
ରଥଯାତ୍ରା
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ ।
ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩. ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ, ୬. ଆଡ଼ପ ପର୍ବ, ୭.ବାହୁଡ଼ା ଯାତ୍ରା ଓ ୮. ନୀଳାଦ୍ରି ବିଜେ । ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ। ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜୟ । ଏହାକୁ ଗୁଣ୍ଡିଚା ପଞ୍ଚକ କୁହଯାଏ ।
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ଋକ୍ ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହେଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାଇୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି ।
ବିଷୟସୂଚୀ
ପ୍ରାଚୀନତା ଓ ଇତିହାସ
ହରିହର କାନୁନଗୋଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ଏକ ବୌଦ୍ଧ ଅନୁଷ୍ଠାନ । ସିଂହଳରେ ଯେଉଁ ରଥଯାତ୍ରା ପାଳିତ ହୁଏ, ସେଥିରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ବାହାର କରି ହାତୀ ଉପରେ ଥୋଇ ମହା ସମାରୋହରେ ଶୋଭାଯାତ୍ରାରେ ନିଆଯାଏ ଓ ନଗରର ରାଜମାର୍ଗ ମାନ ବୁଲାଇ ସେହି ଦନ୍ତକୁ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାହୁଏ। ସେଠାରେ ଛଅଦିନ ରହିବା ପରେ ପୁଣି ଦନ୍ତ ମନ୍ଦିରକୁ ଫେରି ଆସେ । ପୁରୀରେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଜଗନ୍ନାଥ ମହାପ୍ରଭୁ କାଷ୍ଠ ନିର୍ମିତ ରଥରେ ବାହାରି ଶୀକ୍ଷେତ୍ରର ବଡ଼ଦାଣ୍ଡ ଅତିକ୍ରମ କରି ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚନ୍ତି ଏବଂ ସେଠାରେ ୭ଦିନ ରହି ପୁଣି ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରକୁ ବାହୁଡା ବିଜେରେ ଫେରିଥାନ୍ତି ।
ପୁରାତତ୍ତ୍ଵବିତ ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତନୁଯାୟୀ ପୁରୀର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମୋତ୍ସବ ପାଳନର ସ୍ମୃତି ମାତ୍ର। [୩][୪]ଷୋଡ଼ଶ ଶତାଦ୍ଦୀରେ ରଚିତ ମାଦଳା ପାଞ୍ଜିରେ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ । ଏଥିରେ ଉଲ୍ଲେଖ ଅଛି ଯେ, ବୀର ନରସିଂହ ଦେବ ରାଜା ରାଜ୍ୟ କଲେ। ଏ ରାଜା ବାଙ୍କୀ ମୁହାଣ ପୋତାଇଲେ । ଛଅ ରଥ ହେଉଥିଲା, ରାଜା ତାହା ପୋତାଇ ତିନି ରଥ କରାଇଲେ । ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ । ଏ ଦୁଇ ପାଖେ ବଳଗଣ୍ଡି କଲେ ।
କେହି ଜଣେ ଗବେଷକ ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ (ଖ୍ରୀ.ଅ ୧୨୬୪-୧୨୭୮)ଙ୍କ ସମୟରେ ଛଅ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଏହି ଛଅ ରଥ କେବେ ଠାରୁ ଶ୍ରୀକ୍ଷେତ୍ରରେ ପ୍ରଚଳିତ ହେଲା, ସେ ସମ୍ପର୍କରେ ମାଦଳା ପାଞ୍ଜିରୁ କୈଣସି ତଥ୍ୟ ମିଳୁନାହିଁ । କିନ୍ତୁ ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ପୁରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଛି। ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ରହିଛି।
ଖ୍ରୀ.ଅ ଅଷ୍ଟମ ବା ନବମ ଶତାଦ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ଭିକାରୀ ପଟ୍ଟନାୟକଙ୍କ ୧୮୫୯ ସାଲରେ ରଚିତ ରଥ ଚକଡା ପୋଥିରୁ ଉଦ୍ଧାର କରି ଗବେଷକ ସଦାଶିବ ରଥଶର୍ମା ପ୍ରକାଶ କରିଛନ୍ତି । [୬] ଏହି ରଥ ଚକଡା ପାଣ୍ଡୁଲିପିଟି ପୁରୀ ବାସେଳି ସାହିର ତତକାଳୀନ ରଥ ଅମୀନ ଓ ରଥକାର ଫକୀର ମହାପାତ୍ରଙ୍କ ଠାରୁ ପ୍ରାପ୍ତ ଓ ପୁରୀ ବଡ଼ ଓଡ଼ିଆ ମଠରେ ତାହା ସୁରକ୍ଷିତ ଥିଲା ବୋଲି ରଥଶର୍ମା ଉଲ୍ଲେଖ କରିଛନ୍ତି। ଯଯାତିଙ୍କ ବେଳେ ଜଗନ୍ନାଥ ମନ୍ଦିରର ଉଚ୍ଚତା ମାତ୍ର ୪୮ ହାତ ଥିଲା। ଠାକୁରେ ୨ହାତ ୧୦ଆଙ୍ଗୁଳର ଥିଲେ ଓ ରଥମାନ ୧୮ ହାତ ଉଚ୍ଚ ଥିଲା । ତିନି ରଥ ବୋଧେ ସମାନ ଥିଲା। ରଥ ଛଅ ଗୋଟି ହେଉଥିଲା । ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା । ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହା ଚାରି ଚକିଆ ଶଗଡି ସଦୃଶ୍ୟ ହେଉଥିଲା । ଏହି ତିନିଗୋଟି ରଥ ମାଳିନୀ ବା ବଡ଼ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା । ସିଂହଦ୍ଵାର ଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ଷୋହଳ ଚକିଆ , ଚଉଦ ଚକିଆ ଓ ବାର ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ଵଜ କଳସ ଲାଗୁଥିଲା। କନକ ମୁଣ୍ଡାଇରେ ରତ୍ନ ଚାନ୍ଦୁଆ ଟଣା ହେଉଥିଲା। ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରି, ରଥ ଘଣ୍ଟୁଆ, ବାଦ୍ୟକାରମାନେ ଯାଉଥିଲେ ଆଗେ ଆଗେ। ପଛରେ ତିନି ରଥକୁ ଟାଣୁଥିଲେ ଭକତମାନେ । ରଥରେ ଚାଉଳ, ନଡିଆ ଖଣ୍ଡ ପଡି ଭୋଗ ଲାଗୁଥିଲା । ତାହା ଅଳ୍ପ ସଂଖ୍ୟକ ସମବେତ ଭକ୍ତଗଣଙ୍କୁ ବଣ୍ଟନ କରାଯାଉଥିଲା । ବଳଗଣ୍ଡିଠାରେ ରଥ ପହଞ୍ଚିଲେ ଦୋଳଚାପରେ ନଈ ପାରି ହୋଇ ଅର ପଟକୁ ଠାକୁରମାନେ ବିଜେ କରି ଚାରି ଚକିଆ ଶଗଡି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢାକୁ ଯାଆନ୍ତି । ସାତ ଦିନ ପରେ ନବଦିନ ଯାତ୍ରା ସମାପ୍ତ କରି ବାହୁଡା ଯାତ୍ରା ହେଉଥିଲା।
ପ୍ରାବନ୍ଧକ ଡକ୍ଟର ହରିହର କାନୁନଗୋଙ୍କ ମତରେ ଯଯାତିଙ୍କ ସମୟରେ ହୋଇଥିବା ଘଟଣାଟି ବିଶ୍ଵାସଯୋଗ୍ୟ ମନେହୁଏ। ସମ୍ଭବତଃ ଜଗନ୍ନାଥଙ୍କୁ ୩୮ହାତର ଏକ ପଟୋଳରେ ସ୍ଥାପନା କଲା ବେଳେ ପୂର୍ବରୁ ଅନୁସୃତ ରଥଯାତ୍ରା ପରମ୍ପରାର ପ୍ରଭାବରେ ଯଯାତି ଏହି ରଥଯାତ୍ରାର ପ୍ରଚଳନ କରିଥିଲେ । ପରବର୍ତ୍ତୀ ଦ୍ଵାଦଶ ଶତାଦ୍ଦୀରେ ୧୦୦ ହାତର କିମ୍ବା ୧୨୫ ହାତର ବଡ଼ ଦେଉଳ ନିର୍ମାଣ ସମାପ୍ତି ଓ ଠାକୁରମାନଙ୍କ ବିଜେ ତୃତୀୟ ଅନଙ୍ଗଭୀମ ଦେବ (ଖ୍ରୀ.ଅ.୧୨୧୧-୧୨୩୮)ଙ୍କ ସମୟ ହୋଇଥିବାରୁ ସେହି ବର୍ଷଠାରୁ ପୂର୍ବ ସ୍ମୃତିକୁ ମନେ ରଖିବା ପାଇଁ ବଡ଼ ଦେଉଳରୁ ଗୁଣ୍ଡିଚା ଘରକୁ ଦିଅଁଙ୍କର ରଥଯାତ୍ରା ଦକ୍ଷିଣାଭିମୁଖୀରେ ହୋଇଥିବା ସମ୍ଭବପର । ଯଯାତିଙ୍କ ସମୟରେ ବଡ଼ ଦାଣ୍ଡର ବଳଗଣ୍ଡିଠାରେ ମାଳିନୀ ନଦୀ ପ୍ରବାହିତ ହେଉଥିବାରୁ ଛଅ ରଥ ନିର୍ମାଣ କରାଯାଉଥିଲା ଏବଂ ବୀର ନରସିଂହ ଦେବ ଓରଫ ପ୍ରଥମ ଭାନୁଦେବ (ଖ୍ରୀ.ଅ.୧୨୬୪-୧୨୭୮) କିମ୍ବା ଦ୍ଵିତୀୟ ନରସିଂହ ଦେବ (ଖ୍ରୀ.ଅ ୧୨୭୮-୧୩୦୭)ଙ୍କ ସମୟରେ ଏହି ମାଳିନୀ ନଦୀ (ଶରଧାବାଲି)କୁ ପୋତି ଦେବା ଫଳରେ ଛଅ ରଥ ପରିବର୍ତ୍ତେ ତିନି ରଥ ତିନି ରଥ ନିର୍ମିତ ହୋଇ ଆସୁଅଛି।
ଅପରପକ୍ଷରେ ଗବେଷକ ଡଃ ନୀଳକଣ୍ଠ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ଖ୍ରୀ.ଅ ୧୨୭୦ରେ ମାଧବାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ କାଳରେ ଏକ ଯାତ୍ରାରେ ଦୁଇ ପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ମତ ଦେଇ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ମାତ୍ର ତିନି ଗୋଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ (୧୨୬୪-୧୨୮୭ ଏ ବ୍ୟବସ୍ଥା କରିଥିଲେ । ମାଳିନୀ ବା ଶରଧା ନଦୀ ପୋତା ହେଲା ପରେ ଏହା ବଡ଼ ଦାଣ୍ଡରେ ପରିଣତ ହେଲା ।
ଖ୍ରୀଷ୍ଟୀୟ ନବମ ଶତାଦ୍ଦୀର କବି ମୁରାରୀ ମିଶ୍ର ସ୍ଵୀୟ ସୃଷ୍ଟିରେ ରଥଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ବୋଲି କେତେକ ଅଲୋଚକ ମତପୋଷଣ କରିଛନ୍ତି । ଶ୍ରୀବିଗ୍ରହମାନଙ୍କ ରଥଯାତ୍ରା କାଳରେ ମୁରାରୀ ମିଶ୍ରଙ୍କ ରଚିତ ସୁପ୍ରସିଦ୍ଧ ସଂସ୍କୃତ ନାଟକ ଅନର୍ଘ ରାଘବ ସମେତ ବହୁ ସଂସ୍କୃତ କାବ୍ୟ ଭକ୍ତମାନଙ୍କର ଚିତ୍ତ ବିନୋଦନ ପାଇଁ ଅଭିନୀତ ହେଉଥିବାରୁ ସୂଚନା ତାଙ୍କ ରଚନାରୁ ମିଳିଥାଏ । କବି ମୁରାରୀ ମିଶ୍ରଙ୍କ ରଚନାରୁ ଜଣାଯାଏ ଯେ, ଭାଗବତଃ ପୁରୁଷୋତ୍ତମସ୍ୟ ଯାତ୍ରାୟା ମୁପସ୍ଥାନୀୟା ସଭାସଦଃ। ଏଠାରେ ଶ୍ରୀପୁରୁଷୋତ୍ତମ ବା ଶ୍ରୀଜଗନ୍ନାଥଙ୍କ ଯେଉଁ ଯାତ୍ରାର ନାମ ଉଲ୍ଲେଖ କରିଛନ୍ତି, ତାହା ଆଲୋଚକମାନଙ୍କ ଦ୍ଵାରା ରଥଯାତ୍ରା ରୂପେ ଗୃହୀତ ହୋଇଛି। ମାତ୍ର ବର୍ଣ୍ଣିତ ଯାତ୍ରାର କାଳ ନିରୂପିତ ହୋଇନଥିବାରୁ ଏହାକୁ ରଥଯାତ୍ରା ଭାବରେ ଗ୍ରହଣ କରିବାରେ ମତଦ୍ଵୈଧ ପରିଲକ୍ଷିତ ହୋଇଥାଏ ।[୯] ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ୧୨୨୩ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ କାଳରେ ରଥଯାତ୍ରା ପ୍ରଚଳନ କଥା ଉଲ୍ଲେଖ କରିଛନ୍ତି । ରାଜଗୁରୁଙ୍କ ମତରେ ୧୨୨୩ ଖ୍ରୀଷ୍ଟାବ୍ଦ ପରେ କୈଣସି ସମୟରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁ ନିର୍ମିତ ହେବାରେ ଓ ଆଦିବାସୀ ଦଇତାମାନେ ଶ୍ରୀଜଗନ୍ନାଥଙ୍କ ସେବକ ରୂପେ ନିଯୁକ୍ତି ହେବାର ରଥଯାତ୍ରାର ସୃଷ୍ଟି ହୋଇଅଛି।
ପୌରାଣିକ

ଡାହାଣରୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ମା ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ବାହୁଡ଼ାଯାତ୍ରା, ନବକଳେବର ୨୦୧୫ ବେଳେ ଗୁଣ୍ଡିଚା ମନ୍ଦୀର ସମ୍ମୁଖରେ ଛିଡ଼ା ହୋଇଛନ୍ତି ।
କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ଵାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ଵରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ ପାଣ୍ଡବମାନେ ତାହାହିଁ କଲେ।
ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ଵୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ଵାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ଵାର ଖୋଲାଗଲା ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ : ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି।
ବିଭିନ୍ନ ପୁରାଣରେ ଘୋଷଯାତ୍ରା
ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣମାନଙ୍କରେ ଉଲ୍ଲେଖ ହୋଇଛି। ବିଶେଷ ଭାବେ ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ। ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ । ପ୍ରସିଦ୍ଧ ଦ୍ଵାଦଶ ଯାତ୍ରା ସମ୍ବନ୍ଧରେ ଯେଉଁ ଶ୍ଳୋକଟି ସର୍ବ ମୁଖ ନିଃସୃତ, ତାହା ହେଉଛି -
ମଞ୍ଚ ସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ଵେ
ପାର୍ଶ୍ଵ ବୃତ୍ତିଃ ଶୟନ ନିବୃତ୍ତି ପାବୃତ୍ତୈ ପୁଷ୍ୟପୂଜା
ଦୋଳଯାତ୍ରା ଦମନକମହୋତାକ୍ଷ ପୂଜା ତୃତୀୟା
ଚୈକଂ ଯାତ୍ରା ବିଧନିଗଦିତା ଦ୍ଵାଦଶୈତା ନରେନ୍ଦ୍ର ।
ମହାପ୍ରଭୁମାନଙ୍କର ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ଵର ଏକ ସହସ୍ର ଅଶ୍ଵମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ଵାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି - ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ।
ସ୍କନ୍ଧ ପୁରାଣ
ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ନିମ୍ନରେ ସେହି ବିବରଣୀର ସାରମର୍ମ ଉଲ୍ଲେଖ କରାଯାଇଛି - ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ। ଆଚାର୍ଯ୍ୟ ବରଣ କରିବେ । କାର୍ଯ୍ୟଦକ୍ଷ ଅବିଦିତ ଜଣେ ବା ତିନିଜଣ ସୂତ୍ରଧରଙ୍କୁ ବନକୁ ଯିବାପାଇଁ ବସନ, ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟାମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ। ଆଜ୍ୟଧାରଯୁକ୍ତ ଅଷ୍ଟୋତ୍ତର ଶତ ଆହୁତି ଦେବେ। ପ୍ରତି ବୃକ୍ଷ ମୂଳରେ ଆଜ୍ୟଧାରା ଦେବେ। ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ। କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ। ବୃକ୍ଷର ପ୍ରୀତି ପାଇଁ ଶ୍ହେ ଦୁଗ୍ଧାନ୍ନ ଆହୁତି ଦେବେ । ଆଚାର୍ଯ୍ୟ ପତଗଧ୍ଵଜ ଭଗବାନଙ୍କୁ ଧ୍ୟାନକରି କୁଠାରଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ। ସେଠାରେ ମଙ୍ଗଳଧ୍ଵନି କରାଇବେ । ସୂତ୍ରଧରଙ୍କୁ ଗଛକାଟି କାର୍ଯ୍ୟରେ ନିଯୁକ୍ତ କରି ଆଚାର୍ଯ୍ୟ ସ୍ଵଗୃହକୁ ଫେରିବେ । ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ଵଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ ।
ସ୍କନ୍ଧ ପୁରାଣ ଅନୁସାରେ - ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ଵଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମିକା ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ଵିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ର।
ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ। ଶୁକ୍ଳ ଦ୍ଵିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନକରି ନୃସିଂହଙ୍କଠାରେ ସଂକଳ୍ପ ବ୍ରତ ଆରମ୍ଭ କଲେ ମହାପୂଣ୍ୟ ହୋଇଥାଏ। ଏହାକୁ ମହାବେଦୀ ମହୋତ୍ସବ ବ୍ରତ କୁହାଯାଏ। ଅଷ୍ଟମ ଦିବସରେ ବ୍ରତ ଶେଷ ହୁଏ। ମହାବେଦୀରେ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ । ଏହା ଅତି ପବିତ୍ର ସମୟ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି, ମଘା ନକ୍ଷତ୍ର, ଜଗନ୍ନାଥଙ୍କ ମହା ସମାଗମ ଏ ତିନି ମହାବେଦୀ ଯୋଗର ତ୍ରିପାଦ ସ୍ଵରୂପ। ଏହା ସହିତ ଇନ୍ଦ୍ରଦ୍ୟୁମ୍ନ ସରୋବର ମିଳିତ ହେଲେ ଚତୁସ୍ପାଦ ଯୋଗ ହୁଏ। ଏହା ପୂର୍ଣ୍ଣଯୋଗ ଏବଂ ପିତୃମାନଙ୍କର ମୁକ୍ତିପଦ।
ଚୈତନ୍ୟ ଚରିତାମୃତ
ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ଵାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ ।
ଗୁଣ୍ଡିଚା ମନ୍ଦିରରେ ଗେଲ କରିତେ ମାର୍ଜନା ।
ପ୍ରଥମେ ମାର୍ଜନୀ ଲୱା କରିଲ ଶୋଧନ ।
ଛୋଟ ବଡ଼ ମନ୍ଦିର କୈଲ ମାର୍ଜନା ଶୋଧନ।
ପାଛେ ତୈଛେ ଶୋଧିଲ ଶ୍ରୀଜଗମୋହନ ।
ପୁନଶ୍ଚ ଉକ୍ତ ଗ୍ରନ୍ଥରେ ହୋଇଥିବା ବର୍ଣ୍ଣନା ଅନୁଯାୟୀ , ସେ ସମୟରେ ରଥର ସାଜସଜ୍ଜା ଉତ୍ତମମାନର ଥିଲା। ଏହା ଦର୍ଶନ କରି ସମସ୍ତେ ବିସ୍ମୟ ପ୍ରକାଶ କରୁଥିଲେ। ରଥ ସଦ୍ୟ ସୁବର୍ଣ୍ଣ ଛାଉଣୀ ହେବା ଭଳି ପ୍ରତୀୟମାନ ହେଉଥିଲା ଓ ଏହା ସୁମେରୁ ପର୍ବତ ସଦୃଶ ଅତି ଉଚ୍ଚ ଥିଲା। ରଥଗୁଡିକ ଉଜ୍ଜ୍ଵଳ ଦର୍ପଣ ଓ ଶହ ଶହ ଚାମର ଦ୍ଵାରା ସଜ୍ଜିତ ହେଉଥିଲା। ରଥ ଉପରେ ସୁନ୍ଦର ଚାନ୍ଦୁଆ ଟଣା ହେଉଥିଲା ଏବଂ ଅଗ୍ର ଭାଗରେ ଅତି ସୁନ୍ଦର ପତକା ଶୋଭା ପାଉଥିଲା। ରଥଗୁଡିକ ମଧ୍ୟ ପାଟବସ୍ତ୍ର ଏବଂ ନାନା ପ୍ରକାର ଚିତ୍ର ଦ୍ଵାରା ସୁଜ୍ଜିତ ହେଉଥିଲା। ଘଣ୍ଟା, ଘଣ୍ଟି, କିଙ୍କିଣୀ ପ୍ରଭୃତି ବିବିଧ ବାଦ୍ୟ ମଧ୍ୟ ବାଜୁଥିଲା। ସେତେବେଳେ ଠାକୁରମାନଙ୍କ ପହଣ୍ଡି ଦଇତାମାନଙ୍କ ଦ୍ଵାରା ହେଉଥିଲା। ଶ୍ରୀଜଗନ୍ନାଥଙ୍କ ବାହକ ଦଇତାମାନେ ମତ୍ତହସ୍ତୀ ତୁଲ୍ୟ ଶକ୍ତିଶାଳୀ ଥିଲେ । ପହଣ୍ଡି ସମୟରେ ପହଣ୍ଡି ସ୍ଥାନଠାରୁ ରଥ ପର୍ଯ୍ୟନ୍ତ ତୁଳା ନିର୍ମିତ ଉଚ୍ଚାଗଦି ବା ତୁଳୀ ବିଛାଇ ଦିଆଯାଉଥିଲା ଏବଂ ଦଇତାମାନେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଗଦିରୁ ଅନ୍ୟ ଏକ ଗଦିକୁ ବହନ କରି ନେଇଯାଉଥିଲେ, ଏହି ସମୟରେ କେତେକ ତୁଳା ଖଣ୍ଡ ଖଣ୍ଡ ହୋଇ ଛିଡି଼ ଯାଉଥିଲା ଏବଂ ତୁଳା ସବୁ ଆକାଶରେ ଉଡୁଥିଲା ଓ ଗଦି ଫାଟିବା ସମୟରେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେଉଥିଲା।
ଉଚ୍ଚ ଦୃଢ଼ ତୁଲୀ ସବ ପାତି ସ୍ଥାନେ ସ୍ଥାନେ ।
ଏକ ତୁଲୀ ହୈତେ ତ୍ଵରାୟ ଆର ତୁଲୀତେ ଆନେ ।
ପ୍ରଭୁ ପଦାଘାତେ ତୁଲୀ ହୟ ଖଣ୍ଡ ଖଣ୍ଡ ।
ତୁଲୀ ସବ ଉଡି଼ ଯାୟ ଶବ୍ଦ ହୟ ପ୍ରଚଣ୍ଡ ।
ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀ ଦ୍ଵାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ । ସେ ସମୟରେ ରଥଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ । ତାଙ୍କ ସହିତ ହସ୍ତୀମାନଙ୍କୁ ମଧ୍ୟ ରଥଟଣା କାର୍ଯ୍ୟରେ ଲଗାଯାଉଥିଲା । ଶ୍ରୀଚୈତନ୍ୟ ସେତେବେଳେ ରଥ ଆଗରେ ଭାବ ବିହ୍ଵଳିତ ନୃତ୍ୟ ଓ ସଂକୀର୍ତ୍ତନ କରୁଥିଲେ । ଶ୍ରୀଚୈତନ୍ୟ ଏକ ସଙ୍ଗେ ସାତଟି ଦଳରେ ନୃତ୍ୟ କରୁଥିଲେ । ତତ୍କାଳୀନ ସମୟରେ ବଳଗଣ୍ଡିଠାରେ ରଥ ଦୀର୍ଘ ସ୍ମୟ ରହିବାର ପ୍ରଥା ଥିଲା । ସେହି ସ୍ଥାନରେ ଜଗନ୍ନାଥଙ୍କ ନିକଟରେ ବିପୁଳ ପରିମାଣର ଭୋଗ ଲାଗିବାର ନିୟମ ବା ଚଳଣି ମଧ୍ୟ ଥିଲା ।
ନୀଳାଦ୍ରି ମହୋଦୟରେ ଘୋଷଯାତ୍ରା
ନୀଳାଦ୍ରି ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିର କୁ ପ୍ରଜପିତା ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରଯାଇଥିଲା । ନାରଦଙ୍କ ନିର୍ଦ୍ଦେଶ ମତେ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ । ସେଥିପାଇଁ ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ସଂସାରର ଆନନ୍ଦବର୍ଦ୍ଧକ ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି,ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ଵର୍ଣପୁରୀ ନିର୍ମାଣ କରିଥିଲେ । ସେହିଠାରେ ଦୁଇ ସ୍ଵର୍ଗଦୂତ ରଥ ନିର୍ମାଣ ଆରମ୍ଭ କରିଥିଲେ ।
ନୀଳାଦ୍ରି ମହୋଦୟ ୫ମ ଅଧ୍ୟାୟ ୨୯ ଶ୍ଳୋକ
'ସମ୍ଭାରାନ ରୁଚିରାନ କୃତ୍ଵା ରଥତ୍ରୟମତଃ ପରମ୍ ।
ନାନାଳଙ୍କାର ସଂଯୁକ୍ତଂ ଦିବ୍ୟାମ୍ବର ସୁମଣ୍ଡିତମ୍'
ଅର୍ଥାତ ସ୍ଵର୍ଣପୁରୀରେ ଦେବଦୂତ ଦ୍ଵୟ ନାନା ରୁଚିର ଅଳଙ୍କାର ମାନ ସଂଯୁକ୍ତ କରି ରଥ ତିନୋଟି ନିର୍ମାଣ କରିଥିଲେ ।ନାରଦ କହିବା ଅନୁସାରେ ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ଵାରା ସଜାଇଥିଲେ । ସେଥିରେ ନାନା ରତ୍ନ ଏବଂ ସ୍ଵର୍ଣ ଅଳଙ୍କାର ମାନ ଲଗାଇଥିଲେ ।
'ନିର୍ମମେ ନାରଦୋକ୍ତୋ ତଚ୍ଚକ୍ରୈଃ ସଂଯୁକ୍ତମାୟସୈଃ ।
ନାନାରତ୍ନସମୁଲ୍ଲାସଂ ହୈମଂ ଚାରୁତରଂ ଦ୍ଵିଜାଃ'
ରଥର ଚକ ଗୁଡାକ ଲୁହାରେ ତିଆରି କରିଥିଲେ । ରଥଚକର ଅର ଗୁଡିକ ସୁନାରେତିଆରି କରିଥିଲେ । ସୁନା ଚକ ବେଶ ଆକର୍ଷକ ଥିଲା । ରଥ କେବଳ ରତ୍ନ ଏବଂ ସ୍ଵର୍ଣ ଅଳଙ୍କାର ମାନ ଲଗାଯାଇନଥିଲା , ଏହାର ଚାରିପଟେ ନାନା ଅବତାରମାନଙ୍କରେ ପ୍ରକଟିତ ହୋଇଥିବା ଭଗବାନଙ୍କର ଲୀଳା ଚିତ୍ରିତ କରାଇ ଚଳନ୍ତି ପ୍ରତିମା ତିଆରି ହୋଇଥିଲା । ସେଗୁଡିକୁ ପାର୍ଶ୍ଵ ଦେବାଦେବୀ ଭାବେ ସଂଯୋଗ କରି ସାରଥି ବସାଇଥିଲେ । ସୁନା ରେ ଘୋଡା ନିର୍ମାଣ କରି ରଥରେ ସଂଯୋଗ କଲେ । ଦେଖିଲା ମାତ୍ରକେ ଦର୍ପ ପ୍ରକାଶ କରୁଥିବା ସମୁଜ୍ଜ୍ଵଳ ଆକୃତି ର ଦୁଇଟି ନିଧି ସେହି ରଥ ରେ ମଣ୍ଡିତ କଲେ । ତିନି ଲୋକ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳରେ ସୁଖ ବୃଦ୍ଧି କରିପାରୁଥିବା ଭଳି ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ କରଯାଇଥିଲା । ସେଥିମଧ୍ୟରୁ
-
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ହେଉଛି "ଗରୁଡ ଧ୍ଵଜ"
-
ଜଗତଜନନୀ ମା' ସୁଭଦ୍ରାଙ୍କ ସୁବର୍ଣ୍ଣମୟ ରଥର ନାମ "ପଦ୍ମ ଧ୍ଵଜ"
-
ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥର ନାମ "ତାଳ ଧ୍ଵଜ"
ରଥ ତିନୋଟି ନିର୍ମାଣ ହେବ ପରେ ତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ ତୋରଣ ଓ ବିଭିନ୍ନ ଧାରଣ ର ପତାକା ସଂଯୋଗ କରାଯାଇଥିଲା । ନାନା ଶୁଭଗୁଣରେ ଅନ୍ଵିତ, ନବଜଳଧର ପରି ସୁନ୍ଦର ସମସ୍ତଙ୍କ ଦର୍ଶନାନନ୍ଦଦାୟୀ ଅତି ସୁସଜ୍ଜିତ ତିନି ରଥ କୁ ଦେଖି ସମସ୍ତେ ଚକିତ ହୋଇଥିଲେ । ଏହା ପରେ ରଥ ତିନୋଟିକୁ ବିଧିବଦ୍ଧ ଭାବେ ପ୍ରତିଷ୍ଠା କରଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ରଥଯାତ୍ରା ।
ହିନ୍ଦୁ ଜ୍ୟୋତିଷ ମତେ
ହିନ୍ଦୁ ଜ୍ୟୋତିଷିକ ତତ୍ତ୍ଵରେ ଗ୍ରହଜଗତ ନଅଗୋଟି ଗ୍ରହଙ୍କୁ ନେଇ ଗଠିତ, ଯଥା- ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ । ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟ ଜ୍ୟୋତିଷିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ । ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଛାଡ଼ି ଘୋଶଯାତ୍ରାରେ ନବଦିନ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଆଷାଢ଼ ଶୁକ୍ଳ ତୃତୀୟାଠାରୁ ଆଷାଢ଼ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି ଏବଂ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ପହଣ୍ଡି ହୋଇ ରଥ ଚଢ଼ି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଶ୍ରୀଜଗନ୍ନାଥଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରାସହ ନବଗ୍ରହଙ୍କ ଘନିଷ୍ଟ ସମ୍ପର୍କ ରହିଛି । ଶ୍ରୀଜଗନ୍ନାଥଙ୍କ ଏହି ନବଦିନ ଯାତ୍ରା ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରିଥାଏ । ସପ୍ତାହକର ସାତଦିନ ଗ୍ରହମଣ୍ଡଳର ଗ୍ରହମାନଙ୍କ ନାମରେ ନାମିତ । ରବିଙ୍କ ଉଦ୍ଦେଶ୍ୟରେ ରବିବାର, ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୋମବାର, ମଙ୍ଗଳଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର, ବୁଧଙ୍କ ଉଦ୍ଦେଶ୍ୟରେ ବୁଧବାର, ଦେବଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଗୁରୁବାର, ଶୁକ୍ରଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଓ ଶନିଙ୍କ ଉଦ୍ଦେଶ୍ୟରେ ଶନିବାର । କିନ୍ତୁ ଅନ୍ୟ ଦୁଇଗ୍ରହ, ଯଥା ରାହୁ ଓ କେତୁ ଛାୟାଗ୍ରହ ହେତୁ ଏମାନଙ୍କର କୌଣସି ସ୍ଵତନ୍ତ୍ର ବାର ନାହିଁ ।
ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ସାତଦିନ ରହନ୍ତି ଏବଂ ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରନ୍ତି । ଆଷାଢ଼ ମାସର ତୃତୀୟା ତିଥି ଯେଉଁଦିନ ପଡ଼ିବ ସେହିଦିନ ଶ୍ରୀଜଗନ୍ନାଥ ସେହିବାରର ପ୍ରତୀକଗ୍ରହ ରୂପେ ପୁଜା ପାଆନ୍ତି । ମନେକର ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଘୋଷଯାତ୍ରା ଦିନ ରବିବାର ହେଲେ ତୃତୀୟା ସୋମବାର ହେବ ଏବଂ ତୃତୀୟାଠାରୁ ଶ୍ରୀଜଗନ୍ନାଥ ଆଗାମୀ ରବିବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତ୍ୟେକ ଗ୍ରହଙ୍କ ନିର୍ଦ୍ଧିଷ୍ଟ ସେହି ଗ୍ରହଙ୍କ ସ୍ଵରୂପ ଭାବରେ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି । ସୋମବାର ଦିନ ଚନ୍ଦ୍ରଙ୍କ ସ୍ଵରୂପ, ମଙ୍ଗଳବାର ଦିନ ମଙ୍ଗଳଙ୍କ ସ୍ଵରୂପ, ବୁଧବାର ଦିନ ବୁଧଙ୍କ ସ୍ଵରୂପ, ଗୁରୁବାର ଦିନ ବୃହସ୍ପତିଙ୍କ ସ୍ଵରୂପ, ଶୁକ୍ରବାର ଦିନ ଶୁକ୍ରଙ୍କ ସ୍ଵରୂପ, ଶନିବାର ଦିନ ଶନିଙ୍କ ସ୍ଵରୂପ ଓ ରବିବାର ଦିନ ରବିଙ୍କ ସ୍ଵରୂପ ଭାବରେ ପୂଜା ପାଆନ୍ତି । କିନ୍ତୁ ରାହୁ ଓ କେତୁ ଏ ଦୁଇ ଗ୍ରହଙ୍କ ସ୍ଵତନ୍ତ୍ର ବାର ନଥିବା ହେତୁ ପ୍ରଥମ ଗୁଣ୍ଡିଚା ଘୋଷଯାତ୍ରା ଓ ଶେଷ ବାହୁଡ଼ା ଏ ଦୁଇ ଦିବସକୁ ରାହୁ ଓ କେତୁଙ୍କ ପାଇଁ ନିର୍ଦ୍ଦିଷ୍ଟ ବୋଲି ନିର୍ଣ୍ଣୟ କରାହୁଏ । ଏକସପ୍ତାହ ବ୍ୟାପି ଗୁଣ୍ଡିଚାରେ ରହଣୀ କାଳ ଚନ୍ଦ୍ରଙ୍କଠାରୁ ଆରମ୍ଭ କରି ରବିଙ୍କ ପର୍ଯ୍ୟନ୍ତ ସପ୍ତଗ୍ରହକୁ ସୂଚେଇଲା ଭଳି ଦୁଇ ଯାତ୍ରାକୁ ସାଙ୍କେତିକ ଭାବରେ ରାହୁ ଓ କେତୁଙ୍କୁ ସୂଚାଇ ନବଦିନ ବ୍ୟାପି ଯାତ୍ରା ନବଗ୍ରହକୁ ସମ୍ପୂର୍ଣ୍ଣ କରେ ।
ରଥ ନିର୍ମାଣର ଶାସ୍ତ୍ରୀୟ ପଦ୍ଧତି
ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧି ବିଧାନ ରହିଛି।
ଶିଳ୍ପସାର ସଂଗ୍ରହ ପୋଥିରେ ୨ୟ ଖଣ୍ଡରେ ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ମୋଟ ୨୭ ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠା ଦେଢ଼ ଭାଗକୁ ଅଙ୍ଗୁଳ ବା କଳା କୁହାଯାଏ। ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା। ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ। ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ୨ୟ ଧାରଣାର ଲମ୍ବ ୨୧ ଚଉଠା ଓ ୩ୟ ଧାରଣାର ଲମ୍ବ ୧୫ ଚଉଠା। ମୁହାଣର ଲମ୍ବ ୧୫ ଚଉଠା,କୁଡୁକାର ଲମ୍ବ ଧାରଣ ମହଲାକୁ ୩ ଚଉଠା, ଏପରି ଚାରି କୋଣରେ ୮ କୁଡୁକା ଦେବ। ବଡ଼ ଦୁଇ ଅଖ ଲମ୍ବ ୩୦ ଚଉଠା, ଛୋଟ ଦୁଇ ଅଖ ଲମ୍ବ ୨୪ ଚଉଠା। ଏହି ଏକ ଚଉଠାକୁ ୧୨ ଭାଗ କରାଯାଏ। ୧୭ ଚଉଠ ୮ ଅଙ୍ଗୁଳରେ ବଡ଼ ଅଖ ଦୁଇ ଗୋଟି ପୁଡା ଡାଇ ହାଣିବ। ଗୁଳିର ଉଚ୍ଚ ୫ ଚଉଠ ୮ ଅଙ୍ଗୁଳ ଗୁଳି ବହଳ ଛାଡି ଛାଡି ଅଖରେ କାନ କିଳା ବିନ୍ଧ କରିବ । ମୁହାଣକୁ ଗୁଳି ନିଶ୍ଵାସ ୮ ଅଙ୍ଗୁଳ ଛାଡି ଧାରଣାରେ ଅଖର କାବିଳା କଣ୍ଟା ବିନ୍ଧ କରିବ । ମୁହାଣ ମଝାଲକୁ ୮ ଚଉଠ ୪ ଅଙ୍ଗୁଳ ଛାଡି ବଡ଼ ଅଖ କାବିଳା ବିନ୍ଧ ଧାରଣାରେ କରିବେ ।
୧୦ ବାହି ପ୍ରକାରେ ଗୋଜଫୁଲି କରି ଜଳନ୍ତରିଆ ଖୋଜ ବିନ୍ଧ କରିବ । ଧାରଣା ବାହି ଉପରେ ଜିଆ ୮ ଚଉଠରେ ନାଇକା ବିନ୍ଧ କରିବ। ନାଇକା ପାଖ ଜଳନ୍ତରିଆ ଖିଜ ୪ ଚଉଠ ୧୨ଅଙ୍ଗୁଳ ଉଚ୍ଚ ଖୁସି କରିବ । ଏଥି ଉପରେ ଛନ୍ଦା ପକାଇବ। ଚକଡା ଚାରିପାଖ ଧାରଣାକୁ ଛନ୍ଦାକୁ ଟୀକା କରିବ। ଧାରଣା ଉପରଠାରୁ ଜିଆ ମିଶି ନାଇକା ୧୪ ଚଉଠ ରଖି ଖୁସି କରିବ। ସିଂହାସନର ଉଚ୍ଚ ୧୨ ଅଙ୍ଗୁଳ କରିବ। ଜିଆ ବହଳ ୧୨ ଆଙ୍ଗୁଳ କରିବ। ଓସାର ୧ ଚଉଠା ନାଇକା ଉପରେ ୮ଚଉଠାଇ ଚଉତାଳ କରିବ।
ପ୍ରଥମେ ଭୂଇଁ ଲଦିବ। ଭୂଇଁ ବହଳ ୫ ଅଙ୍ଗୁଳ ଫୁଲି ଠାରୁ ଭୂଇଁ ଅଁଳା, ୨ ଚଉଠ ୪ ଅଙ୍ଗୁଳ। ଭୂଇଁ ମଝାଲ ସୂତା ଠାରୁ ୨ ଅଙ୍ଗୁଳ ରଖି ଗୈ ହାଣିବ। ପାଖୁଡା ୩ ଚଉଠ ୪ ଅଙ୍ଗୁଳ, କୋଣ ପାଖୁଡା ୧ ଚଉଠ ୪ ଅଙ୍ଗୁଳ, ଫୁଲି ଠାରୁ ୧ ଚଉଠ ଲେଖା ଛାଡି ଦୁଇ ପାଖୁଡା ବସାଇବ। ଏହି ପରି ଚାରିପାଖେ ୧୬ ଗୋଟି ପାଖୁଡା ମାରିବ। ଫୁଲି ଠାରୁ ୧ ଚଉଠ ୨ ଅଙ୍ଗୁଳ ଲେଖାରେ ହଂସପାଦି ପକାଇ ୧ ଚଉଠ ଉଚ୍ଚରେ ଚଢେଇ ଖୋଜ ବସାଇବ। ଏଥି ଉପରେ ପାଖୁଡା ହଂସ ପାଦି ମାରିବ। ଚାରି ପାଖେ ହାରାମାଳି ମାରିବ। ଏଥି ଉପରେ ୬ ଚଉଠରେ ବିନ୍ଧ କରି ୮ ଅଙ୍ଗୁଳ ଛାଡି ଓରା ପକାଇବ। ଏହ ପରେ ୨ୟ ଭୂଇଁ, ୨ୟ ପାଖୁଡା ମାରିବ। ଏପରି ଚାରିଦିଗେ ୧୨ ପାଖୁଡା ମାରିବ। ତୃତୀୟ ପୁର ଭୂଇଁ ଚଉତାଳ ୬ ଚଉଠରେ ବସିବ।
ପ୍ରଥମେ ପଟଳ ଲମ୍ବ ୮ ଚଉଠ,ରାହା କାଟଣ ଶେଷ ଠାରୁ ୧୪ ଅଙ୍ଗୁଳ ଉଚ୍ଚ, ୨ୟ ରାହା ମଧ୍ୟ ୧୨ ଅଙ୍ଗୁଳ ଉଚ୍ଚରେ କାଟଣ ହେବ। ଏହି ପରି ଚାରିପାଖ ପଟଳ କରିବ। ପ୍ରଥମ ସାତପୁର ପଟଳ ଉଚ୍ଚ ୨ ଚଉଠ, ସାତପୁରରେ କୋଣ ଓରା ପକାଇ ପଟଳ ଲଦିବ। ପଟଳ ଭୂଇଁ ଉପରଠାରୁ ବଡ଼ ଖୋଜ ମଧ୍ୟ ଚୌତାଳରେ ୨ ଚଉଠ ୧୨ ଅଙ୍ଗୁଳ ରଖି ବସାଇବ। ଏଥି ଉପରେ ପାରାଭାଡି ଭୂଇଁ ୩ ଚଉଠ ୮ଅଙ୍ଗୁଳରେ ଚଉତାଳ କରି ବସାଇବ। ପ୍ରଥମ ସାତପୁର ପଟଳ ଉପରେ ପଟଳ ଭୂଇଁ ଲଦା ହେବ। ୨ୟ ରାହା ୨ ଅଙ୍ଗୁଳ ଲେଖାରେ ପୁରକୁ ପୁର ସାତପୁର କାଟିବ। ୨ୟ ସାତପୁର ପଟଳ ୨ ଚଉଠ କରିବ। ଏଥି ଉପରେ ୧ ଚଉଠ ଉପରେ ମାଙ୍କଡ଼/ଛନ୍ଦା ଦୁଇଗୋଟି ଚଉତାଳ କରି ପକାଇବ। ଦଧିନଉତି ୨ ଚଉଠ ଉଚ୍ଚରେ ମାଙ୍କଡ଼ଛନ୍ଦା ଉପରେ କଳସ ଚକ୍ର ପତାକା ହେବ । କଳଶା ଶିଖା ଠାରୁ ପାରାଭାଡି ଭୂଇଁ ତଳ ପର୍ଯ୍ୟନ୍ତ ଦଖିନଉତି ଖୋଜ ହେବ।
ରଥପାଦ ଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଥିବା ଅଂଶ ଗୁଡିକ ମଧ୍ୟରେ ଚକ, ଦଣ୍ଡିଆ,ଅର,ବାଙ୍କି ହଂସପଟା,କଣି,ଶଙ୍ଖଦ୍ଵାର,ଜାଲି,ଗାଈପଟା,ସିଂହାସନ,କନକ ମୁଣ୍ଡେଇ, ଭୂମି,ଷୋଳ ନାହକ,ମଗରଦଣ୍ଡା, ବସନ୍ତ,ଦୁଆରଘୋଡା, ସାରଥୀ ପୀଡ଼,କୁମ୍ଭପଟି,ରାହୁପଟି,ଆଠ ନାହାକା, ପୀଢ଼,ଋଷିପଟା,ଦଣ୍ଡା, ପାରାଭାଡି,ଖପୁରୀ,ପାଦ, ଓଲଟ ଶୁଆ,ଦଧିନଉତି,କଣ୍ଠି,ଦଣ୍ଡ,ଚକ୍ର ଓ କେତନ ।
ଶିଳ୍ପ ଶାସ୍ତ୍ରାନୁଯାୟୀ ରଥର ଅଙ୍ଗ ଗୁଡିକୁ ସାଧାରଣତଃ ୧୩ଟି ମୂଖ୍ୟ ଅଙ୍ଗରେ ବିଭକ୍ତ କରାୟାଇଛି। ଯଥା- (୧) ଚକ୍ରପୀଠ, (୨) ଅରଦଣ୍ଡା,(୩)ଗଗରା,(୪) ମୂଳନାଭ,(୫) ବରାଣ୍ଡି,(୬) ହଂସପଟା, (୭) ରଥଗର୍ଭ,(୮) ପାରାଭାଡି,(୯) କଳସ ପୀଠ, (୧୦) ଦଧିନଉତି, (୧୧) କର୍ଣ୍ଣଅଳା,(୧୨) ଧାତୁ କଳସ ଓ (୧୩) ଆୟୁଧ ଧ୍ଵଜା।
ରଥ ନିର୍ମାଣର ପୃଷ୍ଠଭୂମି
ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ
ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା,[୧୨] ୨୦୧୨ ମସିହାଠାରୁ ରଥର କିଛି
ଅଂଶକୁ ବିକ୍ରି କରାଯାଉଛି ।
ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ
ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ। ସେହି ପରି ଶ୍ରୀବଳଭଦ୍ରଙ୍କ ରଥର ନାମତାଳଧ୍ଵଜ ଓ ଶ୍ରୀସୁଭଦ୍ରାଙ୍କ ରଥର ନାମ
ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ଵଜ।
ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥ ନିର୍ମାଣ କାର୍ଯ୍ୟ
ଆରମ୍ଭ ହୋଇଥାଏ। ଏ ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ
ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବେ ସମ୍ପାଦିତ ହୋଇଥାଏ।
ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ଵତୀ ପୂଜା ଶ୍ରୀପଞ୍ଚମୀ ତିଥି ଠାରୁ। [୧୪] କେତେକ
ନିର୍ଦ୍ଦିଷ୍ଟ ତିଥିରେ ତିନି ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଯଥା - ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା
ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ। ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର
ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ।
ଉକ୍ତଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ଶୋତ୍ରୀୟବ୍ରାହ୍ମଣମାନଙ୍କ ଦ୍ଵାରା ରଥ
ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ ଯଜ୍ଞ ଓ ଆନୁସଙ୍ଗିକ ପୂଜା, ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜାପଣ୍ଡା ତିନି ରଥ
ନିର୍ମାଣର ଅନୁକୂଳ ନିମନ୍ତେ ଅଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଠାରେ ବିଶ୍ଵକର୍ମା ମହାରଣା, ରୂପକାର , ଭୋଇ ଇତ୍ୟାଦି ସେବକମାନେ
ଶାଢୀ ବନ୍ଧାଇ ଥାନ୍ତି। ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ
ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର
ଚାରିନାହାକା ଡେରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ
ଶ୍ରୀନଅର ସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ଵାର ସମ୍ମୁଖରେ ରଖାଯାଏ।
ବହୁ ପ୍ରାଚୀନ ସମୟରୁ ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି
ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା। ଏହି କାଠସବୁ ନଦୀରେ ଭେଳା କରି ଅଣାଯାଉଥିଲା। ପୁରୀ
ଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲ ଠାରୁ ଏହି କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା। ପୁରୀରେ ପ୍ରତିଷ୍ଠିତ
କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ।
ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି। ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ
ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି। ରଥ ସଂହିତା ଅନୁଯାୟୀ ତିନୋଟି ରଥ ନିର୍ମାଣ ପାଇଁ ୧୧୩୯ଟି କାଠ
ଆସିଥାଏ।ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଉପରିବର୍ଣ୍ଣିତ କାଠ ଯୋଗାଇ ଆସୁଛନ୍ତି। ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନର ଅରଣ୍ୟ
ଅଧିକାରୀମାନେ ୮୬୨ଟି ଖଣ୍ଡ ଅସନ, ଧଉରା ଓ ଫାସୀ ଇତ୍ୟାଦି କାଠ ପଠାଇଥାନ୍ତି। ଏଥି ମଧରୁ ୭୨ ଖଣ୍ଡ ଫାସୀ ଅଟେ।
ଏତଦବ୍ୟତୀତ ରଣପୁର ଜଙ୍ଗଲରୁ ୨୭୪ ଖଣ୍ଡ କଞ୍ଚାକାଠ ଓ ତିନୋଟି ଶିମୁଳି କାଠ ଆସିଥାଏ।




ରଥଖଳାରେ ରଥ ପ୍ରସ୍ତୁତି କାର୍ଯ୍ୟ
ତିନି ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁଷ୍ଠିତ ହେବା ସହିତ ତତ୍ ପରଦିନ ଠାରୁ ନିର୍ମାଣ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏ। ଶ୍ରୀମନ୍ଦିରର ସ୍ଵତ୍ତ୍ଵଲିପିରେ ଅନ୍ତର୍ଭୁକ୍ତ ବିଶ୍ଵକର୍ମା ମହାରଣା, ଭୋଇ,ରୂପକାର,ଦରଜି,କମାର ପ୍ରମୁଖ ସେବକମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ତନ୍ମଧ୍ୟରୁ ସମୁଦାୟ ୬୦ଜଣ ମହାରଣା, ୭୫ଜଣ ଭୋଇ, ୧୫ କମାର,୧୫ରୁ୨୦ ଚିତ୍ରକର,୭/୮ଜଣ ଦରଜି, ୧୫ଜଣ ରୂପକାର ସେବକ ଅନ୍ତର୍ଭୁକ୍ତ । ମହାପ୍ରଭୁମାନଙ୍କ ବ୍ୟବହୃତ ତିନି ଗୋଟି ରଥର ଗଠନ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ। ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ।
ଏହା ବ୍ୟତୀତ ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ଵ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ଵ ଦେବତା ଖଞ୍ଜା ଯାଇଥାଏ। ସୂଚନାଯୋଗ୍ଯ ଯେ, କେବଳ ନବକଳେବର ବର୍ଷ ନୂତନ ଭାବେ ସାରଥୀ,ଅଶ୍ଵ, ପାର୍ଶ୍ଵ ଦେବତା, ଠେକରା ବାଡ଼, ରଥବ୍ରେକ,ହଂସପଟା ଓ କନ୍ୟାପଟା ଇତ୍ୟାଦି ନିର୍ମାଣ କରାଯାଇଥାଏ। ଏଥି ନିମନ୍ତେ ଶାଳ, ଗମ୍ଭାରୀ ଇତ୍ୟାଦି କାଠ ସ୍ଵତନ୍ତ୍ର ଭାବେ ଜଙ୍ଗଲ ବିଭାଗ ଯୋଗାଇଥାନ୍ତି।
ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କ ଦ୍ଵାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ। ପୂର୍ବେ ଓ.ଟି.ଏମ୍ ମିଲରୁ ଆସୁଥିବା ଏହି କନା ମୂଖ୍ୟତଃ ନଲି,ହଳଦିଆ,ନେଳି ଓ କଳା ରଙ୍ଗର ଅଟେ। ପ୍ରାୟ ଏକ ହଜାର ମିଟରରୁ ଉର୍ଦ୍ଧ କନା ତିନି ରଥର ମଣ୍ଡଣି,ଘେର,ଚାନ୍ଦୁଆ ନିମନ୍ତେ ଆବଶ୍ୟକ ହୋଇଥାଏ। ସମ୍ପ୍ରତି କିଛି ବର୍ଷ ଧରି ରଥ ନିମିତ୍ତ ଆବଶ୍ୟକ କନା ବମ୍ବେର ପ୍ରସିଦ୍ଧ କପଡା କମ୍ପାନୀ ସେଞ୍ଚୁରୀ ମିଲରୁ ଆସୁଅଛି।
ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କନା, ତାଳଧ୍ଵଜ ରଥ ପାଇଁ ନାଲି ଓ ନେଳି କନା ଓ ଦର୍ପଦଳନ ରଥ ପାଇଁ ନାଲି ଓ କଳା କନା ବ୍ୟବହାର ହୋଇଥାଏ। ନନ୍ଦିଘୋଷ,ତାଳଧ୍ଵଜ ଓ ଦର୍ପଦଳନ (ଦେବଦଳନ) ରଥରେ ଯଥାକ୍ରମେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇଥାଆନ୍ତି। ୬ଫୁଟ୍ ଉଚ୍ଚତାର ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥର ଦୈର୍ଘ୍ୟ ପ୍ରସ୍ଥ ୩୪ ଫୁଟ ୬ ଇଞ୍ଚ ଲେଖାଏଁ ଓ ଉଚ୍ଚତା ୪୬ ଫୁଟ ଇଞ୍ଚ । ତାଳଧ୍ଵଜ ରଥର ଦୈର୍ଘ୍ୟ ପ୍ରସ୍ଥ ୩୩ ଫୁଟ ଲେଖାଏଁ ଓ ଉଚ୍ଚତା ୪୫ ଫୁଟ । ଏଥିରେ ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୪ ଚକ ଲାଗିଥାଏ। ସେହି ପରି ଦର୍ପଦଳନ ବା ଦେବଦଳନ ରଥ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ଏବଂ ୧୨ ଚକ ଏହି ରଥରେ ଲାଗିଥାଏ। ରଥର ଦୈର୍ଘ୍ୟ ପ୍ରସ୍ଥ ୩୧ ଫୁଟ ୬ ଇଞ୍ଚ ଲେଖାଏଁ । ଉଚ୍ଚତା ଯଥାକ୍ରମେ ୪୫ ଫୁଟ ୬ ଇଞ୍ଚ, ୪୫ ଫୁଟ ଓ ୪୪ ଫୁଟ୍ ୬ ଇଞ୍ଚ ଅଟେ ।
ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥ ଗୁଡିକୁ ଭାଙ୍ଗି ଦିଆଯାଏ। କେବଳ ସାରଥୀ,ଘୋଡା, ପାର୍ଶ୍ଵଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ସାଇତି ରଖାଯାଏ। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହା ଠାରୁ ରଥଟଣା ସମୟରେ ତିନୋଟି ରଥର ବ୍ରେକକୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି।
ବିଭିନ୍ନ ତିଥିରେ ରଥ ନିର୍ମାଣର ବିଧି
ପ୍ରତିବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତିନୋଟି ରଥ ପରମ୍ପରା ପ୍ରକାରେ ନିର୍ମିତ ହୋଇ ଆସୁଅଛି। ରଥକାଠ ପହଞ୍ଚିବା ଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ।
-
ରଥକାଠ ପୁରୀରେ ପହଞ୍ଚିବା (ରଥଖଳରେ ଅନୁକୂଳ ପୂଜା) - ଶ୍ରୀପଞ୍ଚମୀ
-
କାଠଚିରା - ଶ୍ରୀରାମ ନବମୀ
-
ରଥନିର୍ମାଣ ଅନୁକୂଳ - ଅକ୍ଷୟ ତୃତୀୟା
-
ଗୁଜ ଅନୁକୂଳ - ନୃସିଂହ ଚତୁର୍ଦ୍ଦଶୀ
-
ଚକ ତିଆରି ହୋଇ ଦିଅଁଙ୍କ ଆଜ୍ଞାମାଳ ଲାଗି (ଅନ୍ତତଃ ୬ଟି ଚକ) - ଭଉଁରୀ ଦିନ
-
ଚାରି ନାହକ ଡେରା ଅନୁକୂଳ - ଦେବସ୍ନାନ ପୂର୍ଣ୍ଣିମା
-
ରଥଖଳାରୁ ସିଂହଦ୍ଵାର ଯାଏଁ ରଥଟଣା - ନେତ୍ରୋତ୍ସବ (ଶ୍ରୀଗୁଣ୍ଡିଚା ପୂର୍ବଦିନ)
ରଥତ୍ରୟର ଏହି ନିର୍ମାଣ କାର୍ଯ୍ୟକୁ ପୁରୀ ପୂର୍ତ୍ତ ବିଭାଗର ଏକଜିକ୍ୟୁଟିଭ ଇଞ୍ଜିନିୟର ଏବଂ ବିଶେଷଜ୍ଞ କମିଟି ତଦାରଖ କରିଥାନ୍ତି। ରଥଟଣା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବ ପ୍ରଥା ଅନୁଯାୟୀ ଟ.୫୦/- ଫିସ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଦାଖଲ କରି ରଥ ଚାଲିବା ଉପଯୁକ୍ତ ବୋଲି ପୂର୍ତ୍ତ ବିଭାଗରୁ ଏକ ସାର୍ଟିଫିକେଟ ହାସଲ କରିଥାନ୍ତି।
ରଥ ନିର୍ମାଣରେ ସେବମାନଙ୍କ ଭୂମିକା ବଢେଇ ମହାରଣା
ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିର ୧୦୫ ନମ୍ବର ସେବାରେ ବଢେଇ ମହାରଣାମାନଙ୍କ ସମ୍ପର୍କେ ଉଲ୍ଲେଖ ରହିଅଛି। ଏମାନଙ୍କ ମଧ୍ୟରେ ସୁତାର, ତଳି ମହାରଣା, ମହାରଣା, ରଥ ଅମିନ ଭାବରେ ରଥ ନିର୍ମାଣରେ ସଂମ୍ପୃକ୍ତ ରହି କାର୍ଯ୍ୟ କରିଥାନ୍ତି। ରଥ ନିର୍ମାଣ ଅନୁକୂଳ ଠାରୁ ବାହୁଡା ଯାତ୍ରା ଶେଷ ଯାଏଁ ମହାରଣା ସେବକମାନେ ରଥ ନିର୍ମାଣ, ରଥଟଣା ଇତ୍ୟାଦି କାର୍ଯ୍ୟରେ ନିଯୋଜିତ ରହିଥାନ୍ତି। ୩୪ଗୋଟି ଅଙ୍ଗ ବିଶିଷ୍ଟ ତିନୋଟି ରଥର ନିର୍ମାଣ ନିମନ୍ତେ ପ୍ରତ୍ୟେକ ରଥରେ ଜଣେ ଲେଖାଏଁ ମୂଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ଜଣେ ଲେଖାଏଁ ସୁତାର ମହାରଣା, ତଳି ମହାରଣା ନିୟୋଜିତ ହୋଇ କାର୍ଯ୍ୟ କରିଥାନ୍ତି। ଏତଦବ୍ୟତୀତ ରଥ କାଠର ମାପଚୁପ ଦେଖିବା ପାଇଁ ଜଣେ ରଥ ଅମୀନ ମଧ୍ୟ ରହନ୍ତି।
ଓଝା ମହାରଣା
ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିର ସେବା ନଂ ୧୦୧ରେ ଓଝା ମହାରଣା ସେବା ବିଷୟ ଉଲେଖ ରହିଛି। ସମ୍ପ୍ରତି ମାତ୍ର ଚାରି ଘର ଏହି ଓଝା ମହାରଣା ସେବା ନିର୍ବାହ କରୁଛନ୍ତି। ତିନି ରଥ ବାଡ଼ଗ୍ରାହୀ ଭାବେ ଯଥାକ୍ରମେ ଜଗନ୍ନାଥଙ୍କ ରଥ ପାଇଁ ପଥୁରିଆ ସାହିର ଦାଶରଥି ମହାରଣା, ବଳଭଦ୍ରଙ୍କ ରଥ ପାଇଁ ପଥୁରିଆ ସହିର କାଶିନାଥ ମହାରଣା, କୁନିଆ ମହାରଣା ଓ ସୁଭଦ୍ରାଙ୍କ ରଥର ବାଡ଼ଗ୍ରାହୀ ଭାବେ କ୍ଷୀରୋଦ ମହରଣା (ଧାନକୁଟି ସାହି, ପୁରୀ) ଓଝା ମହାରଣା ସେବା କାର୍ଯ୍ୟ କରୁଥିବା ଜଣାଯାଏ। ପ୍ରତି ବର୍ଷ ରଥ ନିର୍ମାଣ ସମୟରେ ତିନି ରଥରେ ବ୍ୟବହୃତ ହେଉଥିବା ସମସ୍ତ ଲୁହାକଣ୍ଟା, ବଳା,ପନ୍ଦାରି ଯୋଗାଇବା ବ୍ୟତୀତ ରଥଯାତ୍ରା ପୂର୍ବ ଦିନ ରଥ ଖଳାରୁ ସିଂହଦ୍ଵାରକୁ ରଥ ବିଜେ କରିବା ସମୟରେ ରଥ ଉପରେ ଏହି ସେବକ ଚାନ୍ଦୁଆ ବାନ୍ଧିଥାନ୍ତି। ଅକ୍ଷୟ ତୃତୀୟା ଠାରୁ ପରମ୍ପରା ଅନୁଯାୟୀ ଓଝା ମହାରଣା ସେବକମାନେ ଶାଢୀ଼ ବନ୍ଧାଇ ଏବଂ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ମହାପ୍ରସାଦ ଓ ନଡ଼ିଆ ଗ୍ରହଣ କରି ଦୋଳବେଦୀଠାରେ ଶାଳ ଅନୁକୂଳ କରିଥାନ୍ତି। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ସମୟରେ ଏହି ସେବକ ତିନୋଟି ଟାଙ୍ଗିଆ ମଧ୍ୟ ଯୋଗାଇଥାନ୍ତି। ଏହାର ଦୁଇ ତିନିଦିନ ପରେ ଦୋଳବେଦୀଠାରେ କାର୍ଯ୍ୟ ଆରମ୍ଭ ହୋଇ ଭଉଁରୀ ଦିନ ପନ୍ଦାରି, ଜୋକିଆ, ହୁକର ମଧ୍ୟ ଅନୁକୂଳ କରାଯାଇଥାଏ। ଏହି ସବୁ କାର୍ଯ୍ୟ ଦୋଳବେଦୀ କୁଞ୍ଜ ଭିତରେ ହୋଇଥାଏ। ପ୍ରତି ଦିନ ମୋଟ ୧୮ ଜଣ ଓଝା ମହାରଣା ଓ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଥିବା ଶ୍ରମିକ ନିୟୋଜିତ ହୋଇଥାଏ। ନିଜ ନିଜ ରଥର ବାଡ଼ଗ୍ରାହୀ ଓଝା ମହାରଣାମାନଙ୍କ ତତ୍ତ୍ଵାବଧାନରେ ପ୍ରତି ଚକ ପାଇଁ ଅରକଣ୍ଟା ୩୨ଟା, ପନ୍ଦାରି ୨ଟା ଓ ୨ଟି ଲେଖାଏଁ ବଳା ନିର୍ମାଣ କରାଯାଇ ରଥଖଳାକୁ ଯୋଗାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଲୁହା ରଡ଼୍ ଓ ପ୍ଲେଟରେ ଓଝା ମହାରଣା ସେବକମାନେ ପ୍ରତିରଥର ଅଖ ଓ ଦଣ୍ଡାରେ କଣ୍ଡା ଲଗାଯିବା ଉଦ୍ଦେଶ୍ୟରେ ଯଥାକ୍ରମେ ନନ୍ଦିଘୋଷ ରଥ ପାଇଁ ୧୦ ଗଣ୍ଡା, ତାଳଧ୍ଵଜ ରଥ ପାଇଁ ୯ ଗଣ୍ଡା ୨ଟା ଓ ଦେବଦଳ୍ନ ରଥ ପାଇଁ ୭ ଗଣ୍ଡା ୨ଟା ବିଡିଆ କଣ୍ଟା ଶାଳ ପ୍ରସ୍ତୁତ କରିଥାନ୍ତି। ଏତଦବ୍ୟତୀତ ପାରାଭାଡ଼ି ନିର୍ମାଣ ସମୟରେ ପୋଟଳ ଉପରେ ବାଗିଆ ବାଡେଇଥାନ୍ତି। ଅନ୍ୟାନ୍ୟ ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗକଣ୍ଟା, ତାର ପରିଚ୍ଛା କଣ୍ଟା, ଦୁଆର ବେଢା଼ କଣ୍ଟା, ବେଢା଼ କଣ୍ଟା, ଜଙ୍ଘା ଓ ନାରାଜ କଣ୍ଟା, ଗୋଡି଼ଛାଲ ଇତ୍ୟାଦି ବିଭିନ୍ନ କିସମର କଣ୍ଟା ଏକ ସ୍ଵତନ୍ତ୍ର ଶୈଳୀରେ ଓଝା ମହାରଣାଙ୍କ ଦ୍ଵାରା ନିର୍ମିତ ହୋଇଥାଏ। ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ଓଝା ମହାରଣାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପାରିଶ୍ରମିକ ରୂପେ ପ୍ରଦାନ କରାଯାଇଥାଏ। ରଥଯାତ୍ରା ସମୟରେ ଯଦି ଚକ କିମ୍ବା ଅନ୍ୟାନ୍ୟ ମରାମତି କାର୍ଯ୍ୟ ଆବଶ୍ୟକ ପଡେ, ଓଝା ମହାରଣା ମନେ ଆବଶ୍ୟକୀୟ ଲୁହା କଣ୍ଟା ଓ କ୍ଲାମ୍ପ ଇତ୍ୟାଦି ଜରୁରୀକାଳୀନ ଭାବେ ନିର୍ମିତ କରି ଯୋଗାଇଥାନ୍ତି। ଏତଦବ୍ୟତୀତ ଅଣସର ସମୟରେ ଅଣସର ଗୃହକୁ ଯିବା ନିମନ୍ତେ ସହସ୍ର (ଲୁହାରେ ନିର୍ମିତ ଏକ ଅସ୍ତ୍ର) ନିର୍ମିତ କରି ପତନି ଶାଢୀ଼ରେ ବାନ୍ଧି ଦଇତାପତିଙ୍କ ଜିମାରେ ଦେଇଥାନ୍ତି। ଏହି କାର୍ଯ୍ୟ ହେଲା ବେଳେ ଓଝା ମହରଣାମାନେ ହବିଷାନ୍ନ କରି ଅତ୍ୟନ୍ତ ନିୟମ ନିଷ୍ଠାର ସହିତ ରହିଥାନ୍ତି। ସମ୍ପ୍ରତି ଓଝା ମହାରଣାଙ୍କ ଦ୍ଵାରା ପ୍ରସ୍ତୁତ ଶାଳ ଦୋଳବେଦୀ କୁଞ୍ଜଠାରେ ହେଇଥିବା ଜଣାଯାଏ।
ଅନ୍ୟାନ୍ୟ ସେବକ
-
ରଥ ଭୋଇ :ସେବା ନଂ ୯୭ରେ ରଥ ଭୋଇ ସେବା ସମ୍ପର୍କରେ ସବିଶେଷ ବିବରଣୀ ଲିପିବଦ୍ଧ ରହିଛି। ରଥ କାମରେ ଯେତେ ମୁଲିଆ ଦରକାର ହୁଏ ଏ ସର୍ଦ୍ଦାର ଭୋଇମାନେ ନିଜେ କାମ କରନ୍ତି ଓ ଅନ୍ୟ ମୁଲିଆ ଲଗାଇ କାମ କରାନ୍ତି। ରଥଖଳାର ଛାମୁଣ୍ଡିଆ ତିଆରି କରିବା ଓ ଅନ୍ୟାନ୍ୟ ରଥ କାଠ ବୋହିବା ସଙ୍ଗେ ସଙ୍ଗେ ରଥ ନିର୍ମାଣ ଓ ରଥଟଣାରେ ସକ୍ରିୟ ଅଂଶ କରିଥାନ୍ତି।
-
ଦରଜୀ ସେବା : ସ୍ଵତ୍ତ୍ଵଲିପିର ୯୫ ନଂ ସେବାରେ ଦରଜୀ ସେବକଙ୍କ କାର୍ଯ୍ୟ ସମ୍ପର୍କରେ ବିବରଣ ରହିଛି। ରଥର ମଣ୍ଡଣି, ଚାନ୍ଦୁଆ ଇତ୍ର୍ୟାଦି ସିଲାଇ କାର୍ଯ୍ୟ ଦରଜୀ ସେବକମାନେ କରିଥାନ୍ତି।
-
ତାମରା ବିଶୋଇ : (ସେବା ନଂ ୯୦) ଉକ୍ତ ସେବକ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବିଧି ଅନୁସାରେ ତାମ୍ରପଟା ଇତ୍ୟାଦି ତିଆରି କରି ବାହୁଟ ଓ ସେନାପଟାରେ ତାମରା ଦିଅନ୍ତି।
-
କରତିଆ: (ସେବା ନଂ ୯୧) ରଥ ନିର୍ମାଣ ପାଇଁ ତୁମ୍ବ କାଟିବା ଓ ରଥର କାଠ ପଟା କାମ କରିଥାନ୍ତି। ଏ ସେବକ ନିଜେ କରତି କାମ କରନ୍ତି ଓ ଅନ୍ୟ କରତିଆକୁ କାମ କରିବାକୁ ଯୋଗାଇ ଦିଅନ୍ତି।
-
ରୂପକାର: (ସେବା ନଂ ୮୮) ରଥ ନିର୍ମାଣରେ ଯେତେ ରୂପ କାର୍ଯ୍ୟ ପଡେ, ଏହି ସେବକ ତାହା କରିଥାନ୍ତି। ଏପରିକି ନବକଳେବର ବର୍ଷମାନଙ୍କରେ ସାରଥୀ, ସଖୀ, ଓଲଟ ଶୁଆ, କଳସ ଓ ପାର୍ଶ୍ଵ ଦେବତା ନିର୍ମାଣ ଏହି ସେବକଙ୍କ ଦ୍ଵାରା ତିଆରି ହୋଇଥାଏ। ରଥଟଣା ପୂର୍ବରୁ ଘୋଡ଼ା ବନ୍ଧା କାର୍ଯ୍ୟ ଏହି ସେବକଙ୍କର ଅଟେ।
-
ଚିତ୍ରକାର : (ସେବା ନଂ ୮୭) ଏହି ସେବକ ରଥବାଡ଼, ପାର୍ଶ୍ଵ ଦେବଦେବୀ, ଓଲଟ ଶୁଆ, କଳସ ଓ ରଥରେ ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ସମସ୍ତ ଚିତ୍ର କାର୍ଯ୍ୟ କରିଥାନ୍ତି।
ତିନି ରଥର ବିଶେଷତା
ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ତିନିଗୋଟି ରଥ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ନିର୍ମାଣ କରାଯାଉଥିଲେ ହେଁ ପ୍ରତି ରଥରେ ଅଧିଷ୍ଠିତ ହେଉଥିବା ପାର୍ଶ୍ଵ ଦେବତାଙ୍କର ନିର୍ମାଣ ହୋଇନଥାଏ। କେବଳ ନବକଳେବର ବର୍ଷମାନଙ୍କରେ ରୂପକାର ସେବକମାନେନିମ୍ବ କାଠରେ ମୋଟ ୨୭ ଗୋଟି ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରିଥାନ୍ତି। ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାନ୍ତି। ଆବଶ୍ୟକ ପଡିଲେ ରୂପକାର ସେବକମାନଙ୍କ ଦ୍ଵାରା ଏହାର ମରାମତି କାର୍ଯ୍ୟ ହୋଇଥାଏ। ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ନଅ ମୂର୍ତ୍ତି ଲେଖାଏଁ ପାର୍ଶ୍ଵଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ।
ନନ୍ଦିଘୋଷ
ନନ୍ଦିଘୋଷ ରଥ, ୨୦୦୭ର ରଥଯାତ୍ରା
'ନନ୍ଦିଘୋଷ' ବା 'ଗରୁଡ଼ଧ୍ଵଜ' ବା 'କପିଳଧ୍ଵଜ' ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି ।
-
ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ ।
-
ଏହି ରଥରେ ୧୬ ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ଵସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ।
-
ସାରଥି: ମାତଳୀ ।
-
ରଥର ଦଉଡ଼ି: ଶଙ୍ଖଚୂଡ଼ ।
-
ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ଵେତ ଓ ହରିଦ୍ଵାଶ) ସ୍ଥାପନ କରାଯାଏ ।
-
ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ ।
-
ଧ୍ଵଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ ।
-
ନାଲି ଓ ହଳଦିଆ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
-
ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ତାଳଧ୍ଵଜ
'ତାଳଧ୍ଵଜ' ବା 'ଲଙ୍ଗଳ ଧ୍ଵଜ' ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି।
-
ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ ।
-
ଏହି ରଥରେ ୧୪ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।
-
ଦଧିନଉତି: ହିରଣ୍ମୟୀ
-
ସାରଥି: ଦାରୁକ ।
-
ରଥର ଦଉଡ଼ି: ବାସୁକୀ ।
-
ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ) ସ୍ଥାପନ କରାଯାଏ ।
-
ଧ୍ବଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ ।
-
ନାଲି ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
-
ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ଵର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ଵବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ଦର୍ପଦଳନ
'ଦର୍ପଦଳନ' ବା 'ପଦ୍ମଧ୍ଵଜ' ବା 'ଦେବଦଳନ' ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି ।
-
ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ ।
-
ଏହି ରଥରେ ୧୨ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ।
-
ସାରଥି: ଅର୍ଜୁନ ।
-
ରଥର ଦଉଡ଼ି: ସ୍ଵର୍ଣ୍ଣଚୂଡ଼ ।
-
ଧ୍ଵଜପମୂର୍ତ୍ତି: ଜୟଦୁର୍ଗା ।
-
ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ ।
-
ନାଲି ଓ କଳା ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
-
ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ । ତିନି ରଥର ଦଧିନଉତି : ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଷ । ଏହି ତିନି ଦଧିନଉତି ଉପରେ ମୋଟ ୯ଟି ପିତଳ କଳସ (ନଭ, ଆକାଶ, ବ୍ୟୋମ, ପରା, ଅପରା, ବୈଖାରୀ, ଚନ୍ଦ୍ର, ସୂର୍ଯ୍ୟ, ବିଦ୍ୟୁତ) ସ୍ଥାପନ କରାଯାଏ ।
ରଥ ଯାତ୍ରାର କେତେକ ବିଶେଷ ନୀତି[ସମ୍ପାଦନା]
-
ନବ ଯୌବନ ଦର୍ଶନ (ନେତ୍ରୋତ୍ସବ) : ଚକା ଅପସର, ମଙ୍ଗଳ ଆରତି, ମଇଲମ, ଅବକାଶ, ଦଶ ଅବତାର ଦିଅଁ ବାହୁଡା଼ ବିଜେ, ତାଟି ଫିଟିବା, ପରିମାଣିକ ଦର୍ଶନ, ସର୍ବ ସାଧାରଣ ଦର୍ଶନ, ଦଇତାପତି ସର୍ବାଙ୍ଗ, ବନ୍ଦାପନ, ରୋଷ ହୋମ, ରାଜନୀତି, ଯାତ୍ରାଙ୍ଗୀ, ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବେଶ ଶେଷ, ଗୋପାଳବଲ୍ଲଭ ଓ ଘଣ୍ଟଛତା, ସକାଳ ଧୂପ (କେବଳ କୋଠ ଭୋଗ), ଭୋଗ ମଣ୍ଡପ ଆରମ୍ଭ, ରଥ ଆଜ୍ଞାମାଳ ବିଜେ, ଭୋଗ ମଣ୍ଡପ ପୂଜା ଶେଷ, ମଧ୍ୟାହ୍ନ ଧୂପ (କେବଳ କୋଠ ଭୋଗ), ଅଙ୍କୁରାରୋପଣ ଓ ଆବଶ୍ୟକ ହେଲେ ୩ୟ ଭୋଗ ମଣ୍ଡପ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ,ପହୁଡ଼ ଆଳତି, ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ (ଗୁପ୍ତ ନୀତି), ସେନାପଟା ଲାଗି (ଗୁପ୍ତ ନୀତି) ।
ସୂଚନାଯୋଗ୍ୟ ଯେ, ଯେଉଁ ବର୍ଷ ଉଭା ପଡିଥାଏ, ଉକ୍ତ ଦିନ ରଥଖଳାରୁ ତିନି ରଥ ଟଣାଯାଇ ସିଂହଦ୍ଵାରକୁ ଅଣାଯାଇଥାଏ। ସାଧାରଣତଃ ଉକ୍ତ ଦିନ ପ୍ରତ୍ୟୁଷ ୫ଟା ୩୦ମି ଠାରୁ ତତପର ଦିନ ଭୋର ୫ ଘଟିକା ମଧ୍ୟରେ ଏହି ନୀତି ଗୁଡିକ ସମାହିତ ହୋଇଥାଏ।
-
ଶ୍ରୀଗୁଣ୍ଡିଚା (ରଥଯାତ୍ରା) : ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ବେଶ ଶେଷ, ବଲ୍ଲଭ ଓ ସକାଳ ଧୂପ, ରଥ ପ୍ରତିଷ୍ଠା ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ, ପହଣ୍ଡି ଶେଷ, ମଦନମୋହନ, ରାମ , କୃଷ୍ଣ ବିଜେ, ଚିତା ଲାଗି, ଛେରା ପହଁରା, ଚାରମାଳ ଫିଟା ଓ ଘୋଡା଼ ସାରଥୀ ଲାଗିବା ଓ ରଥଟଣା ଆରମ୍ଭ ।
-
ସନ୍ଧ୍ୟା ଦର୍ଶନ : ଦ୍ଵାର ଫିଟା,ମଙ୍ଗଳ ଆଳତି , ମଇଲମ ଓ ତଡ଼ପ ଲାଗି, ଅବକାଶ,ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ବେଶ ଶେଷ, ଗୋପାଳ ବଲ୍ଲଭ, ସକାଳ ଧୂପ, , ଭୋଗ ମଣ୍ଡପ, ଯାତ୍ରାଙ୍ଗୀ ମହାସ୍ନାନ, ସର୍ବାଙ୍ଗ, ନୂଆଲାଗି ଲାଗି ବେଶ, ମଧ୍ୟାହ୍ନ ଧୂପ, ୨ୟ ଭୋଗ ମଣ୍ଡପ, ମଇଲମ ଓ ବେଶ, ପହୁଡ଼ ଆଳତି, ଶ୍ରୀମୁଖ ଖଣ୍ଟୁଆ, ବାହୁଟ କଣ୍ଟ, ଚାର ବନ୍ଧା, କୁସୁମି ଲାଗି, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ (କେବଳ କୋଠ ଭୋଗ), ୩ୟ ଭୋଗ ମଣ୍ଡପ, ରାହସକୁ ଦିଅଁ ବିଜେ, ମଇଲମ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ ସିଂହାର ଭୋଗ ।
-
ବାହୁଡା ଯାତ୍ରା :
ନବଯୌବନ ଦର୍ଶନ
ଦେବସ୍ନାନ ପୂର୍ଣ୍ଣିମା ରାତ୍ରରେ ସ୍ନାନ ବେଦୀରୁ ପହଣ୍ଡି ବିଜେରେ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନ କରିଥାନ୍ତି। ଅଣସର ତାଟି ସମ୍ମୁଖରେ ତିନୋଟି ପଟି ଚିତ୍ର ପ୍ରତିମା ରହିଥାଏ। ଏହି ପଟି ଠାକୁର ମଧ୍ୟରେ ବଳଭଦ୍ରଙ୍କ ବାଡ଼ରେବାସୁଦେବ, ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ଵରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅନ୍ତର୍ଭୁକ୍ତ। ପରମ୍ପରା ଅନୁଯାୟୀ ଏହି ପଟି ଦିଅଁ ଦଶାବତାର ଠାକୁର ରୂପେ ପରିଚିତ । ସୂଚନାଯୋଗ୍ୟ ଯେ, ବାସୁଦେବଙ୍କ ଚିତ୍ର ସମ୍ମୁଖରେ ଦୋଳଗୋବିନ୍ଦ, ରାମ ଓ ନୃସିଂହ ବିରାଜମାନ କରିଥିବା ବେଳେ ଭୁବନେଶ୍ଵରୀଙ୍କ ପାର୍ଶ୍ଵରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ନାରାୟଣଙ୍କ ଚିତ୍ର ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। କୁହାଯାଏ ଯେ, ଏହି ସମୟରେ ଠାକୁରମାନେ ଜ୍ଵର ରୋଗରେ ପୀଡି଼ତ ହୋଇଥାନ୍ତି। ଶ୍ରୀମନ୍ଦିରର ବୈଦ୍ୟ ସେବକମାନଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ପାଚକ (ମୋଦକ) ମହାପ୍ରଭୁଙ୍କୁ ଭୋଗ କରାଯିବା ପରେ ଜ୍ଵର ରୋଗ ଭଲ ହୋଇଥାଏ। ବାସ୍ତବିକ ଏହି ଅଣସର ସମୟରେ ପତି ମହାପାତ୍ର ଓ ଦଇତାପତି ସେବକମାନେ ଠାକୁରମାନଙ୍କର ଅତ୍ୟନ୍ତ ଗୋପନୀୟ ନୀତିରେ ଅଂଶଗ୍ରହଣ କରିଥାନ୍ତି। ଏହି ସମୟରେ ଅଣସର ପଣା, ଘଣାଲାଗି, ଖଳି ଲାଗି, ଚକା ଅପସର ଓ ଅନ୍ୟାନ୍ୟ ଗୁପ୍ତ ନୀତିମାନ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ପନ୍ଦର ଦିନର ଅନବସର ପରେ ନବଯୌବନ ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ମିଳିଥାଏ। ସେଦିନ ପ୍ରଭାତରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଇତ୍ୟାଦି୮ ନୀତି ବଢିବା ପରେ ଦଶାବତାର ପଟି ଦିଅଁମାନଙ୍କର ବାହୁଡା ବିଜେ ହୋଇଥାଏ। ତତ୍ପରେ କୋଠ ସୁଆଁସିଆମାନେ ଅଣସର ଗୃହ ତାଟି ଖୋଲିଥାନ୍ତି। ଠାକୁରମାନେ ଚକା ଉପରେ ବିରାଜମାନ କରିଥିବା ସମ୍ମୁଖସ୍ଥାନ ପାଣିରେ ଭଲ ଭାବରେ ଧୁଆଯିବା ପରେ ନବଯୌବନ ଦର୍ଶନ ନିମିତ୍ତ ପରିମାଣିକ ଟିକେଟ କିଣିଥିବା ଦର୍ଶନାର୍ଥୀମାନଙ୍କୁ ପ୍ରଥମେ ଜଗମୋହନ ଭିତରକୁ ଛଡା଼ ଯାଇଥାଏ। ପ୍ରାୟ ଏକ ଘଣ୍ଟା ଧରି ପରିମାଣିକ ଦର୍ଶନ ଚାଲିବା ପରେ ଜନସାଧାରଣଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ହୋଇଥାଏ। ଉକ୍ତ ଦିନ ଠାକୁରମାନଙ୍କର କେତେକ ବିଶେଷ ନୀତି ହୋଇଥାଏ।
ଶ୍ରୀଗୁଣ୍ଡିଚା
ଶ୍ରୀଗୁଣ୍ଡିଚାର ଠିକ ପୂର୍ବ ଦିନ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥଖଳାଠାରେ ଥିବା ତିନିରଥ ସୁସଜ୍ଜିତ ପୂର୍ବକ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ରଥଗୁଡି଼କ ଅପରାହ୍ନରେ ଟଣା ହୋଇ ସିଂହଦ୍ଵାରଠାରେ ରଖାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ରଥଖଳାର ପରମ୍ପରା ଅନୁଯାୟୀ ପ୍ରଥମେ ଜଗନ୍ନାଥ, ସୁଭଦ୍ରା ଓ ଶେଷରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ।
ନେତ୍ରୋତ୍ସବ ଦିନ ବିଳମ୍ବିତ ରାତ୍ରରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଶ୍ରୀବିଗ୍ରହମାନଙ୍କ କେତେକ ଗୁପ୍ତ ନୀତି ଯଥା ବାହୁଟକଣ୍ଟ, ସେନାପଟା, ଶୁକ୍ଳ ସଜ ଲାଗି ଇତ୍ୟାଦି କାର୍ଯ୍ୟ ଶେଷ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ଵାରପାଲ ପୂଜା, ବେଶ ଇତ୍ୟାଦି ନୀତି ଉକ୍ତ ଦିନର ପାଳିଆ ସେବକମାନଙ୍କ ଦ୍ଵାରା ସମାପିତ ହୋଇଥାଏ। ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ ( ଖେଚେଡି଼ ଭୋଗ) ପୂଜା ଅନୁଷ୍ଠିତ ହୋଇଥାଏ। ଅପରପକ୍ଷରେ ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ଵାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାଏ। ତତ୍ପରେ ଠାକୁରମାନଙ୍କ ମନମୁଗ୍ଧକର ପହଣ୍ଡି ନୀତି ଅନୁଷ୍ଠିତ ହେବା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାପର୍ଣ ନୀତି ବଢି଼ଥାଏ।
ପହଣ୍ଡି ସମୟରେ ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ବିଜେ ହୋଇଥାନ୍ତି। ଜଗମୋହନଠାରେ ଘଣ୍ଟ , ପକାଉଜ ଇତ୍ୟାଦି ବାଦ୍ୟ ବାଜିଥାଏ। ବିଭିନ୍ନ ମଠର ମଠାଧୀଶ, ବ୍ୟକ୍ତିବିଶେଷମାନେ ଚାମର, ଆଲଟ ସେବା କରିବା ସହିତ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ପହଣ୍ଡି ଦେଖିବା ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡି ଦର୍ଶନ ଟିକେଟ ବିକ୍ରୟ କରାଯାଇ ଦର୍ଶନାର୍ଥୀମାନଙ୍କୁ ମନ୍ଦିର ପରିସରକୁ ଆସିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଥାଏ। ଠାକୁରମାନେ ଜଗମୋହନର ସାତ ପାହଚ ଉପରେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା' ଶ୍ରୀମସ୍ତକରେ ଲଗାଯାଇଥାଏ। ପହଣ୍ଡି ସମୟରେ ବେହେରା ଖୁଣ୍ଟିଆ ମଣିମା ଡା଼କ ଦେଇଥାନ୍ତି। ସମଗ୍ର ବଡ଼ ଦେଉଳ ଓ ସିଂହଦ୍ଵାର ଅଞ୍ଚଳ ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଓ ଦେବ ଧ୍ଵନି ଶବ୍ଦରେ ପ୍ରକମ୍ପିତ ହୋଇଥାଏ। ଶ୍ରୀବିଗ୍ରହମାନେ ରଥାରୁଢ଼ ହେବାପରେ ପୁଷ୍ପାଳକ ମହାଜନମାନେ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଏବଂ ରାମ, କୃଷ୍ଣ ବିଗ୍ରହଙ୍କୁ ତାଳଧ୍ଵଜ ରଥ ଉପରେ ଅଧିଷ୍ଠିତ କରାଇଥାନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ଘସା (ତେଲିଙ୍ଗି) ଓ କାହାଳି ବାଦ୍ୟ ସହ ବଣିଆ ସେବକମାନଙ୍କ ଠାରୁ ସୋଲ ଚିତା ତିନୋଟି ଅଣାଯାଇ ସିଂହଦ୍ଵାର ସଂଲଗ୍ନ ଛାଉଣୀ ମଠରେ ରଖାଯାଇଥାଏ। ରଥ ଉପରେ ରୁନ୍ଧା, ଫୁଲମାଳ, ବେଶ, ଶୋଲ ଚିତା ଲାଗି ଇତ୍ୟାଦି ନୀତି ବଢିବା ସଙ୍ଗେ ସଙ୍ଗେଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥାନ୍ତି। ଏହା ପରେ ପାରମ୍ପାରିକ ନୀତିରେ ଗଜପତି ମହାରାଜାଙ୍କ ଦ୍ଵାରା ଛେରାପହଁରା ନୀତି ସମାହିତ ହୋଇଥାଏ। ଏଥି ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ନୀତି ପାଇଁ ଆବଶ୍ୟକ ଥିବା ଦୈନନ୍ଦିନ ସାଜ ବସ୍ତ୍ର ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଥିବା ସିନ୍ଦୁକକୁ କୋଠ ସୁଆଁସିଆ ସେବକମାନେ ରଥ ଉପରେ ଆଣି ରଖିଥାନ୍ତି। ଛେରା ପହଁରା ନୀତି ଶେଷ ହେବା ପରେ ରଥରେ ସାରଥୀଙ୍କୁ ଅଧିଷ୍ଠିତ କରାଯାଏ। ରଥରୁ ଚାରମାଳ ଖୋଲାଯିବା ପରେ ଘୋଡା଼ ବନ୍ଧାଯାଏ। ଏହି କାର୍ଯ୍ୟକ୍ରମ ସରିବା ପରେ ରଥରେ ଦଉଡି଼ ଲଗାଯାଇ ରଥଟଣା ହୋଇଥାଏ।
ପହଣ୍ଡି ବିଜେ
ପୁରୁଷୋତ୍ତମ କ୍ଷେତ୍ରରେ କେଉଁ ପ୍ରାଚୀନ କାଳରୁ ଶ୍ରୀବିଗ୍ରହମାନଙ୍କର ଏହି ପହଣ୍ଡି ବିଜୟ ହୋଇଛି, ତାହା ଏବେ ମଧ୍ୟ ଅଜ୍ଞାତ ରହିଛି । ପହଣ୍ଡି ଶବ୍ଦଟି ସଂସ୍କୃତରେ ପାଦହୁଣ୍ଡନ ବା ପାଦ ହୁଣ୍ଡ ଶବ୍ଦରୁ ସୃଷ୍ଟି। ପାହୁଣ୍ଡ ପାହୁଣ୍ଡ ହୋଇ ଚାଲିବାକୁ ବା ଆକ୍ଷରିକ ଅର୍ଥରେ ଗୋଟିଏ ଗୋଟିଏ ପାଦ ପକାଇ ଚାଲିବାକୁ ପହଣ୍ଡି କୁହାଯାଏ। କେତେକ ଗବେଷକଙ୍କ ମତରେ ଏହା ପାହୁଣ୍ଡ ଶବ୍ଦର ଅପଭ୍ରଂଶ । ସମ୍ଭବତଃ ସ୍ନାନ ଓ ରଥଯାତ୍ରାର ଆରମ୍ଭ କାଳରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇ ଆସୁଅଛି।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁଇଟି ମୂଖ୍ୟ ଯାତ୍ରା ଯଥା ସ୍ନାନ ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀବିଗ୍ରହମାନେ ପହଣ୍ଡି ବିଜେ କରିଥାନ୍ତି। ଏହି ଦୁଇ ଯାତ୍ରାରେ ସର୍ବ ମୋଟ ଛଅ ଥର ପହଣ୍ଡି ହୋଇଥାଏ। ତନ୍ମଧ୍ୟରୁ ୧- ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନରୁ ସ୍ନାନ ଯାତ୍ରା ପାଇଁ ଆନନ୍ଦ ବଜାରରେ ଥିବା ସ୍ନାନ ମଣ୍ଡପକୁ ବିଜେ, ୨- ସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ବିଳମ୍ବିତ ରାତ୍ରରେ ସ୍ନାନ ମଣ୍ଡପରୁ ଅଣସର ପିଣ୍ଡିକୁ ବିଜେ, ୩ - ଶ୍ରୀଗୁଣ୍ଡିଚା ଦିନ ଅଣସର ପିଣ୍ଡିରୁ ଶ୍ରୀମନ୍ଦିର ସିଂହଦ୍ଵାରଠାରେ ଥିବା ତିନି ରଥକୁ ବିଜେ, ୪ - ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥ ଉପରୁ ଗୁଣ୍ଡିଚା ଘର ସିଂହାସନକୁ ବିଜେ, ୫ - ବାହୁଡା଼ ଯାତ୍ରା ଦିନ ଗୁଣ୍ଡିଚା ଘର ଠାରୁ ତିନି ରଥକୁ ବାହୁଡା଼ ବିଜେ ଏବଂ ନୀଳାଦ୍ରି ବିଜୟ ଦିନ ସିଂହଦ୍ଵାରଠାରେ ଥିବା ତିନି ରଥ ଉପରୁ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନକୁ ବିଜେ କରିଥାନ୍ତି।
ମହାପ୍ରଭୁମାନଙ୍କର ଏହି ଛଅଗୋଟି ପହଣ୍ଡି ମଧ୍ୟରୁ ତିନି ଥର ଗୋଟି ପହଣ୍ଡି ଓ ତିନି ଥର ଧାଡି଼ ପହଣ୍ଡି ହୋଇଥାଏ। ଶ୍ରୀବିଗ୍ରହମାନଙ୍କ ସମସ୍ତ ବିଜେ ସମୟର ଧାଡି଼ ପହଣ୍ଡି ଓ ବାହୁଡା଼ ବିଜେଗୁଡିକ ସମୟରେ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ। ଗୋଟି ପହଣ୍ଡିରେ ଏକ ମୂର୍ତ୍ତି ଠାକୁର ବିଜେ ହୋଇ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥାଏ। କିନ୍ତୁନ୍ ଧାଡି଼ ପହଣ୍ଡିରେ ଠାକୁରମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କରନ୍ତି। ଶ୍ରୀବିଗ୍ରହମାନଙ୍କ ଏହି ପହଣ୍ଡି ବିଜେ ସମୟରେ ଓ ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ନୀତି ସମ୍ପନ୍ନ ହୋଇଥାଏ। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ରତ୍ନ ସିଂହାସନରେ ମହାପ୍ରଭୁମାନଙ୍କର କେବଳ ମଙ୍ଗଳାର୍ପଣ କରାଯାଇ ସର୍ବ ପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥାଏ। ତେଣୁ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି ଯେ -
ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରମ୍
ସୁଭଦ୍ରା ଚ ତତୋ ନୀତ୍ଵା ଜଗଦୀଶ ସୁରେଶ୍ଵରମ୍ ।
ସୁଦର୍ଶନ ଓ ସୁଭଦ୍ରା ଦଇତାପତିମାନଙ୍କ ହସ୍ତ ଓ ସ୍କନ୍ଧାବଲମ୍ବନ ପୂର୍ବକ ପହଣ୍ଡି ବିଜେ ହୋଇ ରଥାରୋହଣ କରିଥିବା ବେଳେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ପାଟ ଡୋରିରେ ବା ରଜ୍ଜୁ ଦ୍ଵାରା ଆକର୍ଷଣ କରି ଧିରେ ଧିରେ ପହଣ୍ଡି ବିଜେ କରାଇଥାନ୍ତି। ପହଣ୍ଡି ବିଜେ ପୂର୍ବରୁ ତିନି ବାଡ଼ରେ ଯଥାକ୍ରମେ ପୂଜାପଣ୍ଡା ଜଗନ୍ନାଥଙ୍କ ବାଡ଼ରେ, ମୁଦିରଥ ବଳଭଦ୍ରଙ୍କ ବାଡ଼ରେ ଓ ପତି ମହାପାତ୍ର ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି। ଗରାବଡୁ ସେବକ ମଙ୍ଗଳାର୍ପଣର ସମସ୍ତ ଜିନିଷମାନ ନୀତି ସମ୍ପୃକ୍ତ ସେବକଙ୍କ ହାତକୁ ବଢାଇଥାନ୍ତି। ମଙ୍ଗଳାର୍ପଣ ସମୟରେ ସୁଦ୍ଧ ସୁଆର ଓ ଭଣ୍ଡାର ମେକାପ ମଧ୍ୟ ସେଠାରେ ଉପସ୍ଥିତ ଥାଇ ଉକ୍ତ ନୀତିରେ ଅଂଶଗ୍ରହଣ କରିଥାନ୍ତି। ବାଡ଼ଗ୍ରାହୀ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥାନ୍ତି। ଶ୍ରୀଜୀଉମାନଙ୍କୁ ପାଟ ଅଗଣା, ଆନନ୍ଦ ବଜାର, ଭିତର ସିଂହଦ୍ଵାର, ବାଇଶିପାହାଚ, ସିଂହଦ୍ଵାର, ଗୁମୁଟି, ଅରୁଣସ୍ତମ୍ଭ ଦେଇ ରଥ ପର୍ଯ୍ୟନ୍ତ ନିଆଯାଇଥାଏ ।
ଶ୍ରୀବିଗ୍ରହମାନଙ୍କ ପବିତ୍ର ପହଣ୍ଡି ବିଜେ ସମୟରେ ପ୍ରଥମେ ବିଜେ କାହାଳି ବାଜିବା ପରେ ଘଣ୍ଟୁଆ , କାହାଳିଆ, ବଜନ୍ତରୀ, ଓଲାର, ଛତାର ପ୍ରମୁଖ ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ଆଦି ତାଳ ସହକାରେ ବଜେ । ଭକ୍ତ ତଥା ଦର୍ଶନାର୍ଥୀମାନେ ଏହି ସମୟରେ ପୁଷ୍ପବର୍ଷଣ କରିବା ସଙ୍ଗେ ସଙ୍ଗେ ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ଵନିରେ ସମଗ୍ର ପରିବେଶକୁ ଆନନ୍ଦିତ ମୁଖରିତ କରିଥାନ୍ତି। ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ଓ ଅନ୍ୟନ୍ୟ ସେବକମାନେ ଡୋରି ଧରିଥାନ୍ତି। ଛାମୁ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ସେବକ ପହଣ୍ଡି ତଥା ଠାକୁରମାନଙ୍କ ଆଗରେ ବେତ ଧରି ମଣିମା, ଶ୍ରୀଅଙ୍ଗକୁ ସାବଧାନ ବୋଲି ଉଚ୍ଚାରଣ କରି ଠାକୁରମାନଙ୍କ ଆଗେ ଆଗେ ଯୋଡି଼ ବେତ ବାଡେଇ ବାଡେଅ ଚାଲିଥାନ୍ତି। ଏହି ପବିତ୍ର ପହଣ୍ଡି ବିଜେରେ ଅଂଶଗ୍ରହଣ କରୁଥିବା ସେବକମାନେ କେତେକ ନିଷ୍ଠାପରତା ଅବଲମ୍ବନ କରିଥାନ୍ତି, ଯଥା ନିଶ ରଖିବେ ନାହିଁ, ଅଶୌଚ ହୋଇ କିମ୍ବା ସାର୍ଟ ପ୍ୟାଣ୍ଟ ପିନ୍ଧି ମହାପ୍ରଭୁଙ୍କ ପହଣ୍ଡି ନୀତିରେ ଅଂଶଗ୍ରହଣ କରିପାରିବେ ନାହିଁ । ଚତୁର୍ଦ୍ଧାମୂର୍ତ୍ତି ସାତ ପାହାଚ ଉପରକୁ ପରମ୍ପରା କ୍ରମେ ବିଜେ ହୋଇ ଆସିବା କ୍ଷଣି ରାଘବଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୋଲ, ଜରି, ତୁଳସୀ, ଫୁଲ ଓ ବାଉଁଶ ପାତିଆରେ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ଟାହିୟା ଠାକୁରମାନଙ୍କ ଶ୍ରୀମସ୍ତକରେ ଲାଗି କରାଯାଏ ଓ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କ ପକ୍ଷରୁ ପନ୍ତି ଭୋଗ ତଥା ଚାମର, ଆଲଟ ସେବା କରାଯାଏ। ଘଣ୍ଟୁଆ ସେବକମାନେ ତାଳରେ ଘଣ୍ଟବଜାଇବା ସହିତ ପଖାଉଜ ବାଦ୍ୟ ଓ ଆଗେ ଆଗେ ଗୋଟିପୁଅ ନୃତ୍ୟ ତଥା ଉପସ୍ଥିତ ଜନତାଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠେ।
ରଥଯାତ୍ରା ଦିନ ଠାକୁରମାନଙ୍କ ମଙ୍ଗଳ ଆଳତି , ଅବକାଶ, ଖେଚେଡି଼ ଭୋଗ (ସକାଳ ଧୂପ), ମଙ୍ଗଳାର୍ପଣ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ମହାପ୍ରଭୁମାନେ ଅଣସର ପିଣ୍ଡି ବା ଭିତର କାଠ ନିକଟରେ ଚକା ଉପରେ ଉପବେଶନ କରିଥାନ୍ତି। ପହଣ୍ଡି ବିଜେ ସମୟରେ ଭିତର ବେଢା଼ ଓ ଆନନ୍ଦ ବଜାର ମଧ୍ୟ ଦେଇ ବାଇଶି ପାହାଚ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ କେତେକ ନିର୍ଦ୍ଦିଷ୍ଟ ମଠ, ସେବାୟତ ଓ ନିଯୋଗମାନଙ୍କ ପକ୍ଷରୁ ପଣା ଓ ପନ୍ତୀ ଭୋଗ ଇତ୍ୟାଦି କରାଯାଇଥାଏ। ସୁଦର୍ଶନ, ସୁଭଦ୍ରା, ବଳଭଦ୍ର ଓ ଜଗନ୍ନାଥ ଯଥାକ୍ରମେ ଦେବଦଳନ, ତାଳଧ୍ଵଜ, ନନ୍ଦିଘୋଷ ରଥ ଉପରେ ଅଧିଷ୍ଠିତ ହୋଇଥାନ୍ତି। ପହଣ୍ଡି ଶେଷ ହେବାପରେ ପୁଷ୍ପାଳକ ମହାଜନମାନେ ମଦନମୋହନଙ୍କୁ ଜଗନ୍ନାଥ ରଥରେ ଓ ରାମକୃଷ୍ଣ ବିଗ୍ରହ ଦ୍ଵୟଙ୍କୁ ବଳଭଦ୍ରଙ୍କ ରଥରେ ବିଜେ କରାଇଥାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଠାକୁରମାନଙ୍କ ନୀଳାଦ୍ରି ବିଜେରେ ଶ୍ରୀମନ୍ଦିରକୁ ଓ ଗୁଣ୍ଡିଚା ଘରକୁ ପହଣ୍ଡି ବିଜେ କରିବା ପୂର୍ବରୁ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ବିଜେ କରାଯାଏ। ରଥ ଉପରୁ ପହଣ୍ଡି ବିଜେ କରିବା ପୂର୍ବରୁ ରଥ ଉପରେ ଠାକୁରମାନଙ୍କ କେତେକ ବିଶେଷ ନୀତି ମୁଦିରସ୍ତ, ପତିମହାପାତ୍ର ସେବକମାନଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ। ବହୁଡା ବିଜେ ସମୟରେ ପତି ମହାପାତ୍ର ସେବକଙ୍କ ଦ୍ଵାରା ଶ୍ରୀବିଗ୍ରହମାନଙ୍କୁ ଘଷା, ଧଣ୍ଡି, ବିଡି଼ଆ ଆଦି ଅର୍ପଣ କରାଯାଏ। ଏତଦବ୍ୟତୀତ ବାହୁଡା଼ ଦିନ ଗୁଣ୍ଡିଚା ମନ୍ଦିରରେ ଠାକୁରମାନେ ପହଣ୍ଡି ବିଜେରେ ଭିତର ବେଢାରେ ପହଞ୍ଚିବା ପରେ ମୁକ୍ତି ମଣ୍ଡପ ପକ୍ଷରୁ ଏକ ପନ୍ତି ଭୋଗ ହୋଇଥାଏ ଓ ରାଘବ ଦାସ ମଠ ପ୍ରଦତ୍ତ ଫୁଲ ଟାହିୟା ଲାଗି ହୋଇଥାଏ। ମହାପ୍ରଭୁମାନଙ୍କ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିରର କୋଠ ସୁଆଁସିଆ ସେବକମାନେ ଗୁଣ୍ଡିଚା ମନ୍ଦିର ରତ୍ନ ସିଂହାସନ ଏବଂ ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନଠାରେ ଚାରମାଳ ବାନ୍ଧିଥାନ୍ତି। ସିଂହସନରୁ ନେହି ଚାରମାଳ ଉପରେ ଠାକୁରମାନେ ଧିରେ ଧିରେ ପହଣ୍ଡି ବିଜେ କରିଥାନ୍ତି। ଏଠାରେ ମଧ୍ୟ ପତିମହାପାତ୍ର ଓ ମୁଦିରଥ ସେବକଙ୍କ ସ୍ଵତନ୍ତ୍ର ନୀତିର ଆବଶ୍ୟକ ପଡିଥାଏ। ଦଇତାପତି, ପୂଜପଣ୍ଡା, ମହାସୁଆର, ପ୍ରତିହାରୀ ପ୍ରମୁଖ ସେବକମାନେ ମୁଖ୍ୟ ବିଗ୍ରହଙ୍କ ସ୍କନ୍ଧ, ଶ୍ରୀମସ୍ତକ, ଶ୍ରୀଭୂଜ ତଳେ ରହିବା ସଙ୍ଗେ ସଙ୍ଗେ ପାଟ ଡୋରିରେ ଆଗ ଓ ପଛରେ ରହି ଧିରେ ଧିରେ ପହଣ୍ଦି ବିଜେ କରିଥାନ୍ତି। କିନ୍ତୁ ସୁଦର୍ଶନ ଓ ସୁଭଦ୍ରା ଦେବୀଙ୍କୁ ଦଇତାପତି ସେବକମାନେ ହସ୍ତ ଓ ସ୍କନ୍ଧରେ ବହନକରି ବିଜେ କରାଇଥାନ୍ତି। ପହଣ୍ଡି ବିଜେ ପୂର୍ବରୁ ଚାରିବାଡ଼ର ବାଡ଼ଗ୍ରାହୀ ଦଇତା ସେବକମାନେ ଉପସ୍ଥିତ ହୋଇଥାନ୍ତି ଓ ପହଣ୍ଡି ସହ ତତପୂର୍ବ ନୀତିରେ ଅଂଶଗ୍ରହଣ କରିଥାନ୍ତି।
ଶ୍ରୀବିଗ୍ରହମାନଙ୍କ ଏହି ପହଣ୍ଡି ବିଜେରୁ ଉତ୍କଳୀୟ ସଂସ୍କୃତିର ମହାନତାର ପରିଚୟ ମିଳେ। ତାହା ଯେପରି ବିଶେଷତ୍ଵପୂର୍ଣ୍ଣ ସେପରି ଭାବଦ୍ୟୋତକ । ଏପରିକି ଅତୀତରେ ବହୁ ଭକ୍ତ, କବିଗଣ ଠାକୁରର ଏହି ପବିତ୍ର ପହଣ୍ଡି ଦର୍ଶନ ପୂର୍ବକ ଭାବ ବିହ୍ଵଳିତ ହୋଇ ଅନେକ ଜଣାଣ,ଭଜନ, ସ୍ତୋତ୍ର ଇତ୍ୟାଦି ରଚନା କରି ନିଜକୁ ପ୍ରଭୁପାଦ ତଳେ ସମର୍ପି ଦେଇଛନ୍ତି।