

ଭାରତ ବର୍ଷରେ ନେତା ବା ନେତୃତ୍ଵ ର କୌଣସି ଅଭାବ ନାହିଁ, ମାତ୍ର ଏହି ଶହେ କୋଟି ଦେଶବାସୀ ମଣ୍ଡିତ ଦେଶରେ କେବଳ ଜଣଙ୍କୁ ହିଁ ସଭିଏଁ ଶ୍ରଦ୍ଧା ଓ ସମ୍ମାନର ସହ ନେତାଜୀ ଭାବେ ସମ୍ବୋଧନ କରନ୍ତି, ସେ ଅନ୍ୟ କେହି ନୁହଁନ୍ତି ପବିତ୍ର ଉତ୍କଳ ଭୂମିରେ ଜନ୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ| ୧୮୯୭ ମସିହା ଜାନୁୟାରୀ ୨୩ ତାରିଖ କଟକର ଓଡିଆ ବଜାର ଠାରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ| ବାଲ୍ୟକାଳରୁ ସେ ଥିଲେ ସ୍ଵାଭିମାନୀ ଓ ଦେଶପ୍ରେମୀ |
ନିଜର ପ୍ରାଥମିକ ଶିକ୍ଷା ସୁଭାଷ କଟକ ର ରେଭେନସା କଲେଜିଏଟ ସ୍କୁଲ ରେ ପୂରଣ କରିଥିଲେ ପରେ କଲିକତା ରୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ସହ ୧୯୨୦ ରେ ଆଇସିଏସ (ଇଣ୍ଡିଆନ ସିଭିଲ ସାର୍ଭିସ)ପରୀକ୍ଷା ରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ମାତ୍ର ଦେଶପ୍ରେମ ଓ ସମାଜ ରେ ବିପ୍ଲବ ଆଣିବା ଚିନ୍ତାଧାରା ରେ ଅନୁପ୍ରାଣିତ ସୁଭାଷ ୧୯୨୧ ମସିହା ରେ ଏହି ବୃତ୍ତି କୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏହା ପରେ ପରେ ସେ ଯାହା ଦେଶ ଓ ସମାଜ ପାଇଁ କରିଥିଲେ ତାହା ଚିରବନ୍ଦିତ, ପ୍ରେରଣାଦାୟୀ ଓ ଉଦାହରଣିୟ ହୋଇରହିଛି | ଯେଉଁ ଚାକିରି ପାଇଁ ସମସ୍ତେ ଚାତକ ରୂପେ ଚାହିଁ ବସିଥାନ୍ତି ତାକୁ ହାତମୁଠାରେ ପାଇସାରି ; ପ୍ରତ୍ୟାଖ୍ୟାନ କରିବା ସହ ନିଜର ସମ୍ପୂର୍ଣ ଜୀବନ ଦେଶ ଓ ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲେ | ଏଥରୁ ନେତାଜୀଙ୍କର ନିଜର ମାତୃଭୂମି ଓ ସମାଜ ପାଇଁ ଅନନ୍ୟ ଭଲପାଇବା ଓ ସମର୍ପଣ ନିଦର୍ଶିତ ହେବା ସହ ସ୍ପଷ୍ଟ ହୁଏ କିଭଳି ସମାଜ ଓ ଦେଶର ସ୍ଵାର୍ଥ ପାଇଁ ସେ ନିଜର ସ୍ଵାର୍ଥ ଓ ସୁଖ କୁ ଜଳାଞ୍ଜଳି ଦେଇଥିଲେ |


ଭାରତୀୟ କଂଗ୍ରେସ ର ସଭାପତି ଥାଇ ମଧ୍ୟ ଚିନ୍ତାଧାରା ମେଳ ନ ଖାଇବାରୁ ଏଥରୁ ଓହରି ନିଜର ସଂଘଠନ ଗଠନ କରିବା ସହ ଏହାକୁ ସଫଳ କରିବାପାଇଁ ଦେଶ ବିଦେଶରେ ତାଙ୍କ ସଂଘର୍ଷ ଆମକୁ ତାଙ୍କର ଲକ୍ଷ ସ୍ଥଳୀ କୁ ପହଞ୍ଚିବା ପାଇଁ ଦୃଢ ଇଛା ଶକ୍ତି ତ୍ୟାଗ ଓ ନିର୍ଭୀକତାର ପରିଚୟ ଦିଏ। ମତାନ୍ତର ଓ ମତପାର୍ଥକ୍ୟ ଥିବା ସତ୍ତ୍ୱେ ବ୍ୟକ୍ତିଗତ ସ୍ଵାର୍ଥ ଓ ଉଚ୍ଚ ହେବା ଲାଳସା କେବେ ହେଲେ ନେତାଜୀଙ୍କୁ ସ୍ପର୍ଶ କରିନଥିଲା | ବିଦେଶ ରେ ଥିବା ବେଳେ ଏକ ଛୋଟ ଘଟଣା ଟି ଏହାର ଉଦାହରଣ | ଏକଦା ନେତାଜୀ ଜାପାନ ରେ ଥିବାବେଳେ ତତ୍କାଳୀନ ଜାପାନ ପ୍ରଧାନମନ୍ତ୍ରୀ ଜେନରେଲ ତୋଜୋ ତାଙ୍କ ଭାଷଣରେ ଉଲ୍ଲେଖ କଲେ କି , ନେତାଜୀ ହେବେ ସ୍ଵାଧୀନ ଭାରତର ସର୍ବେ ସର୍ବା | ଏହା ଶୁଣିବା କ୍ଷଣି ନେତାଜୀ ଦୃଢ ପ୍ରତିବାଦ କରି ତୀବ୍ର ସ୍ଵରରେ କହିଲେ – ଏପରି ମନ୍ତବ୍ୟ ଦେବାରେ ଜେନରେଲ ତୋଜୋଙ୍କର କୌଣସି ଅଧିକାର ନାହି । ସ୍ଵାଧୀନ ଭାରତରେ କିଏ କଣ ହେବ ତାହା ନିର୍ଧାରଣ କରିବେ ଭାରତବାସି । ମୁ ଭାରତମାତର ଏକ ଦୀନହୀନ ସେବକ ମାତ୍ର , ଭାରତର ସର୍ବେ ସର୍ବା ହେବାର ଯୋଗ୍ୟତା ରହିଛି ମହାତ୍ମା ଗାନ୍ଧୀ, ମୌଳନା ଅବୁଲ କାଲାମ ଆଜାଦ ଓ ପଣ୍ଡିତ ଜୱାହରଲାଲ ନେହରୁଙ୍କର | ନେତାଜିଙ୍କର ଏଭଳି ଉତ୍ତର ରେ ଜେନରେଲ ତୋଜୋ ବିସ୍ମିତ ହୋଇଯାଇଥିଲେ |

କେବହେଲେ ନିଜ ପ୍ରଶଂସା ଓ ତୋଷାମଦିଆପଣର ବଶବର୍ତ୍ତୀ ନ ହୋଇ ସେ ସର୍ବଦା ନିଜ ଦେଶ ଓ ଦେଶବାସୀଙ୍କ ସ୍ନମାନ ଓ ସ୍ଵାଭିମାନ ପାଇଁ ସେ ଲଢେଇ କରିଥିଲେ।
ନେତାଜୀ ହିଂସା କୁ ଭଲ ପାଉଥିଲେ ତାହା ଏକ ଭ୍ରାନ୍ତ ଧାରଣା, ସେ ଅହିଂସା ର ପକ୍ଷ ରେ ଥିଲେ ମାତ୍ର ଆବଶ୍ୟକ ସ୍ଥଳେ ହିଂସା ର ପନ୍ଥା କୁ ସମର୍ଥନ କରୁଥିଲେ। ଉକ୍ତ ଘଟନା ଟି ନେତାଜିଙ୍କ ଅହିଂସା ଓ ଦେଶବାସୀଙ୍କ ପାଇଁ ଦରଦ ର ବକ୍ଷାଣ କରେ | ଏକଦା ଜାପାନ ର ସେନା ଅଧକ୍ଷ୍ୟ ନେତାଜିଙ୍କ ପାଖକୁ ଆସି କହିଲେ ‘କଲିକତା ମହାନଗରୀ ଉପରେ ଆମେ ଆକାଶମାର୍ଗରୁ ବୋମା ବର୍ଷଣ ନିମନ୍ତେ ଠିକ କରିଛୁ- ଏଥିରେ ଆପଣକ ମତ? ‘ ନେତାଜୀ ନିଜ ତୀବ୍ର ପତିକ୍ରିୟା


ପ୍ରକାଶ କରିକି କହିଲେ , ‘ଏକ ସୌନ୍ଦର୍ଜ୍ୟମୟୀ ମହାନଗରୀ ବୋମାମାଡରେ ବିଧ୍ଵସ୍ତ ହେଉ ମୁ ଚାହେ ନା, ମୋର ଦେଶବାସୀଙ୍କୁ ଦେବାକୁ ଚାହେଁ ମୁ ଆଶା ଭରସା ଧ୍ଵଂସ କି ଯନ୍ତ୍ରଣା ନୁହେଁ । ଇଂଲଣ୍ଡ’ ର ପତନ ପରେ ଆମେ ବହୁ ବିମାନ କଲିକତା ର ଆକାଶ ପଥରେ ଉଡାଇବୁ ମାତ୍ର ସେହି ବିମାନ ଗୁଡିକ ରୁ ବୋମା ନିକ୍ଷେପ ହେବନି, ନିକ୍ଷେପ ହେବ ହଜାର ହଜାର ତିରଙ୍ଗା ପତାକା , ବୋମା ଅପେକ୍ଷା ଏହି ତିରଙ୍ଗା ପତକାଗୁଡିକ ବ୍ରିଟିଶ ସାମ୍ରାଜ୍ୟବାଦର ଧ୍ଵଂସ ନିମନ୍ତେ ବହୁଗୁଣ କାର୍ଯ୍ୟ କରିବା | ନେତାଜିଙ୍କର ଏହି ମନ୍ତବ୍ୟ ଶୁଣି ଜାପାନୀ ସେନା ଅଧକ୍ଷ୍ୟ ତାଙ୍କର ପ୍ରସ୍ତାବିତ କାର୍ଯ୍ୟକର୍ମରୁ ବିରତ ହୋଇଥିଲେ । କେବେ ହେଲେ କୌଣସି ପଦ ପଦବି ପ୍ରତି ଲାଳସା ରଖି ବା ବ୍ୟକ୍ତିଗତ ସ୍ଵର୍ଥ୍ୟ ନିମନ୍ତେ ନିଜ ଜାତି, ଦେଶ ଓ ଦେଶବାସୀଙ୍କର ସମମଙ୍କୁ ବଳିଦେବା ପାଇଁ ସେ ଆଦୌ ଆଗ୍ରହୀ ନଥିଲେ| ଏହା ଥିଲା ତାଙ୍କ ଜୀବନର ମହାନ ଆଦର୍ଶ| ଜାତୀୟ କଂଗ୍ରେସ ସହ ସମ୍ପର୍କ ଛିନ୍ନ ଓ ବହୁ ବାର ଜେଲ ଦଣ୍ଡ ରେ ଭାଙ୍ଗିନପଡି ସେ ଜେଭଳି ନିଜ ବୁଦ୍ଧିମତ୍ତା ଚାତୁର୍ଯ୍ୟ ସହ ଆଜଦ ହିନ୍ଦ ଫୌଜ ର ନିର୍ମାଣ କରିଥିଲେ ତାହା ଚମତ୍କାର ଓ ଅନୁକରଣୀୟ ।କେବଳ ନେତାଜୀଙ୍କର ଜନ୍ମ ଉତ୍କଳ ରେ ଏହା ଉପରେ ଗର୍ବିତ ନ ହୋଇ ତାଙ୍କର ଆଦର୍ଶ, ଦୃଢ ଇଛାଶକ୍ତି ଓ ପ୍ରତିକୂଳ ପରିବେଶରେ କିଭଳି ଅନ୍ୟ ଆଗରେ ମୁଣ୍ଡ ନ ନୂଆଇ ଜାତି ଓ ଦେଶର ଉତ୍ଥାନ କରିହେବ ତାହା ପ୍ରତି ଆମ୍ଭେ ସମସ୍ତେ ଦ୍ରୁଷ୍ଟି ଦେବା ଜରୁରୀ। ତାଙ୍କର ଏହି ସବୁ ଗୁଣରୁ ଅନୁପ୍ରାଣିତ ହୋଇ ଯଦି ଆଜିର ଓଡିଆ ଯୁବଗୋଷ୍ଠୀ କାର୍ଯ୍ୟ କରିବ ତେବେ ଆମ ରାଜ୍ୟ ନିକଟ ଭବିଷ୍ୟତ ରେ କେବେ ମଧ୍ୟ ପଛୁଆ ଓ ଅବେହେଳିତ ରାଜ୍ୟ ଭାବେ ପରିଚୟ ପାଇବନାହଁ |