top of page

ଓଡିଆ ସଂସ୍କୃତିରେ ମକର ସଙ୍କ୍ରାନ୍ତି​

               ଓଡିଶାବାସୀଙ୍କ ଜନ ଜୀବନ ଉପରେ ବାର ମାସରେ ତେର ପର୍ବର ଭୂମିକା ଗୁରୁତ୍ଵପୂର୍ଣ୍ଣ | ବର୍ଷ ମଧ୍ୟରେ ଯେତେ ଗୁଡିଏ ସଙ୍କ୍ରାନ୍ତି ପାଳନ କରାଯାଏ ତନ୍ମଧ୍ୟରୁ ମକର ସଙ୍କ୍ରାନ୍ତି , ପଣା ସଙ୍କ୍ରାନ୍ତି, ବିଷୁବ ସଙ୍କ୍ରାନ୍ତି ପ୍ରଧାନ | ଏହି ସଙ୍କ୍ରାନ୍ତି ମାନଙ୍କର ନିଷ୍ଠା ସହ ପାଳନ ହେତୁ ହିନ୍ଦୁ ଧର୍ମ , ସଭ୍ୟତା ଓ ଓଡିଆ ସଂସ୍କୃତିର ବୈଶିଷ୍ଠ୍ୟ ପ୍ରତିଫଳନ ହୁଏ | ଆବଳବୃଦ୍ଧବନିତା ମକର ସଙ୍କ୍ରାନ୍ତି ପର୍ବକୁ ଉପଭୋଗ କରିବା ସହ ଏହା ସହ ଜଡିତ ପୂଜା ଆରାଧନା କୁ ବେସ ନିଷ୍ଠା ସହ ପାଳନ କରିଥାନ୍ତି
               ଏହି ପର୍ବ ପ୍ରତ୍ୟକ ବର୍ଷ ଜାନୁଆରୀ 14 ତାରିଖରେ ପାଳିତ ହୋଇଥାଏ | ହଜାର ହଜାର ବର୍ଷ ପୂର୍ବେ ଏହି ସଙ୍କ୍ରାନ୍ତି ମହାପର୍ବର ଯେତିକି ବିଶେଷତ୍ଵ ଥିଲା ଆଜି ବୈଜ୍ଞାନିକ ଯୁଗରେ ମଧ୍ୟ ଏହି ପର୍ବର ସେତିକି ପ୍ରଭାବ ଏବଂ ଲୋକପ୍ରିୟତା ବଜାୟ ରହିଛି | ମକର ସଙ୍କ୍ରାନ୍ତି ଏପରି ଏକ ପର୍ବ ଯାହାକି ଆମର ରାଷ୍ଟ୍ରୀୟତା , ସଂସ୍କୃତିକ ଚେତନାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ  |

               ସଙ୍କ୍ରାନ୍ତି ଶବ୍ଦର ଅର୍ଥ ହେଉଛି ସୂର୍ଯ୍ୟଙ୍କ ଏକ ରାଶି ରୁ ଅନ୍ୟ ରାଶି କୁ ସଂକ୍ରମଣ ବା ପ୍ରବେଶ କରିବା | ଅତଏବ ଯେଉଁ ରାଶିରେ ସୂର୍ଯ୍ୟ ପ୍ରବେଶ କରନ୍ତି , ସେହି ରାଶିର ନାମାନୁସାରେ ସଙ୍କ୍ରାନ୍ତିକୁ ନାମିତ କରାଯାଇଥାଏ |  ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରନ୍ଥ , ପୁରାଣ ଇତିହାସ , ଏବଂ ମହାଭାରତ ଓ ରାମାୟଣ ରେ ମକର ସଙ୍କ୍ରାନ୍ତି ସମ୍ପର୍କରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳେ | ମହାଭାରତରେ ଲେଖା ଅଛି ଯେ, ମହାଭାରତ ଯୁଦ୍ଧର ମହାନାୟକ ପିତାମହ ଭୀଷ୍ମ ବୀର ଅର୍ଜୁନଙ୍କ ଶରବ୍ୟ ହୋଇ ଶରଶଯ୍ୟାରେ ଶୋଇରହିଥିଲେ | ପିତାମହ ଭୀଷ୍ମଙ୍କୁ ଇଚ୍ଛାମୁତ୍ୟୁ ବରପ୍ରାପ୍ତି ହୋଇଥିବାରୁ ସେ ଏକ ଶୁଭ ମୁହୂର୍ତ୍ତରେ ଶରୀର ତ୍ୟାଗ କରିବାକୁ ଇଚ୍ଛାକରି ଅପେକ୍ଷା ରତଥିଲେ | ପବିତ୍ର ମକର ସଙ୍କ୍ରାନ୍ତି ପ୍ରତ୍ୟୁଷରେ ସେ ଭଗବାନ ଶ୍ରୀକୃଷ୍ଣ ଏବଂ ପାଣ୍ଡବ ମାନଙ୍କ ସମ୍ମୁଖରେ ପ୍ରାଣ ତ୍ୟାଗ କରିଥିଲେ |

               ସେହିପରି  ଶିବ ମାହାତ୍ମ୍ୟରେ ଲେଖା ଅଛି ଯେ , ମକର ସଙ୍କ୍ରାନ୍ତି ଦିନ ସ୍ନାନ ସମାପ୍ତ କରି ଶିବ ପାର୍ବତୀ ଙ୍କୁ ହୃଦୟରେ ସ୍ମରଣ କରି, ବ୍ରାହ୍ମଣଙ୍କୁ ତିଳ ଏବଂ ସୋରିଷ ମିଶ୍ରିତ ଅନ୍ନ ଦାନ କଲେ  ପୁନଃଜନ୍ମ ହୁଏ ନାହିଁ  | ଏତଦବ୍ୟତୀତ ବ୍ରହ୍ମାଣ୍ଡ ପୁରାଣରେ ଲେଖା ଅଛି ଯେ , ମା’ ଯୋଶଦା ମକର ସଙ୍କ୍ରାନ୍ତିର ଦିନ ହିଁ ଦହି ମନ୍ଥନ କରି ଗତକ ବ୍ରାହ୍ମଣ ଙ୍କୁ ଦାନ କରାଯାଇଥିବାରୁ ତାଙ୍କୁ ଶ୍ରୀ କୃଷ୍ଣଙ୍କ ପରି ପୁତ୍ର ପ୍ରାପ୍ତି ହୋଇଥିଲେ |

            ଓଡିଶାର ବିଭିନ୍ନ ପ୍ରାନ୍ତରେ ପବିତ୍ର ମକର ସଙ୍କ୍ରାନ୍ତି ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଥାଏ | ମୟୂରଭଞ୍ଜ ଅଞ୍ଚଳରେ ମକର ପର୍ବକୁ ବର୍ଷରେ ଆରମ୍ଭ ଦିବସ ରୂପେ ପାଳନ କରାଯାଇଥାଏ | ବିଶେଷ କରି ମୟୂରଭଞ୍ଜ , ସୁନ୍ଦରଗଡ , କେନ୍ଦୁଝର ଜିଲ୍ଲାର ପ୍ରମୁଖ କୃଷକ ଜାତି କୁଡୁମୀ ବା ମହାନ୍ତ ମାନେ ତାଙ୍କର ହାଲ ପହ୍ନା ବା ପ୍ରଥମ ହାଳାଚାରର ହଳଚାଳନା ମାଧ୍ୟମରେ କୃଷି ବର୍ଷକୁ ସ୍ଵାଗତ କରିବାର ପରମ୍ପରା ରହି ଆସିଛି |

ମକର ସଙ୍କ୍ରନ୍ତି ପ୍ରତି ବର୍ଷ ପିଲା ଠାରୁ ଯୁବକ ପର୍ଯ୍ୟନ୍ତ ସମସ୍ତେ ଅତି ନିର୍ମିମେଶ ନୟନ ରେ ଚାହିଁ ରହି ଥାନ୍ତି | ପୂଜା ଆରାଧନା ସହ ଏହି ସଙ୍କ୍ରନ୍ତିରେ ଗୁଡି ଉଡାଇବାର ନିଆରା ପରମ୍ପରା ରହିଛି |

            ଏହି ପରମ୍ପରା କୁ ମନେ ରଖିବା ପାଇଁ ଐତିହ ନଗରି କଟକ ଏବଂ ଭୁବନେଶ୍ଵର ଠାରେ ବିଭିନ୍ନ ସ୍ଥାନରେ ଗୁଡି ଉଡା ପ୍ରତିଯୋଗୀତା ଆୟୋଜନ କରାଯାଇଥାଏ | ବିଶେଷ କରି ମହାନଦୀ ପଠା ଏବଂ ଧବଳେଶ୍ଵର ପୀଠ ନିକଟରେ ଅତି ଆନନ୍ଦ ଓ ଉଦ୍ଦୀପନାର ସହ ସମସ୍ତେ ଗୁଡି ଉଡାଇ ଥାନ୍ତି |

 ଏହି ପବିତ୍ର ଦିବସ ଉପଲକ୍ଷେ ସମସ୍ତ ଓଡିଆଙ୍କୁ ସ୍ବାଭିମାନି ଓଡିଆ ର ଶୁଭେଛା |

ଓଡିଆ ସଂସ୍କୃତିରେ ମାଣବସା ଗୁରୁବାର

               ପ୍ରଭୁ ଜଗନ୍ନାଥଙ୍କ ପାଟରାଣୀ ମା’ ଲକ୍ଷ୍ମୀ | ଧନ ଓ ଐଶ୍ଵର୍ଯ୍ୟର ଅଧିଷ୍ଟାତ୍ରି ଦେବୀ ମା’ ଲକ୍ଷ୍ମୀ | ଓଡିଆ ସଂସ୍କୃତି ଓ ପରମ୍ପରା ଅଷ୍ଟଲକ୍ଷ୍ମୀଙ୍କ ମଧ୍ୟରେ ଧାନ୍ୟ ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରୁବାରରେ ଉପାସନା କରିବାର ବିଧି ରହି ଆସିଛି  |ଏହି ଦିନ ମାଣପୂର୍ଣ୍ଣ ଧାନ ଶସ୍ୟକୁ ଧାନ୍ୟ ଲକ୍ଷ୍ମୀ ଭାବେ ପୂଜା କରାଯାଏ |  ଓଡିଶାର ଘରେ ଘରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣି ମଧ୍ୟରେ ମାଣବସା ଗୁରୁବାରର ସ୍ଵତନ୍ତ୍ର ବୈଶିଷ୍ଟ୍ୟ ରହିଛି |

            ସମଗ୍ର ହିନ୍ଦୁ ସମାଜରେ ଲକ୍ଷ୍ମୀପୂଜା ପ୍ରଚଳିତ | କିନ୍ତୁ ମାର୍ଗଶିର ମାସ ମାଣବସା ଗୁରୁବାର କେବଳ ଓଡିଆ ମାନଙ୍କ ଏକାନ୍ତ ନିଜସ୍ଵ ପର୍ବ | ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କ ବାର | ଆବ୍ରାହ୍ମଣଚାଣ୍ଡାଳ ସବୁ ଓଡିଆ ଘରେ ଏହି ପର୍ବ ପାଳନ କରାଯାଏ | ଜାତି-ଅଜାତିର ଭେଦ ଭାବ ଏହି ପୂଜାରେ ନାହିଁ | ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ମା ଙ୍କୁ ଆବାହନ କରାଯାଏ | ଏହିଦିନ ଓଡିଆ ଗୃହିଣୀ ମାନେ ଝୋଟି , ଚିତା , ଧାନଶିଶା , ଆଙ୍ଗୁଳି ଚିତା ଆଦି ପକାଇ ପାରମ୍ପରିକ ଢଙ୍ଗରେ ଘରକୁ ସଜାଇ ଥାନ୍ତି |

             ସେହିପରି ମା ଙ୍କ ନିକଟରେ ଲାଗି ହେଉଥିବା ପ୍ରସାଦ ମଧ୍ୟ ଓଡିଆଙ୍କ ନିଜସ୍ଵ ରନ୍ଧଣାର ନିଚ୍ଛକ ନିଦର୍ଶନ |  ଶାଗ , ଭଜା, ଦହି ପଖାଳ, ମଧୁରୁଚି , ଆମ୍ବିଳ, ସରପୁଳି , ଅଟକାଳି , ଆରିସା ପିଠା , ବେସର, ବହୁର , ମଣ୍ଡା, ଛେନା ନଡିଆ ପୁର ଦିଆ କାକରା ଇତ୍ୟାଦି ଓଡିଆ ଘର ବ୍ୟତୀତ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ |

              ଗୃହିଣୀଙ୍କ ରୂପରେ ମା ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଛି | କାହିଁ କେଉଁ ଅନାଦି କାଳରୁ  ମା’ଙ୍କୁ ଧନଧାନ୍ୟ , ସ୍ନେହ , ବାତ୍ସଲ୍ୟ , ଦୟା , କ୍ଷମାର ପ୍ରତୀକ ରୂପେ  ବିବେଚନା କରାଯାଇଛି  | ପ୍ରତୀଟି ଓଡିଆ ଘରେ ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ବ୍ରତ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଏ |  ଓଡିଆଙ୍କର ସମୃଦ୍ଧ ସାମାଜିକ ଓ ଆଧ୍ୟାତ୍ମିକ ଚଳଣି ଏଥିରୁ ସ୍ପଷ୍ଟ ବାରି ହୋଇ ପଡେ |

© 2016 by DILLIP KUMAR. Proudly created with Wix.com

bottom of page