତାବ୍ଦୀର ବିଷୟ । ଏଥିପୂର୍ବରୁ ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଓ ଶ୍ରୀଜଗନ୍ନାଥଙ୍କ ପାଦୁକାନଳା ମଧ୍ୟବର୍ତ୍ତୀ ସ୍ଥାନରେ ଦକ୍ଷିଣାଭିମୂଖୀ ଭାବେ ଅବସ୍ଥିତ ଥିବା ଜଣାଯାଏ । ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ୱିତୀୟ କିମ୍ବା ତୃତୀୟ ଶତକର ବୋଲି କେହି କେହି ପ୍ରତ୍ନତାତ୍ତ୍ଵିକ ପରିଦୃଶ୍ୟମାନ ଭଗ୍ନ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରନ୍ତି । ଏହି ମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହିଁ ଦେଉଳ ବା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅବସ୍ଥିତ । ବର୍ତ୍ତମାନ ମଧ୍ୟ ଏହି ମନ୍ଦିରର ମୁଖ ଶ୍ରୀଜଗନ୍ନାଥଙ୍କ ବାହାର ଗମ୍ଭୀରା ବା ଜଗମୋହନ ଦିଗକୁ ରହିଅଛି । ପୂର୍ବ ଦିଗସ୍ଥ ଜୟବିଜୟ ଦ୍ୱାର ବ୍ୟତୀତ ଭକ୍ତ ଗମ୍ଭୀରାକୁ ଗମନାଗମନର ଅପର ଏକ ଦ୍ୱାର
ଦକ୍ଷିଣାଭିମୁଖରେ ଅବସ୍ଥିତ । ବେଢ଼ା ମଧ୍ୟରୁ ଭକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ହେଲେ ଦ୍ୱାରଦେଶରେ ପହଞ୍ଚିବାନିମନ୍ତେ କେତୋଟି ପାହାଚ ଚଢ଼ିବାକୁ ପଡେ । ଉକ୍ତ ପାବଚ୍ଛ ଶ୍ରେଣୀର ଉଭୟ ପାର୍ଶ୍ଵରେ ଦୁଇଟି ସିଂହମୂର୍ତ୍ତି ବିଦ୍ୟମାନ । ତେଣୁ ଏହାକୁ ଏକ ସିଂହଦ୍ୱାର କୁହାଯାଇପାରେ । ଦ୍ୱାର ପ୍ରବେଶ ପଥର ପୂର୍ବରେ ମାଜଣା ମଣ୍ଡପ ଓ ପଶ୍ଚିମରେ ଦକ୍ଷିଣି ଘର ଅବସ୍ଥିତ । ଭକ୍ତ ପ୍ରବେଶ ପଥର ଅନତି ଦୂରର ଦକ୍ଷିଣରେ ମୁକ୍ତିମଣ୍ଡପ, ଯେଉଁ ସ୍ଥାନରେ କି ଝୁଲଣଯାତ୍ରା ଅନୁ ଷ୍ଠିତ ହୋଇଥାଏ । ମୁକ୍ତି ମଣ୍ଡପର ପଶ୍ଚିମ ଦିଗରେ ଶ୍ରୀନୃସିଂହ ମନ୍ଦିର ବା ପୁରୁଷୋତ୍ତମ ମନ୍ଦିର ଏବଂ ପୂର୍ବ ଦିଗରେ କ୍ଷେତ୍ରପାଳ ମନ୍ଦିର ରହିଅଛି । କ୍ଷେତ୍ରପାଳ ମନ୍ଦିରର ମୁଖ ଦକ୍ଷିଣ ଦିଗକୁ ଏବଂ ଏହି ମନ୍ଦିରରେ ଶକ୍ତି ଯୁକ୍ତ ଶିବଲିଙ୍ଗ ପୂଜା ପାଉଥିଲେ ମଧ୍ୟ ବିଗ୍ରହର ପଶ୍ଚାତ ଭାଗର ଭିତ୍ତିଚିତ୍ର ଶିବଙ୍କର ନହୋଇ ଭୈରବ
ନାମରେ ଅଭିହତି । ମନ୍ଦିରର ତିନି ପାର୍ଶ୍ଵରେ କାର୍ତ୍ତିକ, ପାର୍ବତୀ ଓ ଗଣେଶଙ୍କ ପରିବର୍ତ୍ତେ ନୃମୁଣ୍ଡମାଳିନୀ ଖଡ୍ଗଧାରିଣୀ ଭୈରବୀ ମୂର୍ତ୍ତିମାନ ରହିଛନ୍ତି । ଏଥି ମଧ୍ୟରୁ ପୂର୍ବ ପାର୍ଶ୍ଵଗଢା ଭୈରବୀ କୁତାମଚଣ୍ଡୀ ରୂପେ ସର୍ବଜନ ପରିଚିତା ଓ ଆରାଧିତା ଅଟନ୍ତି । ମନ୍ଦିରର ପୂର୍ବଦିଗରେ ଅନନ୍ତଶୟନ ବାସୁଦେବ, ଦକ୍ଷିଣ ପଶ୍ଚିମ କୋଣରେ ମୁକ୍ତେଶ୍ୱର ମହାଦେବ, ପଶ୍ଚିମରେ ମୁକ୍ତିମଣ୍ଡପ ଏବଂ ଉତ୍ତର ଦିଗରେ ସୂର୍ଯ୍ୟ ପୂଜା ମଣ୍ଡପାଦି ଦ୍ୱାରା ପରିବେଷ୍ଟିତ ରହି ଏକ ପ୍ରକାର ଅବହେଳିତ ତଥା ଲୋକଲୋଚନର ଅଗୋଚରରେ ରହିଅଛି ।
କିମ୍ବଦନ୍ତୀ
ବାଇଶି ପାହାଚ
କିମ୍ବଦନ୍ତୀ ମତେ ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ଵରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକ ତିଆରି କଲାବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ। ଜମ୍ବେଶ୍ଵର ରାଜାଙ୍କ ଭକ୍ତି ରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।
ଦେଉଳ ସ୍ଥାପତ୍ୟ
ମୁଖ୍ୟଦେଉଳ
ମୁଖ୍ୟ ଦେଉଳଟି ପଞ୍ଚରଥ ଶୈଳୀରେ ନିର୍ମିତ । ଦେଉଳ ଚାରିପଟେ "ମେଘନାଦ ପାଚେରୀ" (୬୬୫ଫୁଟ ଦୈର୍ଘ୍ୟ, ୬୪୦ଫୁଟ ପ୍ରସ୍ଥ ଓ ୨୦ ରୁ ୨୪ଫୁଟ ଉଚ୍ଚତା) ରହିଅଛି ।ମେଘନାଦ ପାଚେରୀ ଭିତର ପଟେ "କୂର୍ମ ପାଚେରୀ" (୪୨୦ଫୁଟ ଦୈର୍ଘ୍ୟ ଓ ୩୧୫ଫୁଟ ପ୍ରସ୍ଥ) ନାମକ ଆଉ ଏକ ପାଚେରୀ ରହିଛି ।[୩] କୂର୍ମପାଚେରୀ ମଝିରେ ଥିବା "କୂର୍ମବେଢ଼ା" ମଝି ଭାଗରେ ବଡ଼ଦେଉଳ । ଦେଉଳଟି ଚାରି ଭାଗରେ ବିଭକ୍ତ:
-
ବିମାନ (ମୁଖ୍ୟ ମନ୍ଦିର ବା ଗର୍ଭଗୃହ)
-
ଜଗମୋହନ ବା ମୁଖଶାଳା
-
ନାଟମଣ୍ଡପ ଓ
-
ଭୋଗମଣ୍ଡପ । ଭୋଇବଂଶ ପ୍ରଥମ ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ମନସିଂହଙ୍କ ପତ୍ନୀ ଗୌରୀ ମହାଦେବୀ ମୁକ୍ତିମଣ୍ଡପର ନିର୍ମାଣ କରାଇଥିଲେ । ୩୮ ଫୁଟ ଦୈର୍ଘ୍ୟ ଓ ୩୮ ଓସାରର ଓ ୧୬ଟି ସ୍ତମ୍ବ ବିଶିଷ୍ଟ ମୁକ୍ତି ମଣ୍ଡପ ନିର୍ମାଣ କରାଯାଇଥିଲା।
ଜଗନ୍ନାଥ ମନ୍ଦିରର ରାତ୍ରିକାଳୀନ ଦୃଶ୍ୟ।
ନୀଳଚକ୍ର
ପୁରୀ ଜଗନ୍ନାଥ ମନ୍ଦିରର ନୀଳଚକ୍ର ଓ ବାନା(ଏହା ୧୨ହାତ କିମ୍ବା ୧୪ଫୁଟ ଲମ୍ବା) ଆଗ୍ର ଭାଗରେ ଅବସ୍ଥିତ.
ରତ୍ନସିଂହାସନ
ରତ୍ନସିଂହାସନ (ଜଗତି ଓ ରତ୍ନବେଦୀ ନାମରେ ମଧ୍ୟ ଜଣା) ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧିଷ୍ଠିତ ହୋଇଥିବା ଜଗତି/ବେଦୀ ।
ଏଥିରେ ମୋଟ ୭ ଜଣ ଠାକୁର ବିଜେ କରିଛନ୍ତି:
-
ଜଗନ୍ନାଥ
-
ବଳଭଦ୍ର
-
ସୁଭଦ୍ରା
-
ସୁଦର୍ଶନ
-
ମାଧବ ଦାରୁମୂର୍ତ୍ତି (ଦାରୁମୂର୍ତ୍ତି)
-
ଶ୍ରୀଦେବୀ (ସୁନା ମୂର୍ତ୍ତି)
-
ଭୂଦେବୀ (ରୂପା ମୂର୍ତ୍ତି)
ନୀଳଚକ୍ର
ଶ୍ରୀମନ୍ଦିର ଗର୍ଭଗୃହର ଆକାର ଉଭୟ ଲମ୍ବ ଓ ପ୍ରସ୍ଥରେ ୩୦ ଫୁଟ ଲେଖାଁଏ ଓ ଉଚ୍ଚତା ୪୮ ଫୁଟ । ଗର୍ଭଗୃହରେ ପ୍ରତିଷ୍ଠିତ ରତ୍ନସିଂହାସନ (୧୬ଫୁଟ ଦୈର୍ଘ୍ୟ, ୧୩ଫୁଟ ପ୍ରସ୍ଥ ଓ ୪ଫୁଟ ଉଚ୍ଚତା ) ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଅଛି । ଜଗମୋହନର ଉଚ୍ଚତା ୧୦୦ ଫୁଟ। [୫] କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହୋଇଛି । ଏହି ରତ୍ନବେଦୀ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରର ଚକା ରହିଛି, ଯାହା ଉପରେ ଚତୁର୍ଦ୍ଧା ଦାରୁମୁର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଅଧିଷ୍ଠିତ ହୋଇଛନ୍ତି । ଚତୁର୍ଦ୍ଧା ଦାରୁମୁର୍ତ୍ତିଙ୍କ ସହ ନୀଳମାଧବ ଏବଂ ଶ୍ରୀଦେବୀ (ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତ୍ତୀ) ଓ ଭୂଦେବୀ (ସରସ୍ଵତୀଙ୍କ ରୂପା ମୁର୍ତ୍ତି) ମଧ୍ୟ ରତ୍ନସିଂହାସନାସୀନ । ରତ୍ନସିଂହାସନ ଚାରିପଟେ ପରିକ୍ରମା କରିବା ପାଇଁ ବାଟ ଅଛି ।
ଦ୍ଵାର
ସିଂହଦ୍ଵାର ଅଶ୍ଵଦ୍ଵାର ହାତୀ ଦ୍ଵାର
ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ମେଘନାଦ ପାଚେରୀରେ ଚାରିଦିଗରେ ଚାରିଗୋଟି ଦ୍ଵାର ଅଛି ଓ ତନ୍ମଧ୍ୟରୁ ପୂର୍ବ ଦିଗର ଦ୍ଵାରଟି ମୁଖ୍ୟ, ଏହାକୁ ସିଂହଦ୍ଵାର କୁହାଯାଏ ।[୭] ଏହାକୁ ଧର୍ମ ବା ମୋକ୍ଷ ଦ୍ଵାର ବୋଲି କୁହାଯାଏ । ହନୁମାନ ଏହାର ଦ୍ଵାରପାଳ ଅଟନ୍ତି । ମାଦଳା ପାଞ୍ଜି ଅନୁଯାୟୀ ରାଜା ମତଭାନୁ କପିଳେନ୍ଦ୍ର ଦେବଙ୍କ ୧୫ଅଙ୍କରେ ଏହି ସିଂହଦ୍ଵାର, ମେଘନାଦ ପାଚେରୀ, ବାହାର ବେଢ଼ା, ଦୁଇ ପାର୍ଶ୍ଵରେ ଦୁଇଟି ବୃହତ ସିଂହ ମୂର୍ତ୍ତି ରହିଛି । ଗୋଲାକାର ସ୍ଥମ୍ଭ ସଂଲଗ୍ନିତ ଜୟ ବିଜୟ ମୂର୍ତ୍ତି ଓ ମୂର୍ତ୍ତି ଦୁଇଟି ପଛରେ ମୁଗୁନି ପ୍ରସ୍ତରର ଅନ୍ୟ ଦୁଇଟି ଜୟ ବିଜୟ ବିଗ୍ରହ ସିଂହଦ୍ଵାର (ମୂଖ୍ୟଦ୍ଵାର)ରେ ଲାଗି ରହିଛି, ଯାହାର ଉଚ୍ଚତା ଅଢେଇ ଫୁଟ ଓ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି । ଅନ୍ୟ ଦ୍ଵାର ଗୁଡ଼ିକ ହେଲା ବ୍ୟାଘ୍ର ଦ୍ଵାର (ପଶ୍ଚିମ ଦିଗର ଦ୍ଵାର), ହାତୀ ଦ୍ଵାର (ଉତ୍ତର ଦିଗର ଦ୍ଵାର) ଓ ଅଶ୍ଵଦ୍ଵାର (ଦକ୍ଷିଣ ଦିଗର ଦ୍ଵାର) ।[୮] ମୁଖ୍ୟ ମନ୍ଦିର ସାମନାରେ ଜଗମୋହନ ଓ ମଝିରେ ପବିତ୍ର କଳାଘାଟ ଦ୍ଵାର । ନାଟମନ୍ଦିରରୁ ଜଗମୋହନକୁ ଯିବା ବାଟରେ ଥିବା ଦ୍ଵାର ହେଲା ‘ଜୟ-ବିଜୟ’ ଦ୍ଵାର । ଏହା ବ୍ୟତିତ ବେହରଣ ଦ୍ଵାର, ସାତପାହାଚ ଦ୍ଵାର, ଧୁକୁଡି ଦ୍ଵାର, ପଣ୍ଡା ଦ୍ଵାର, ମୁଦୁଲି ଦ୍ଵାର ଓ ଘଣ୍ଟାଦ୍ଵାର ଆଦି ଅଛି ।



