top of page

କାହାର ଦୋଷ?

ଅନେକ ଦିନ ତଳର କଥା । ‘ବାରଣାସୀ’ ପ୍ରତାପ ମୁକୁଟ ନାମକ ଜଣେ ରାଜାଙ୍କ ଦ୍ୱାରା ଶାସିତ ହେଉଥାଏ । ପ୍ରତାପମୁକୁଟଙ୍କର ଜଣେ ପତ୍ନୀ ଓ ଗୋଟିଏ ପୁତ୍ର ଥାଆନ୍ତି । ପୁତ୍ରର ନାମ ହେଉଛି ବଜ୍ର ମୁକୁଟ ।

        ବଜ୍ରମୁକୁଟଙ୍କର ନିଜ ରାଜ୍ୟର ମନ୍ତ୍ରୀଙ୍କ ପୁତ୍ର ରତ୍ନରାଜଙ୍କ ସହିତ ସୁସମ୍ପର୍କ ଥାଏ । ଅନ୍ୟ ଭାଷାରେ କହିବାକୁ ଗଲେ ସେମାନେ ବାଲ୍ୟକାଳରୁ ସାଙ୍ଗ ଥିଲେ । ସେମାନେ ଦୁଇଜଣ କେବଳ ସାଙ୍ଗ ନଥିଲେ । ଯେଉଁଠି ରହୁଥିଲେ ଏକା ସାଙ୍ଗରେ । କେବଳ ସେତିକି ନୁହେଁ ଖାଇବା- ପିଇବା ମଧ୍ୟ ଏକ ସାଙ୍ଗରେ କରୁଥିଲେ ।

        ଦିନେ ଦୁଇ ସାଙ୍ଗ ଶିକାର କରିବାକୁ ଯିବାକୁ ବାହାରିଲେ । ଜଙ୍ଗଲ ମଧ୍ୟରେ ପ୍ରଥମେ ରାଜକୁମାରଙ୍କୁ ଗୋଟିଏ ହରିଣ ଦେଖା ଦେଲା । ହରିଣଟିକୁ ଦେଖି ରାଜକୁମାର ତାଙ୍କର ଘୋଡାକୁ ତାରି ପଛେ ପଛେ ଦୌଡାଇଲେ ।

        ମନ୍ତ୍ରୀ ପୁତ୍ର ପଛରେ ରହିଗଲେ ।

        ହରିଣର ପଛରେ ଦୌଡି ଦୌଡି ରାଜକୁମାର କେତେ ଦୂର ଚାଲି ଆସିଥିଲେ ଯେ ସେ ନିଜେ ମଧ୍ୟ ତାହା ଜାଣି ପାରିନଥିଲେ ।

        ଘୋଡାଟି ଦୌଡି ଦୌଡି ଏକ ଉଦ୍ୟାନ ନିକଟରେ ଥକି ପଡି ଜୋର୍ରେ ନିଃଶ୍ୱାସ ମାରିବାରୁ ରାଜକୁମାର ଚମ୍କି ପଡିଲେ । ହଠାତ୍ କେଉଁ ସ୍ଥାନରେ ଆସି ପହଁଚିଗଲେ ସେ ନିଜେ ମଧ୍ୟ ଜାଣିପାରୁନଥାନ୍ତି । ହରିଣଟି ମଧ୍ୟ କେଉଁଠାରେ ତାଙ୍କୁ ଦେଖା ଯାଉନଥିଲା ।

        ଏହାପରେ ରାଜକୁମାର ଘୋଡାଟିକୁ ଏକ ବୃକ୍ଷରେ ବାନ୍ଧିଦେଇ ବୃକ୍ଷ ଛାୟାରେ କିଛି ସମୟ ବିଶ୍ରାମ ନେଲେ ।

        କିଛି ସମୟ ପରେ ହଠାତ୍ ଜଣେ ପୁରୁଷ ବ୍ୟକ୍ତିର କଣ୍ଠସ୍ୱର ରାଜକୁମାର ଶୁଣିବାକୁ ପାଇଲେ- “ଏ! ତୁମେ କିଏ? ବିନା ଆଜ୍ଞାରେ ତୁମେ ଏହି ଉଦ୍ୟାନରେ ପଶିବାକୁ ସାହସ କଲ କିପରି? ତୁମେ ଯେ କେହି ହୁଅ ପଛେ ତୁରନ୍ତ ଏହି ସ୍ଥାନ ଛାଡି ଚାଲିଯାଅ । ରାଜକୁମାରୀ ସଂନ୍ଧ୍ୟା ପୂଜା କରିବାପାଇଁ ଏଠାକୁ ଆସିବେ । ସେ ତୁମକୁ ଦେଖିବା ମାତ୍ରେ ଯଦି ବିରକ୍ତ ହୋଇଯିବେ, ତା’ହେଲେ ତୁମ ସହିତ ମୋର ଅବସ୍ଥା ମଧ୍ୟ ଖରାପ ହୋଇଯିବ ।”

        ରାଜକୁମାର କହିଲେ- “ଭାଇ! ତୁମେ ବ୍ୟସ୍ତ ହୁଅ ନାହିଁ । ରାଜକୁମାରୀ ଆସିବା ପୂର୍ବରୁ ମୁଁ ଏଠାରୁ ଚାଲିଯାଉଛି ।” ରାଜକୁମାରଙ୍କୁ ଯିଏ ଏହି କଥା କହୁଥିଲା ବାସ୍ତବରେ ସେ ସେହି ଉଦ୍ୟାନର ମାଳୀ ଥିଲା । ଏତିକି କହି ଉଦ୍ୟାନ ରକ୍ଷକ ନିଶ୍ଚିନ୍ତରେ ସେଠାରୁ ଚାଲିଗଲା ।

        ରାଜକୁମାର ମଧ୍ୟ ଉଠିପଡି ଘୋଡା ଫିଟାଇଲେ । ବେତାଳ କହିଲା- “ମହାରାଜ ! ଦେଖନ୍ତୁ, ଏପରି ଯୋଗ ଯେ ରାଜକୁମାରୀ ଠିକ୍ ଏହି ସମୟରେ ପୂଜା କରିବାପାଇଁ ଆସି ସେଠାରେ ପହଁଚିଗଲେ ।

        ରାଜକୁମାରୀଙ୍କୁ ଦେଖିବା ମାତ୍ରକେ ରାଜକୁମାର ସେମିତି ଠିଆ ହୋଇଗଲେ । ରାଜକୁମାରୀ ମଧ୍ୟ ସେମିତି ରାଜକୁମାରଙ୍କୁ ଚାହିଁ ରହିଥାଆନ୍ତି । ଏହାପରେ ରାଜକୁମାରୀ କିଛି ନକହି ସଖୀମାନଙ୍କ ସହିତ ମନ୍ଦିରକୁ ଚାଲିଗଲେ । ମନ୍ଦିରରେ ପୂଜା ସାରି ଫେରିବାପରେ ମଧ୍ୟ ରାଜକୁମାର ସେହି ସ୍ଥାନରେ ସେମିତି ଠିଆ ହୋଇ ରହିଥାଆନ୍ତି ।

ଏହାପରେ ରାଜକୁମାରୀ ରାଜକୁମାରଙ୍କ ଆଡକୁ ଚାହିଁ ଏକ ସଙ୍କେତ ଦେଲେ । ମୁଣ୍ଡରେ ମାରିଥିବା ପଦ୍ମ ଫୁଲଟିକୁ ହାତରେ ଆଣି କାନରେ ଛୁଇଁଲେ । ଏହାପରେ ଦାନ୍ତରେ ଛିଣ୍ଡାଇ ପାଦତଳେ ରଖିଲେ । ଏହାପରେ ଏହାକୁ ଉଠାଇ ଆଣି ହୃଦୟ ପାଖରେ ରଖିଲେ ।

        ଏହିପରି କାର୍ଯ୍ୟ କରିସାରିବା ପରେ ରାଜକୁମାରୀ ସଖୀମାନଙ୍କ ସହିତ ଚାଲିଗଲେ ।

        ରାଜକୁମାରୀଙ୍କର ଏପରି କାର୍ଯ୍ୟ ଦେଖି ରାଜକୁମାର କିଛି ବୁଝିପାରିଲେ ନାହିଁ । ରାଜକୁମାରୀଙ୍କ ରୂପ ହିଁ କେବଳ ତାଙ୍କ ଆଖି ଆଗରେ ଦେଖାଯାଉଥାଏ । ଯେତେ ଚେଷ୍ଟା କଲେ ମଧ୍ୟ ଭୁଲିବାକୁ ସେ ତାଙ୍କୁ ଭୁଲି ପାରୁନଥାନ୍ତି । ଏହାପରେ ଉଦାସ ମନରେ ରାଜକୁମାର ପୁଣି ସେହି ଗଛ ମୂଳରେ ବସି ପଡିଲେ ।

        କିଛି ସମୟ ପରେ ମନ୍ତ୍ରୀ ପୁଅ ରତ୍ନରାଜ ତାଙ୍କୁ ଖୋଜି ଖୋଜି ସେଠାରେ ଆସି ପହଁଚିଲେ ।

        ରାଜକୁମାର ସଂଗେ ସଂଗେ ନିଜର ମନ କଥା ରତ୍ନରାଜଙ୍କ ଆଗରେ ପ୍ରକାଶ କଲେ । କିନ୍ତୁ ରାଜକୁମାରୀଙ୍କ ସଙ୍କେତ ରାଜକୁମାର ବୁଝି ପାରିନଥାନ୍ତି । ରାଜକୁମାରଙ୍କ କଥା ଶୁଣି ରତ୍ନରାଜ କହିଲେ- “ବନ୍ଧୁ ! ଏହି ପ୍ରକାର ସଙ୍କେତ ମାଧ୍ୟମରେ ସେ ତା’ର ପରିଚୟ ଦେବା ସଂଗେ ସଂଗେ ତା’ର ମନର କଥା ମଧ୍ୟ ତୁମ ନିକଟରେ ପ୍ରକାଶ କରିସାରିଛି ।”

        ରତ୍ନରାଜଙ୍କ କଥା ଶୁଣି ବ୍ରଜ ମୁକୁଟ ବ୍ୟସ୍ତ ହୋଇ କହିଲେ “ବନ୍ଧୁ! ତୁମେ ଏତେ କଥା କେମିତି ଜାଣିଲ? ଦୟା କରି ମୋତେ ସବୁକଥା ଖୋଲି କୁହ?”

        ରତ୍ନରାଜ କହିଲେ- “ଶୁଣ ବନ୍ଧୁ! ପ୍ରଥମେ ସେ ତାର ଖୋସାରୁ ପଦ୍ମ ଫୁଲ ଆଣି କାନ ପାଖରେ ଛୁଆଁଇଲାର ଅର୍ଥ ହେଉଛି ସେ କର୍ଣ୍ଣାଟକ ରାଜ୍ୟରେ ବାସ କରୁଅଛି । ଏହାପରେ ସେ ଫୁଲଟିକୁ ଦାନ୍ତରେ ଛିଣ୍ଡାଇ ପାଦତଳେ ରଖିବା ଅର୍ଥ ସେ ରାଜା ଦନ୍ତପାଦଙ୍କର କନ୍ୟା । ପାଦତଳେ ଏହାକୁ ମକ୍ଚି ଦେବା ଅର୍ଥ ତାର ନାମ ‘ପଦ୍ମାବତୀ’ । ଫୁଲକୁ ହୃଦୟରେ ଛୁଆଁଇବା ଅର୍ଥ ସେ ମଧ୍ୟ ତୁମକୁ ପ୍ରାଣଭରି ଭଲପାଏ ।”

        ରତ୍ନରାଜଙ୍କ କଥା ଶୁଣି ବଜ୍ରମୁକୁଟଙ୍କ ଖୁସିର ସୀମା ରହିଲା ନାହିଁ । ସେ କହିଲେ-“ବନ୍ଧୁ ! ତା’ହେଲେ ଆମକୁ ତୁରନ୍ତ କର୍ଣ୍ଣାଟକ ରାଜ୍ୟର ରାଜଧାନୀରେ ପହଁଚିବାକୁ ହେବ ।”

        ଏହାପରେ ଦୁଇ ବନ୍ଧୁ ଚାଲିଲେ । କିଛି ସମୟ ପରେ ସେମାନେ କର୍ଣ୍ଣାଟକ ରାଜ୍ୟର ରାଜଧାନୀରେ ଆସି ପହଁଚିଗଲେ । ସେଠାରେ ପହଁଚି ସେମାନେ ଜାଣିବାକୁ ପାଇଲେ ଯେ ଜଣେ ବୁଢୀ ମାଲ୍ୟାଣୀ ଯିଏକି ରାଜକୁମାରୀଙ୍କୁ ପିଲାଟି ଦିନରୁ ଦେଖାଶୁଣା କରିଆସୁଛନ୍ତି । ସେ ପ୍ରତିଦିନ ରାଜକୁମାରୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ତାଙ୍କ ପାଖକୁ ଯାଏ ।

        ଦୁଇ ବନ୍ଧୁ ସେହି ମାଲ୍ୟାଣୀ ବୁଢୀକୁ ଖୋଜି ଖୋଜି ଯାଇ ତା’ ପାଖରେ ପହଁଚିଲେ । ତା’ର ଘର କବାଟ ଠକ୍ ଠକ୍ କରିବାରୁ ବୁଢୀ ନିଜେ ଆସି କବାଟ ଖୋଲିଲା । ସାମ୍ନାରେ ଦୁଇ ଜଣ ଯୁବକଙ୍କୁ ଦେଖି ପଚାରିଲା- “ତୁମ୍ଭେମାନେ କିଏ? ମୋ ପାଖରେ ତୁମର କ’ଣ କାମ ଅଛି?”

        ଯୁବକ ଦୁଇଜଣ କହିଲେ- “ମା! ଆମେ ଦୁଇଜଣ ପଡୋଶୀ ରାଜ୍ୟରୁ ଆସିଅଛୁ । ‘ଦନ୍ତପାଦ’ ଙ୍କର ନଗରୀ ଦେଖିବାପାଇଁ ଆମର ଇଚ୍ଛା । ତେଣୁ ଆମେ ଆପଣଙ୍କ ନିକଟରେ ଦୁଇ ତିନି ଦିନ ରହିବା ପାଇଁ ଚାହୁଁଛୁ ।

        ଯୁବକ ଦୁହିଁଙ୍କ କଥା ଶୁଣି ବୁଢୀଟି କହିଲା- ‘ରହିବାପାଇଁ ତ’ କେତେ ଧର୍ମଶାଳା ଅଛି । ତୁମ୍ଭେମାନେ ସେଠାରେ ନ ରହି ଏଠାରେ ରହିବାକୁ କାହିଁକି ଚାହୁଁଛ?

        ମନ୍ତ୍ରୀ ପୁତ୍ର ତ’ ଚତୁର ଥିଲା । ସେ ସଂଗେ ସଂଗେ କହିଲା- “ମା! ଆମ୍ଭମାନଙ୍କର ରାଜାଙ୍କ ଘର ସହିତ ସମ୍ବନ୍ଧ ଅଛି । ଆମ ପାଖରେ ମଧ୍ୟ କୌଣସି ଜିନିଷର ଅଭାବ ନାହିଁ । ଯେ କୌଣସି ସାର୍ବଜନୀନ ସ୍ଥାନରେ ରହିବା ଆମକୁ ଶୋଭା ଦେବ ନାହିଁ ।”

        ମନ୍ତ୍ରୀ ପୁତ୍ରର କଥା ଶୁଣି ମାଲ୍ୟାଣୀ ବୁଢୀଟି କହିଲା- ଯଦି ଏପରି କଥା, ତା’ହେଲେ ତୁମେମାନେ ମୋ ପାଖରେ ରହିଯାଅ । ମୁଁ ତ’ ଏତେ ବଡ ଘରେ ଏକାକୀ ରହୁଛି । କେହି ମଧ୍ୟ ଚାକର ବାକର ମୋର ନାହାଁନ୍ତି । ଏଥିପାଇଁ ନିଜ ନିଜର ନିତ୍ୟକର୍ମଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ତୁମକୁ ନିଜ ହାତରେ କରିବାକୁ ପଡିବ ।

        ମା! ଆମ୍ଭେମାନେ ତୁମ କଥାରେ ରାଜି ।

 ଏହିପରି ରାଜାପୁଅ ଓ ମନ୍ତ୍ରୀପୁଅ ବୁଢୀ ମାଲ୍ୟାଣୀ ଘରେ ରହିଲେ । ମାଲ୍ୟାଣୀ ବୁଢୀ ତ’ ଦିନକରେ ଥରେ ମାତ୍ର ରାଜକୁମାରୀଙ୍କ ପାଖକୁ ଯାଏ ।

        ଦିନେ ମନ୍ତ୍ରୀପୁଅ ବୁଢୀକୁ ଖୁସି ମନରେ ରାଜକୁମାରୀ ପାଖରୁ ଫେରୁଥିବାର ଦେଖି କହିଲା- “ମା’! ଆପଣ ଆମର ଏକ କାମ କରିପାରିବେ କି?”

        ବୁଢୀ କହିଲା- “କି କାମ”?

        “ଆପଣ ଆମର ଏକ ସନ୍ଦେଶ ରାଜକୁମାରୀଙ୍କ ପାଖରେ ପହଁଚାଇ ପାରିବେ ।”

        ମନ୍ତ୍ରୀପୁଅର କଥା ଶୁଣି ବୁଢୀ ଆଶ୍ଚର୍ଯ୍ୟ ହୋଇଗଲା । ମନ୍ତ୍ରୀପୁଅକୁ ପଚାରିଲା- ‘କି ସନ୍ଦେଶ?’

        ଆପଣ ରାଜକୁମାରୀଙ୍କୁ କେବଳ ଏତିକି କହିବେ ଯେ, “ମନ୍ଦିରକୁ ପୂଜା କରିବାପାଇଁ ଯିବା ସମୟରେ ଯାହାଙ୍କୁ ଦେଖିଥିଲ ସେ ଏଠାରେ ଆସି ପହଁଚିଛନ୍ତି ।”

        ବୁଢୀ କହିଲା- “ପୁଅରେ! ରାଜକୁମାରୀ ଏ କଥା ଶୁଣିବା ପରେ ଯଦି ରାଗିଯାଆନ୍ତି……..?”

        “ନା ମା’ ଏମିତି କିଛି ହେବ ନାହିଁ ।”

        ଏହିପରି ବୁଢୀକୁ କହିବୋଲି ମନ୍ତ୍ରୀପୁଅ ରାଜି କରାଇ ଦେଲା । ଏହାପରେ ବୁଢୀ ଚାଲିଗଲା । କିଛି ସମୟ ପରେ ଯେତେବେଳେ ଫେରିଆସିଲା ସେ ମନ ଦୁଃଖରେ ଆସୁଥିବା ପରି ଜଣାପଡୁଥିଲା । ମନ୍ତ୍ରୀପୁଅକୁ କହିଲା- “ବାପାରେ! ତୁ ତ’ କହୁଥିଲୁ କିଛି ହେବ ନାହିଁ । ମୋର ଯାହା ହେଲା ମୁଁ ଜାଣିଛି । କେଜାଣି କାଲି ରାଜା ମୋର ଅବସ୍ଥା କ’ଣ କରିବେ ।”

        ବୁଢୀର କଥା ଶୁଣି ମନ୍ତ୍ରୀପୁଅ ପଚାରିଲା- “ମା! କ’ଣ ହେଲା ମୋତେ ସବୁ କଥା ଖୋଲିକରି କୁହ ।”

        ବୁଢୀ କହିଲା- “ମୁଁ ଯେତେବେଳେ ଯାଇ ତୁମେ କହିଥିବା କଥା ରାଜକୁମାରୀଙ୍କୁ ଜଣାଇଲି ସେ ହାତରେ ଚନ୍ଦନ ଲଗାଇ ମୋର ଦୁଇ ଗାଲରେ ମାରିଦେଲେ ଏବଂ ମୋତେ ବାହାର କରିଦେଲେ ।”

        ଏକଥା ଶୁଣି ରାଜକୁମାର ମନେ ମନେ ଖୁବ୍ ଦୁଃଖ କଲେ କିନ୍ତୁ ମନ୍ତ୍ରୀପୁଅ ସବୁ କିଛି ବୁଝିପାରି ହସି ଉଠିଲେ । ମନ୍ତ୍ରୀପୁଅର ହସିବାର ଦେଖି ରାଜକୁମାର କହିଲେ- “ତୁମେ ମୋର ଦୁଃଖ ଦେଖି ହସୁଛ”? ମନ୍ତ୍ରୀପୁଅ କହିଲା-“ବନ୍ଧୁ! ତୁମେ ବେକାରଟାରେ ଦୁଃଖି ହେଉଛ । ଆରେ ମା’ ତୁମେ ମଧ୍ୟ ଚିନ୍ତା କରନାହିଁ । ରାଜକୁମାରୀଙ୍କର ଏପରି ଆଚରଣ ମଧ୍ୟରେ କିଛି ବାର୍ତା ନିହିତ ଅଛି ।

        ମନ୍ତ୍ରୀପୁଅର କଥା ଶୁଣି ରାଜକୁମାର ଓ ମାଲ୍ୟାଣୀ ବୁଢୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ । ମନ୍ତ୍ରୀପୁଅ କହିଲା-“ବନ୍ଧୁ! ରାଜକୁମାରୀ ବାର୍ତା ପଠାଇଛନ୍ତି ଯେ ପୂର୍ଣ୍ଣିମାର ପାଂଚଦିନ ପରେ ମୋ ପାଖକୁ ଖବର ଦେବ ।”

        ତହିଁ ଆରଦିନ ବୁଢୀ ଡରି ଡରି ରାଜକୁମାରୀଙ୍କ ପାଖକୁ ଗଲାପରେ ରାଜକୁମାରୀ ତାଙ୍କ ପ୍ରତି ମଧୁର ବ୍ୟବହାର କଲେ । ରାଜକୁମାରୀଙ୍କର ଏପରି ବ୍ୟବହାର ଦେଖି ବୁଢୀ ବିଶ୍ୱାସ କଲା ଯେ ସତରେ ରାଜକୁମାରୀ ଏପରି ସଙ୍କେତ ମାଧ୍ୟମରେ ସନ୍ଦେଶ ପ୍ରେରଣ କରିଥିଲେ ।

        ପାଂଚଦିନ ବିତିଗଲା । ଷଷ୍ଠଦିନ ଯେତେବେଳେ ବୁଢୀଟି ରାଜକୁମାରୀଙ୍କ ପାଖକୁ ଗଲା, ରାଜକୁମାରୀ ତା’ର ଗାଲ ଉପରେ ସ୍ୟାହି ହାତରେ ଲଗାଇ ଅଧା ଚାପୁଡା ମାରି ପଶ୍ଚିମ ପଟ ଦ୍ୱାର ଦେଇ ବାହାର କରିଦେଲେ ।

        ବୁଢୀଠାରୁ ଏପରି କଥା ଶୁଣିବାପରେ ମନ୍ତ୍ରୀପୁଅ ସବୁ କିଛି ବୁଝିପାରି କହିଲା- “ଆଜି ଠିକ୍ ରାତି ଅଧରେ ରାଜ ମହଲର ପଶ୍ଚିମ ଦ୍ୱାର ପାଖରେ ରାଜକୁମାରୀ ତୁମର ପ୍ରତୀକ୍ଷା କରିବେ ।

        ଏକଥା ଶୁଣି ରାଜକୁମାର ଖୁବ୍ ଖୁସି ହୋଇ ଉଠିଲେ । କେମିତି ରାଜକୁମାରୀଙ୍କ ସହିତ ତାଙ୍କର ସାକ୍ଷାତ ହେବ ସେ କଥା ସେ ଖାଲି ଭାବୁଥାଆନ୍ତି । ଯେମିତି ଅଧାରାତି ହୋଇଛି ରାଜକୁମାର ଯାଇ ରାଜପ୍ରାସାଦର ପଶ୍ଚିମ ଦ୍ୱାର ନିକଟରେ ପହଁଚିଲେ । ରାଜକୁମାରୀ ଯେମିତି ରାଜକୁମାରଙ୍କୁ ଦେଖିଛନ୍ତି ସଂଗେ ସଂଗେ ତାଙ୍କୁ କକ୍ଷ ଭିତରକୁ ନେଇଗଲେ ।

        କିନ୍ତୁ ପରଦିନ ରାଜକୁମାର ଉଦାସ ମନରେ ଘରକୁ ଫେରିବାର ଦେଖି ମନ୍ତ୍ରୀପୁଅ ପଚାରିଲେ- ‘କ’ଣ ବନ୍ଧୁ!’ ପ୍ରେମିକା ପାଖରୁ ଫେରିବା ପରେ ତୁମେ ଖୁସି ହେବା କଥା । କିନ୍ତୁ ତୁମେ ଏତେ ଦୁଃଖି ଲାଗୁଛ କାହିଁକି? ରାଜକୁମାର କହିଲେ- “ବନ୍ଧୁ! ରାଜକୁମାରୀ ମୋତେ ପ୍ରାଣ ଭରି ଭଲ ପାଆନ୍ତି । ହେଲେ ମୋ ସହିତ ତାଙ୍କର ବିବାହ ହୋଇ ପାରିବ ନାହିଁ । କାରଣ ତାଙ୍କର ପିତା ଅନ୍ୟ ଜଣକ ସହିତ ତାଙ୍କର ବିବାହ ସ୍ଥିର କରିସାରିଛନ୍ତି ।”

        “ଆଚ୍ଛା! ତା’ହେଲେ ଏଇ କଥା ।” ରତ୍ନରାଜ କିଛି ସମୟ ଚିନ୍ତା କଲେ ଏବଂ କହିଲେ- “ମୁଁ ଯାହା ହେଲେ ମଧ୍ୟ ତୁମ ସହିତ ରାଜକୁମାରୀଙ୍କର ବିବାହ ଯେକୌଣସି ମତେ କରାଇବି । ପ୍ରଥମେ ତୁମେ କୁହ ସେ ତୁମକୁ ପୁଣି କେଉଁ ଦିନ ଦେଖା କରିବାକୁ ଚାହୁଁଛନ୍ତି?”

        “ଆସନ୍ତା କାଲି ।”

        “ଠିକ୍ ଅଛି, କାଲି ଯିବା ସମୟରେ ମୁଁ ତୁମକୁ ଯାହା କହିବି ତୁମେ କରିବ ।”

 ରାଜକୁମାରଙ୍କର ବନ୍ଧୁ ରାତି ସାରା ଏ ବିଷୟରେ ଚିନ୍ତା କରୁଥାଆନ୍ତି । ଏଣେ ଏପଟେ ରାଜକୁମାରଙ୍କ ଆଖିକୁ ମଧ୍ୟ ନିଦ ଆସୁନଥାଏ । ରାତି ପାହିଲା, ସକାଳ ହେଲା । ରାଜକୁମାରୀଙ୍କ କଥା ଅନୁସାରେ ସୂର୍ଯ୍ୟ ଅସ୍ତ ହେବାର କିଛି ସମୟ ପରେ ରାଜକୁମାର ରାଜକୁମାରୀଙ୍କୁ ସାକ୍ଷାତ କରିବାକୁ ବାହାରିଲେ । ଏହି ସମୟରେ ମନ୍ତ୍ରୀପୁଅ ହାତରେ ଏକ ତ୍ରିଶୂଳ ଧରି ଉପସ୍ଥିତ ହେଲା ଓ କହିଲା- “ବନ୍ଧୁ! ତୁମେ ରାଜକୁମାରୀ ଶୋଇଥିବା ଅବସ୍ଥାରେ ତାଙ୍କ ଜଙ୍ଘରେ ତ୍ରିଶୂଳ ଦ୍ୱାରା ଆଘାତ କରିବ । ଏହାପରେ ତାଙ୍କର ଗହଣା ସବୁ ଲୁଚାଇ ନେଇ ଆସିବ ।

        ମନ୍ତ୍ରୀପୁଅର କଥାଅନୁସାରେ ରାଜକୁମାର ସବୁ କାର୍ଯ୍ୟ ଠିକ୍ ଭାବେ କଲେ । ରାଜକୁମାରୀଙ୍କ ପାଖରୁ ଫେରିବା ପରେ ମନ୍ତ୍ରୀ ପୁଅର କଥାନୁସାରେ ଦୁଇଜଣ ଯାକ ସନ୍ନ୍ୟାସୀ ବେଶ ଧାରଣ କରି ଜଙ୍ଗଲକୁ ଚାଲିଗଲେ । ଜଙ୍ଗଲରେ ଗୋଟିଏ ସ୍ଥାନରେ କୁଡିଆଟିଏ କରି ରହିଲେ । କିଛି ଦିନ ରହିବାପରେ ମନ୍ତ୍ରୀପୁଅ ରାଜକୁମାରଙ୍କୁ କହିଲା- ଏହି ଗହଣା ଗୁଡିକୁ ନେଇ ବଜାରରେ ବିକ୍ରୀ କରିଦିଅ । ମନ୍ତ୍ରୀପୁଅ ରତ୍ନରାଜର କଥା ଶୁଣି ରାଜକୁମାର କହିଲେ- “ବନ୍ଧୁ! ତୁମେ ଇଏ କି କଥା କହୁଛ? ମୁଁ ଯଦି ଏପରି କରିବି ତା’ହେଲେ ମୁଁ ତ’ ଧରାପଡିଯିବି ।”

        ରତ୍ନରାଜ ହସି ହସି କହିଲେ- “ମୁଁ ତ’ ଚାହୁଁଛି ତୁମେ କେମିତି ଧରାପଡ । ତୁମେ ଧରାପଡିବାପରେ ତୁମକୁ ଯିଏ ଯାହା ପଚାରିବ ତୁମେ କହିବ ଏହି ଗହଣା ମୋତେ ମୋର ଗରୁଦେବ ଦେଇଛନ୍ତି । ତା’ପରେ ଯେତେବେଳେ ରାଜକର୍ମଚାରୀମାନେ ମୋ ପାଖକୁ ଆସିବେ ମୁଁ ତାଙ୍କୁ ଯାହା କହିବା କଥା କହିବି ।” ଏହାପରେ ରାଜକୁମାର ଗହଣାତକ ଧରି ବିକ୍ରୀ କରିବା ପାଇଁ ଚାଲିଗଲେ । ରାଜକୁମାରୀଙ୍କର ଗହଣାସବୁ ଯିଏ ତିଆରି କରେ ତା’ରି ନିକଟରେ ଯାଇ ପହଁଚିଲେ । ସେ ଜଣେ ସନ୍ନ୍ୟାସୀଙ୍କ ହାତରେ ରାଜକୁମାରୀଙ୍କ ଗହଣା ଦେଖି ସଂଗେ ସଂଗେ ରାଜାଙ୍କୁ ଜଣାଇଲେ । ରାଜାଙ୍କ ସୀପାହୀମାନେ ରାଜକୁମାରଙ୍କୁ ଗହଣା ସଂପର୍କରେ ପଚାରିବାରୁ ରାଜକୁମାରଙ୍କୁ ତାଙ୍କର ଗୁରୁଦେବ ଏସବୁ ଦେଇଥିବା କଥା କହିଲେ ।

        ଏହାପରେ ସିପାହୀମାନେ ରାଜକୁମାରଙ୍କୁ ଧରି ଗୁରୁଦେବଙ୍କ ପାଖକୁ ଚାଲିଲେ । ରାଜା ମଧ୍ୟ ସାଙ୍ଗରେ ଯାଇଥାଆନ୍ତି । ରାଜା ଯେମିତି ଗହଣା ସଂପର୍କରେ ପଚାରିଲେ, ରତ୍ନରାଜ ନିର୍ଭୀକ ଭାବରେ ଉତ୍ତର ଦେଲେ- ମୁଁ ଯେଉଁଦିନ ଗହଣା ପାଇଲି ସେଦିନ ମୋ ପାଖକୁ ଏକ ବେଶ୍ୟାଟିଏ ଆସିଥିଲା । ମୁଁ ତା’ର ଜଙ୍ଘରେ ତ୍ରିଶୂଳ ମାରି ତା’ର ସମସ୍ତ ଗହଣା ତା’ ଠାରୁ ନେଇ ଆସିଥିଲି ।

        ସନ୍ନ୍ୟାସୀଙ୍କର କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ସାଂଗେ ସାଂଗେ ରାଣୀଙ୍କ ପାଖକୁ ଯାଇ ସମସ୍ତ ଘଟଣା ବର୍ଣ୍ଣନା କଲେ । ରାଣୀ ରାଜକମାରୀଙ୍କ ଜଙ୍ଘ ଦେଖିଲେ ସତକୁ ସତ ରାଜକୁମାରୀଙ୍କ ଜଙ୍ଘରେ ତ୍ରିଶୂଳ ଆଘାତ କରାଯାଇଛି । ଏହାପରେ ରାଜା ରାଣୀଙ୍କର ଆଉ କିଛି ବୁଝିବାକୁ       ବାକି ରହିଲା ନାହିଁ । ସେ ରାଜକୁମାରୀଙ୍କୁ ସଂଗେ ସଂଗେ ବାହାର କରିଦେଲେ । ତତ୍ ସଂଗେ ସଂଗେ ସନ୍ନ୍ୟାସୀ ଦୁଇଜଣଙ୍କୁ ମଧ୍ୟ ଛାଡିଦେଲେ । ଏହାପରେ ରାଜକୁମାର ସନ୍ନ୍ୟାସୀ ବେଶ ବଦଳାଇ ନିଜର ଅସଲ ରୂପ ଧାରଣ କରି ରାଜକୁମାରୀଙ୍କ ପାଖରେ ପହଁଚିଗଲେ ।

        ରାଜକୁମାର ରାଜକୁମାରୀଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ରାଜକୁମାରୀ ମଧ୍ୟ ନିଜର ପ୍ରେମିକକୁ ପାଖରେ ପାଇ ବହୁତ ଖୁସି ହେଲେ । ରାଜକୁମାର ରାଜକୁମାରୀଙ୍କୁ ନେଇ ନିଜ ରାଜ୍ୟରେ ପହଁଚିବା ପରେ ସେମାନଙ୍କର ବିବାହ ସମ୍ପନ୍ନ ହେଲା ।

        କାହାଣୀଟି କହିସାରି ବେତାଳ କହିଲା- “ରାଜକୁମାରୀଙ୍କୁ ତାଙ୍କର ମନ ପସନ୍ଦର ବର ମିଳିଗଲା । କିନ୍ତୁ ରାଜକୁମାରୀଙ୍କୁ କେଉଁଥିପାଇଁ ଦଣ୍ଡ ମିଳିଲା । ମନ୍ତ୍ରୀପୁଅର ଆରୋପ ତ’ ମିଥ୍ୟା ଥିଲା । ତା’ହେଲେ ପ୍ରକୃତରେ ଦୋଷ କାହାର? ରାଜକୁମାରଙ୍କର, ମନ୍ତ୍ରୀପୁଅର, ସିପାହୀମାନଙ୍କର, କିମ୍ବା ରାଜାଙ୍କର? ମହାରାଜ! ତୁମେ ଯଦି ଜାଣି ଶୁଣି ଏହି ପ୍ରଶ୍ନର ଉତ୍ତର ନଦିଅ ତା’ହେଲେ ତୁମର ମସ୍ତକକୁ ମୁଁ ଶରୀରରୁ ଅଲଗା କରିଦେବି ।”

        ଏହାପରେ ରାଜା କହିଲେ, “ଶୁଣ ବେତାଳ! ରାଜକୁମାର ଯାହା କିଛି କଲେ ସେ ପ୍ରେମର ମୋହରେ ବାନ୍ଧି ହୋଇ କଲେ । ମନ୍ତ୍ରୀପୁତ୍ର ଯାହା କିଛି କଲେ ତାଙ୍କର ବନ୍ଧୁଙ୍କ ପାଇଁ କଲେ । ସିପାହୀମାନେ ମଧ୍ୟ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କଲେ । ତେଣୁ ସେମାନଙ୍କର କୌଣସି ଦୋଷ ନାହିଁ । କିନ୍ତୁ ହଁ, ରାଜା କୌଣସି କଥା ନବୁଝି ନସୁଝି ବିନା ଦୋଷରେ ରାଜକୁମାରୀଙ୍କୁ ରାଜ୍ୟରୁ ବାହାର କରିଦେଲେ । ତେଣୁ ଏହି କାହାଣୀରେ ରାଜା ହେଉଛନ୍ତି ଦୋଷୀ ।”

        ବେତାଳ ବିକ୍ରମାଦିତ୍ୟଙ୍କର ନ୍ୟାୟପୂର୍ଣ୍ଣ କଥା ଶୁଣି ପ୍ରସନ୍ନ ହେଲା ଓ କହିଲା- “ରାଜା! ତୁମେ ଠିକ୍ କଥା କହିଛ । କିନ୍ତୁ ମୁଁ ବର୍ତ୍ତମାନ ମୋ ବାଟରେ ଯାଉଛି । ମୁଁ ତୁମକୁ ପ୍ରଥମରୁ କହିଥିଲି ଯେ ଯଦି ତୁମେ କିଛି କଥା କହିବ ମୁଁ ତୁମ ନିକଟରୁ ପଳାଇଯିବି । ମୁଁ ତା’ ହେଲେ ଯାଉଛି ବିକ୍ରମ…… ।” ଏହା କହି ବେତାଳ ରାଜାଙ୍କ କାନ୍ଧରୁ ଉପରକୁ ଉଠିଗଲେ ଓ ଉଡି ଉଡି ଯାଇ ସେହି ବୃକ୍ଷ ଡାଳରେ ସେହିପରି ଓଲଟି ରହିଲେ । ରାଜା ବିକ୍ରମ ହାତରେ ଖଣ୍ଡା ଧରି ବେତାଳ ପଛେ ପଛେ ଗୋଡାଉଥାଆନ୍ତି । ବେତାଳ ରାଜାଙ୍କୁ କହୁଥାଏ- “ମହାରାଜ! ତୁମେ ଫେରିଯାଅ । ମୋ ରାସ୍ତାରେ ମୋତେ ଛାଡିଦିଅ । କିନ୍ତୁ ରାଜା ବିକ୍ରମ ନଛୋଡ ବନ୍ଧା । ସେ ଯୋଗୀଙ୍କୁ ବଚନ ଦେଇଛନ୍ତି ମାନେ ଜୀବନ ଯାଉ ପଛେ ସେ ତାଙ୍କର ବାକ୍ୟ ରକ୍ଷା କରିବେ ।

ବିକ୍ରମାଦିତ୍ୟଙ୍କ ବିବାହ

         ନ୍ୟାୟବନ୍ତ ଧାର୍ମିକ ରାଜା ବିକ୍ରମାଦିତ୍ୟ ମରାଠା ରାଜ୍ୟରେ ପହଁଚିଗଲେ । ଏକ କୁସୁମ ଉଦ୍ୟାନ । ତା’ ନିକଟରେ ସୁନ୍ଦର ପୁଷ୍କରିଣୀ, ଅମୃତ ତୁଲ୍ୟ ତା’ର ଜଳ । ସେହି ପୁଷ୍କରିଣୀ ନିକଟରେ ସଦାଶିବଙ୍କ ମନ୍ଦିର । ରାଜା ବିକ୍ରମାଦିତ୍ୟ ଭାବିଲେ ଆଜି ରାତ୍ରି ଏଠାରେ କଟାଇ କାଲି ଅନ୍ୟସ୍ଥାନକୁ ଯିବି । ଏକ ବୃକ୍ଷମୂଳେ ତୃଣ ବିଛଣା କରି ଶୋଇଲେ । ମରାଠା ରାଜାଙ୍କର କନ୍ୟା ଶିବପୂଜା କରି ଗଲା । ଗଇଶ ଦୁଦୁରା ବିଲ୍ୱଦଳ ଦେଇ ଶିବଙ୍କୁ ଦୀପ ଜଳାଇ ପୂଜାକଲା । ପୂଜା ସାରି ଶିବଙ୍କୁ ନମସ୍କାର କଲା । ହେ ପ୍ରଭୁ ମୋର ଦୁଃଖ ଫେଡ । ବିକ୍ରମାଦିତ୍ୟ ଯେପରି ପତି ହେବେ ମୋତେ ଏହି ବର ଦିଅ । ପ୍ରଭୁ ସଦାଶିବ ତୋଷ ହୋଇ କହିଲେ, ତୋର ମନସ୍କାମନା ଆଜି ପୂର୍ଣ୍ଣ କଲି । ବିକ୍ରମାଦିତ୍ୟ ମୋର ଦେଉଳ ପଛଭାଗରେ ଶୟନ କରିଛି । ଶନିଙ୍କ ପୀଡାରୁ ନିଜର ଜ୍ୟୋତି ହରାଇଛି । ବର୍ତ୍ତମାନ ରାଜାଙ୍କୁ ଚିହ୍ନିଥିବା ଲୋକ ବି ଚିହ୍ନି ପାରିବନାହିଁ । ଅତି ଅଳ୍ପଦିନ ପରେ ରାଜା ଶନିଙ୍କ ପୀଡାରୁ ମୁକ୍ତି ହେବେ । ତୁ ତାଙ୍କୁ ପତିପଦରେ ବରଣ କର । ଏହା କହି ସଦାଶିବ ଅନ୍ତର୍ଦ୍ଧାନ ହେଲେ । ଦେଉଳ ପଛ ଭାଗକୁ ଯାଇ ଦେଖନ୍ତି ପୁରୁଷ ଗୋଟିଏ ଶୟନ କରିଛି । ମରାଠା ଜେମା ତାହାଙ୍କୁ ବିକ୍ରମାଦିତ୍ୟ ବୋଲି ଜାଣିଲେ । ମରାଠା ରାଜଜେମା ବିଳମ୍ବ ନକରି ସଦାଶିବଙ୍କ ଆଦେଶ ଅନୁସାରେ ତାଙ୍କ ପଦମଂଚାଳିଲେ । ରାଜା କ୍ଳାନ୍ତହୋଇ ଶୟନ କରିଥିଲେ । କୋମଳ କରସ୍ପର୍ଶ ପାଇ ତାଙ୍କର ନିଦ୍ରା ଭଙ୍ଗ ହେଲା । ରାଜା ଭାବିଲେ ଆକାଶରୁ ଚନ୍ଦ୍ରଦେବ ଆସି କ’ଣ ପଥକ୍ଳାନ୍ତ ଦେଖି ଦୟାକଲେ । ରାଜା ଏପରି ଚିନ୍ତି ଚାହିଁଲେ ଦେଖିଲେ ଏକ ସୁନ୍ଦରୀ ଯୁବତୀ । ରାଜା ପ୍ରଶ୍ନକଲେ ତୁମ୍ଭେ କିଏ ତୁମ୍ଭର ପରିଚୟ ଦିଅ । ମୁଁ ଅତି ଦରିଦ୍ର ମୂଢ, ତୁମେ କାହିଁକି ମୋର ସେବା କରୁଛ । ମରାଠାର ରାଜଜେମା କହିଲେ ହେ ସ୍ୱାମୀ ତୁମ୍ଭେ ରାଜା ହେଲେ ମୁଁ ରାଣୀ । ତୁମ୍ଭେ ଭିକାରି ହେଲେ ମୁଁ ଭିକାରୁଣୀ । ସଦାଶିବଙ୍କୁ ପୂଜି ମୁଁ ତୁମ୍ଭଙ୍କୁ ପାଇଛି । ସେ କହିଲେ ବିକ୍ରମାଦିତ୍ୟ ତୋର ବର ହେବେ । ଦେଉଳ ପଛ ଭାଗରେ ରାଜା ଶୋଇଛନ୍ତି । ଶନିଙ୍କ କୋପରୁ ସେ ବିରୂପ ହୋଇଛନ୍ତି । ତୁହି ତାହାଙ୍କୁ ଯାଇ ପତିପଦରେ ବରଣ କର । ମୁଁ ତୁମ୍ଭର ଦାସୀ ତୁମ୍ଭେ ମୋର ପ୍ରଭୁ, ମୋର କର୍ତ୍ତବ୍ୟ ମୁଁ କରୁଛି । ହେ ରାଜନ ତୁମ୍ଭର ଯେଉଁ ଗତି, ମୋର ମଧ୍ୟ ସେ ଗତି । ରାଜଜେମା ମୁଖରୁ ଏପରି ବଚନ ଶୁଣି ବିକ୍ରମାଦିତ୍ୟକୁ ଏପରି କହି ରାଜଜେମା ତାଙ୍କ ଗଳାରେ ପୁଷ୍ପ ମାଲ୍ୟ ପିନ୍ଧାଇ ଦେଲା । ବିକ୍ରମାଦିତ୍ୟ ନିଜ ଗଳାରୁ ମାଳାଟି କାଢି ରାଜଜେମାଙ୍କ ଗଳାରେ ପିନ୍ଧାଇ ଦେଲେ । ବିକ୍ରମାଦିତ୍ୟ ନିଜର ପତ୍ନୀଙ୍କୁ ପରିଚୟ ପ୍ରଦାନ କଲେ । ରାଜଜେମା ଶୁଣିକରି କହିଲେ ହେ କାନ୍ତ ମୁଁ ଯାହା କହୁଛି ଶୁଣ । ମୁଁ ଗୃହକୁ ଯାଇ ତୁମ୍ଭକଥା ମୋ ପିତାଙ୍କୁ କହିବି । ସେ ତୁମ୍ଭଙ୍କୁ ନେଇ ମୋତେ ବିବାହ କରିଦେବେ । ଏପରି କହି ବିକ୍ରମାଦିତ୍ୟଙ୍କୁ ଶିବଙ୍କ ପ୍ରସାଦ ଦେଇ ରାଜକୁମାରୀ ନିଜ ଗୃହକୁ ଗଲେ ।

            ରାଜଜେମା ମନୋରମା ପରଦିନ ପ୍ରଭାତରୁ ଉଠି ପିତାଙ୍କୁ କହିଲା ମୁଁ ଯୁବତୀ ହୋଇଛି, ମୋର ସ୍ୱୟମ୍ବର କର । ପିତାମାତା ଏକଥା ଶୁଣି ବିଳମ୍ବନକରି ସ୍ୱୟମ୍ବର ଯୋଗାଡରେ ଲାଗିପଡିଲେ । ବିବାହ ପାଇଁ ରାଜାଙ୍କ ନିମିତ୍ତ ଗୃହନିର୍ମାଣ କଲେ । ନିମନ୍ତ୍ରଣପତ୍ର ଦୂତଙ୍କ ହସ୍ତରେ ପ୍ରତ୍ୟେକ ରାଜ୍ୟର ରାଜାଙ୍କ ନିକଟକୁ ପ୍ରେରଣ କଲେ । ଦୂତମାନେ ନିମନ୍ତ୍ରଣ ଦେଇ, ସୌରାଷ୍ଟ୍ର, ଅଙ୍ଗ, ବଙ୍ଗ, କଳିଙ୍ଗ, ଉତ୍କଳ, ମଗଧ, ମାଳବ, ମତ୍ସ୍ୟ, ଗୁର୍ଜ୍ଜର, କୋଶଳ, ବିଦର୍ଭ ଆଦି ଦେଶର ନୃପତିଙ୍କୁ ସ୍ୱୟମ୍ବର କଥା କହି ନିମନ୍ତ୍ରି ଆସିଲେ । ରାଜାମାନେ ନିମନ୍ତ୍ରଣ ପାଇ ବରବେଶ ସାଜି ମରାଠାରେ ପହଁଚିଲେ । ମରାଠାର ନୃପତି ନୃପତିଗଣଙ୍କୁ ସସମ୍ମାନେ ରଖାଇଲେ । ସ୍ୱୟମ୍ବର ସଭାହେବାକୁ ଦିନେ ଅଛି ରାଜନନ୍ଦିନୀ ମନୋରମା ସଦାଶିବଙ୍କୁ ପୂଜାକରି ଗଲେ । ପୂଜାସାରି ବିକ୍ରମାଦିତ୍ୟଙ୍କୁ କହିଲେ ଆସନ୍ତା କାଲି ମୋର ସ୍ୱୟମ୍ବର । ତୁମ୍ଭେ ସଭାରେ ଯାଇ ଉପସ୍ଥିତ ହେବ । ମୁଁ ପୁଷ୍ପମାଲ୍ୟ ଦେଇ ସର୍ବ ରାଜାଙ୍କ ସମକ୍ଷରେ ତୁମ୍ଭଙ୍କୁ ବରିବି । ପିତାମାତାଙ୍କ ମନରୁ ସନ୍ଦେହ ଦୂର ହେବ । ରାଜକନ୍ୟା ମନୋରମାର କଥାଶୁଣି ବିକ୍ରମାଦିତ୍ୟ ସନମତ ହେଲେ । ରାଜନନ୍ଦିନୀ ନିଜ ଗୃହକୁ ଚଳିଗଲା । ରାତ୍ରିପାହି ପ୍ରଭାତ ହେଲା । ନୃପମାନେ ନିଜର ପ୍ରାତଃକୃତ୍ୟ ସମାପନ କରି ସୁସଜ୍ଜିତ ହୋଇ ସ୍ୱୟଂମ୍ବର ସଭାକୁ ଗଲେ । ରାଜା ବିକ୍ରମାଦିତ୍ୟ ମନୋରମାର ଅନୁରୋଧ ରକ୍ଷାକରି ଦୀନ, ହୀନ ବେଶରେ ପହଁଚିଲେ । ମନୋରମାଙ୍କର ମୁଦୁସୁଲିମାନେ ତାଙ୍କୁ ସୁବେଶ କରାଇ ସ୍ୱୟମ୍ବର ସଭାକୁ ଆଣିଲେ । ସ୍ୱୟମ୍ବର ସଭାରେ ମନୋରମା ବିକ୍ରମାଦିତ୍ୟଙ୍କୁ ଦେଖି ତାଙ୍କ ଗଳାରେ ପୁଷ୍ପମାଲ୍ୟ ପକାଇ ଦେଲେ । ଏପରି ସୁନ୍ଦରୀକୁ ପାଇବା ପାଇଁ ରାଜାମାନେ ଆସିଥିଲେ । ରାଜକୁମାରୀ ଜଣେ ଦୀନ ହୀନକୁ ବରଣ କରିବା ମୁଦୁସୁଲିମାନଙ୍କ ସଙ୍ଗରେ ରାଜା ଅନ୍ତଃପୁରକୁ ଚାଲିଗଲା । ରାଜାମାନେ ଏ ରୀତି ଦେଖି ନୃପତିଙ୍କୁ ବହୁତ ଧିକାର କଲେ ।

        ନିଜ ନିଜ ଦେଶକୁ ନୃପତିମାନେ ମନଦୁଃଖରେ ଚାଲିଗଲେ । ମରାଠାର ନୃପତିଙ୍କର ପୁତ୍ରମାନେ କ୍ରୋଧହୋଇ ଅନ୍ତଃପୁରକୁ ଗଲେ । ନିଜ ଭଉଣୀର କେଶ ଧରି ଓଟାରି ଆଣିଲେ । କିନ୍ତୁ ମରାଠା ନୃପତି ପୁତ୍ରମାନଙ୍କୁ ସେ କାର୍ଯ୍ୟରୁ ନିବୃତ କଲେ । ସ୍ତ୍ରୀ ବଧ ମହାପାପ । ତାକୁ ବଧକଲେ ତୁମ୍ଭେମାନେ କଠୋର ଯମଦଣ୍ଡ ପାଇବ । ମନୋରମାକୁ ତା’ର ପିତା ପ୍ରଶ୍ନକଲେ ମାଆ କେଉଁ ଗୁଣ ଦେଖି ତୁ ଏ ନୀଚଜନକୁ ପତିତ୍ୱରେ ବରଣ କଲୁ । ଲକ୍ଷେ ରାଜା ଆସିଥିଲେ ଓ ସେମାନେ ଅପମାନିତ ହୋଇ ଗଲେ । ମନୋରମା କହିଲେ ପିତା, ତୁମର ଜାମାତା ସସାଗରା ଧରାର ଅଧିଶ୍ୱର । ସେ ନୀଚ ଭିକ୍ଷୁକ ନୁହଁନ୍ତି । ରାଜା ନୀରବ ହେଲେ । ମନୋରମାର ଭ୍ରାତାମାନେ କଟୁ କଥା କହି ତାକୁ ଗାଳିଦେଲେ । ଭ୍ରାତାମାନଙ୍କୁ ମନୋରମା କହିଲେ ତୁମ୍ଭେମାନେ କିଛି କୁହନାହିଁ । ମୋ କର୍ମଫଳ ମୁଁ ଭୋଗିବି । ନିଜର ଅଙ୍ଗରୁ ସମସ୍ତ ଅଳଙ୍କାର କାଢି ମନୋରମା ପିତା ମାତାଙ୍କୁ ପ୍ରଦାନ କଲେ । ବିକ୍ରମାଦିତ୍ୟଙ୍କ ନିକଟରେ ଯାଇ ପ୍ରବେଶ ହେଲେ । ସ୍ୱାମୀଙ୍କୁ ସାଙ୍ଗରେ ଘେନି ସ୍ୱର୍ଣ୍ଣମତି ନଦୀତୀରେ ପହଁଚିଲେ । ସଦାଶିବଙ୍କୁ ଦୁହେଁ ସ୍ମରଣ କରି ଖୁସିରେ ରହିଲେ ।

ବିକ୍ରମାଦିତ୍ୟଙ୍କ ବନଗମନ

           ମରାଠା ଦେଶର ରାଜାଙ୍କର ସୁତମାନେ ଅରଣ୍ୟକୁ ମୃଗୟା କରି ଗଲେ । ଅନେକ ମୃଗମାରି ଭାର ଭାର କରି ଗୃହକୁ ଫେରୁଥିବା ବେଳେ ମନୋରମା ତାଙ୍କୁ ଦେଖିଲେ । ବିକ୍ରମାଦିତ୍ୟ କହିଲେ ସଖୀ ମୃଗମାଂସରେ ଭାରି ଶ୍ରଦ୍ଧା ବଳିଛି । ତୁମ୍ଭେ ତୁମ୍ଭ ଭାଇମାନଙ୍କଠାରୁ କିଛି ମାଂସ ଯାଇ ଆଣ । ମନୋରମା କହିଲେ ହେ ନାଥ ତୁମ୍ଭଙ୍କୁ ବରଣ କରିବାରୁ ସେମାନେ ମୋ ଉପରେ କ୍ଷୁବ୍ଧ । ସେମାନେ କ’ଣ ମୋ କ’ଥା ରଖିବେ । ରାଜା ବିକ୍ରମାଦିତ୍ୟ କହିଲେ ପ୍ରିୟେ, ତୁମ୍ଭେ ମା’ଙ୍କ ନିକଟକୁ ତାହାକୁ ବୁଝାଇ କିଛି ମାଂସ ଆଣ ।

        ପତି କଥାକୁ ସମ୍ମାନ ଜଣାଇ ମନୋରମା ମାତାଙ୍କ ନିକଟରେ ପହଁଚିଲେ । ନିଜର ଅଲିଅଳି କନ୍ୟାକୁ ଦେଖି ଜନନୀ କ୍ରନ୍ଦନ କଲେ । ରାଜପୁରର ସମସ୍ତ ରମଣୀମାନେ ମଧ୍ୟ କ୍ରନ୍ଦନ କଲେ । ମନୋରମା କହିଲେ ମାତା କ୍ରନ୍ଦନା କରନା, ମୋର ସ୍ୱାମୀ ଜଣେ ରାଜଚକ୍ରବର୍ତୀ । ସେ ଉଜ୍ଜୟିନୀ ନଗରୀ ରାଜା । ତାଙ୍କର ନାମ ବିକ୍ରମାଦିତ୍ୟ ଅଟେ । ମନୋରମା କହିଲେ ମୋ ସ୍ୱାମୀଙ୍କର ମୃଗ ମାଂସରେ ଶ୍ରଦ୍ଧା । ମୋତେ ପଠାଇଲେ କିଛି ମୃଗମାଂସ ଦିଅ । କନ୍ୟାର କଥା ଶୁଣି ମାତା ରନ୍ଧାମାଂସ କିଛି ଆଣି ଦେଲେ । ମାଂସନେବା କଥା ଜାଣି ଭାଉଜମାନେ ଆସି ମନୋରମାର ଚୁଟି ଧରି କଟୁ କଥା କହି ମାଡ ଦେଲେ । ମାଂସ ଚୋରଣୀ ତୁ ଏଠାରୁ ଚାଲିଯା । ଗାଳି ଓ ମାଡ ଖାଇ ମନୋରମା ବନସ୍ତକୁ ଫେରି ଆସି ବିକ୍ରମାଦିତ୍ୟଙ୍କୁ ସମସ୍ତ କଥା କହିଲା । ପ୍ରିୟା ମୁଖରୁ ଏସନକ କଥା ଶୁଣି ବିକ୍ରମାଦିତ୍ୟ କହିଲେ ଧୈର୍ଯ୍ୟଧର, ଶୋଚନା କର ନାହିଁ । ମୁଁ ନିଶ୍ଚିତ ଏ ଅପମାନର ପ୍ରତିଶୋଧ ନେବି ।

        ମନୋରମାକୁ ଘେନି ବିକ୍ରମାଦିତ୍ୟ ବନସ୍ତରେ ବାସକଲେ । ମହାଧନ ଦେବୀଙ୍କର ମନ୍ତ୍ରଜପ କଲେ । ବିକ୍ରମାଦିତ୍ୟଙ୍କ ଶରୀରରୁ ଶନିଙ୍କର କୋପ ଧୀରେ ପ୍ରଶମିତ ହେଲା । ଜଗତଜନନୀ ମା’ ଧନ ଦେବୀ ରାଜାଙ୍କ ଉପରେ ସୁଦୟା କଲେ । ବିକ୍ରମାଦିତ୍ୟ କହିଲେ ଜଗତଜନନୀ ପଡିଦାତ୍ର କୃପା କଲ୍ଲୋଳିନୀ ତୋ ପଦରେ ମୁଁ ଦୟିନୀ କରୁଛି ମୋର ଦୁର୍ଗତି ଖଣ୍ଡନ କର । ମାଗୋ’ ତୁ ଯେବେ ସୁଦୟା ନ କରିବୁ ମୁଁ ମଲେ ତୋରି ନିନ୍ଦା ଏ ସଂସାରରେ ପ୍ରଚାର ହେବ ମା’ । ବିକ୍ରମାଦିତ୍ୟଙ୍କର ଜଣାଣ ଶୁଣି ମା’ ଶୂନ୍ୟରେ ଥାଇ କହିଲେ ବତ୍ସ ତୋ’ର ଦୁଃଖ, ଦୁର୍ଗତିର ଅନ୍ତ ଆଜିହିଁ ହେବ । ମାତାଙ୍କର ଆଦେଶ ଶୁଣି ବିକ୍ରମାଦିତ୍ୟ ଶାଳତରୁ ତଳେ ନିଦ୍ରାଗଲେ । ଜଗତଜନନୀ ମା’ ଧନ ଦେବୀ ଶନିଙ୍କୁ କହିଲେ ଜଣେ ଧାର୍ମିକ ନରପତିଙ୍କୁ ଦଣ୍ଡଦେଇ ସୂର୍ଯ୍ୟସୁତ କେବେ ଯଶସ୍ୱୀ ହୋଇପାରିବୁ ନାହିଁ । ମଙ୍ଗଳ ଇଚ୍ଛାଥିଲେ ପଳାଅ । ମାତ କହିଲେ ମନୋରମା ଶିମିଳି କଢ, କିଆଫୁଲ, ଯାଇଫୁଲ ହରିଡା, ବାହାଡା, ଅଁଳା, କରବୀର ଫୁଲ, ନିମ୍ବପତ୍ର, ଲିମ୍ବଛାଲି ଓ ହଳଦି ଏକତ୍ର କର । ତାହାକୁ ବାଟି ରାଜାଙ୍କୁ ପିଆଇ ଦେଲେ ତାଙ୍କର ସମସ୍ତ ରୋଗ ଦୂରୀଭୂତ ହେବ । ଅଜଗର ରୂପଧରି ଶନି ରାଜାଙ୍କ ଉଦରେ ରହିଛନ୍ତି । ମହାଧନ ଦେବୀ ମନୋରମାଙ୍କୁ ଔଷଧ ଏକତ୍ର କରି ବାଟି ରାଜାଙ୍କୁ ପିଆଇ ଦେଲେ । ତାଙ୍କ ଶରୀର ଆରୋଗ୍ୟ ହେଲା । ବିକ୍ରମଙ୍କର ଶରୀରର ଜ୍ୟୋତି ପ୍ରକଟି ଉଠିଲା । ମନୋରମା ପ୍ରଣାମ କରି କହିଲେ ସ୍ୱାମୀ ମୋର ଅପରାଧ କ୍ଷମାକର । ବିକ୍ରମାଦିତ୍ୟ କହିଲେ ମନୋରମା ତୁମ୍ଭେ ସତୀ ସ୍ତ୍ରୀ ତୁମ୍ଭର ଉପକାର ମୁଁ ଜନ୍ମେ ଜନ୍ମେ ସୁଝି ପାରିବି ନାହିଁ । ଲକ୍ଷେ ରାଜା ଥିଲେ ତୋ ସ୍ୱୟମ୍ବର ସଭାରେ । ସେମାନଙ୍କୁ ତ୍ୟାଗକରି ତୁ ମୋତେ ବରଣ କଲୁ । ତୋତେ ଯେଉଁମାନେ ମନ୍ଦ ବ୍ୟବହାର ପ୍ରଦର୍ଶନ କରିଛନ୍ତି ତାଙ୍କର ଦୁର୍ଦଶା କିପରି ହେବ ଦେଖିବୁ ।

        ବିକ୍ରମାଦିତ୍ୟ ଆରୋଗ୍ୟ ହୋଇ ବେତାଳମାନଙ୍କୁ ଡକାଇଲେ । ଶନିଙ୍କର କୋପଦୃଷ୍ଟିରୁ ମୁଁ ଉଦ୍ଧାର ହେଲି । ଏବେ ତାଳ ବେତାଳ ଦୁହେଁ ଏ ବନସ୍ତରେ ସୁନ୍ଦର ରାଜ ନଗର ତୋଳାଅ । ଅଡାଏକ ଗୃହପାଶେ କରିବ ନିର୍ମାଣ । ଏ ଅରଣ୍ୟରେ ଥିବା ସମସ୍ତ ପଶୁମାନଙ୍କୁ ଆଣି ଅଡାରେ ରଖ । ବିକ୍ରମାଦିତ୍ୟଙ୍କ ବଚନ ଶୁଣି ବେତାଳମାନେ ସୁନ୍ଦର ନଗର ଗଢିଲେ । ବନର ସମସ୍ତ ପଶୁମାନଙ୍କୁ ଧରିଆଣି ଅଡା ମଧ୍ୟରେ ରଖିଲେ । ନିଜର ପତ୍ନୀଙ୍କୁ କୋଳକରି ମହାସୁଖରେ କାଳାତିପାତ କଲେ ।

© 2016 by DILLIP KUMAR. Proudly created with Wix.com

bottom of page