
ରଜାପୁଅ ଓ ମାଙ୍କଡ ରାଣୀ
ବହୁ ପୁରାତନ କଥା । ଇଉରୋପର ଫ୍ରାନ୍ସ ରାଜ୍ୟରେ ଜଣେ ରାଜା ଥିଲେ । ତାଙ୍କର ଅବା କେଉଁ କଥାରେ ଅଭାବ । ଧନ, ସମ୍ପତ୍ତି, କ୍ଷମତା ତ ଯାହାକୁ ଯେତେ । ତେଣୁ ସେ ରାଜ୍ୟର ଲୋକେ ବି ଅତ୍ୟନ୍ତ ସୁଖରେ ଥାଆନ୍ତି । ପାଖ ପାଡାଶୀ ରାଜାମାନେ ତାଙ୍କୁ ସର୍ବଦା ଭୟ କରି ଥାଆନ୍ତି । ହେଲେ ଏତେ ସୁଖ ସୌଭାଗ୍ୟ ମଧ୍ୟରେ କିନ୍ତୁ ରାଣୀଙ୍କର ମନରେ ଆଦୌ ସୁଖ ନଥାଏ । କାହିଁକିନା ଏପର୍ଯ୍ୟନ୍ତ ତାଙ୍କର କୋଳରେ ବିଧାତା ସନ୍ତାନଟିଏ ଦେଇ ନାହିଁ । ଏଥିପାଇଁ ସେ ରାଣୀ ବାରମାସରେ ନାନା ବ୍ରତ ଉପବାସ କରୁଥାନ୍ତି ।
ଦିନେ ସେ ରାଣୀ ତାଙ୍କ କୋଠା ଛାତ ଉପରେ ମନ ଦୁଃଖରେ ବସିଅଛନ୍ତି, ହଠାତ୍ ଆକାଶରେ ଉଡି ଉଡି ସରଗର ପରୀଟିଏ ଆସି ତାଙ୍କ ପାଖରେ ଓହ୍ଲାଇ ପଡିଲା । ପରୀଙ୍କୁ ରାଣୀ ଆଦର କରି ତାଙ୍କ ପାଖରେ ବସାଇଲେ । ପରୀ କହିଲା, “ରାଣୀ ତୁମର ମନ କଥା ମୁଁ ଠିକ୍ ଜାଣେ । କୋଳରେ ତୁମର ସନ୍ତାନଟିଏ ନାହିଁ ବୋଲି ତୁମେ ସର୍ବଦା ଭାବି ହେଉଛ । ମାତ୍ର ମୁଁ କ’ଣ କରିବି? ତୁମର ତ କପାଳରେ ନାହିଁ ।”
ରାଣୀ ଏପରି କଥା ଶୁଣି ହଠାତ୍ କାନ୍ଦି ପକାଇଲେ । ପରୀକୁ କାକୁତି ମିନତି ହୋଇ ବହୁତ କହିଲେ, ଯେପରି ହେଉ ମୁଁ ମୋ କୋଳରେ ସନ୍ତାନଟିଏ ଚାହେଁ । ନଚେତ୍ ଏ ଜୀବନରେ ମୋର ଆଉ ମୂଲ୍ୟ କ’ଣ?
ପରୀରାଣୀ ରାଣୀଙ୍କ ଏପରି ବିକଳ ସହି ନ ପାରି ତାଙ୍କୁ ଗୋଟିଏ ଫୁଲତୋଡା ଦେଇ କହିଲା, “ଏଇଟିକୁ ଯତ୍ନରେ ସାଇତି ରଖ । ଅଳ୍ପକାଳ ପରେ ତୁମର ନିଶ୍ଚୟ ପିଲାଟିଏ ହେବ; ମାତ୍ର ସେ ହିଁ ହେବ ତୁମର ଦୁଃଖର କାରଣ । ସନ୍ତାନଟିଏ ଜନ୍ମ ହେଲା ପରେ ତା ମୁଣ୍ଡରେ ଏ ଫୁଲତୋଡାଟି ରଖିଦେବ ।”
ଏତିକି କହି ସେ ପରୀରାଣୀ ଉଡି ଉଡି ଆକାଶରେ ହଠାତ୍ କୁଆଡେ ଅଦୃଶ୍ୟ ହୋଇଗଲା ।
ସତକୁ ସତ, କିଛିଦିନ ପରେ ରାଣୀଙ୍କର ଝିଅଟିଏ ହେଲା । ତାପରେ ରାଣୀଙ୍କର ଆନନ୍ଦ କହିଲେ ନସରେ । ସେ ତାଙ୍କ ଧାଈମାନଙ୍କୁ ଆଦେଶଦେଲେ ପରୀ ରାଣୀ ଦେଇଥିବା ସେ ଫୁଲତୋଡାକୁ ଝିଅ ମୁଣ୍ଡରେ ଲଗାଇଦେବା ପାଇଁ । ଧାଈମାନେ ଫୁଲତୋଡାଟି ଝିଅ ମଣ୍ଡରେ ଯେମିତି ଲଗାଇ ଦେଇଛନ୍ତି, ସାଙ୍ଗେ ସାଙ୍ଗେ ସେ ଗୋଟିଏ ମାଙ୍କଡ ପିଲା ହୋଇଗଲା । ଏସବୁ ଦେଖି ହଠାତ୍ ରାଣୀଙ୍କର ହଲକ ଶୁଖିଲା । ତାଙ୍କୁ ଆଉ ବୁଦ୍ଧି ବାଟ କିଛି ଦିଶିଲା ନାହିଁ । ରାଜା ଯଦି ଜାଣିବେ ଯେ ରାଣୀ ଗୋଟିଏ ମାଙ୍କଡଛୁଆ ଜନ୍ମ କରିଛନ୍ତି ତେବେ ଜାଣ ତାଙ୍କ ଭାଗ୍ୟରେ କଳାକନା ବୁଲିଯିବ ।
ଏହି ସମୟରେ ଜଣେ ବୁଢୀ ଧାଈ ରାଣୀମାଙ୍କୁ ପରାମର୍ଶ ଦେଲା, “ରାଜାଙ୍କୁ କହିବା, ଛୁଆଟା ଜନ୍ମ ହେବା ସଙ୍ଗେ ସଙ୍ଗେ ମରିଯାଇଛି । ତାପରେ ଆମେ ଗୋଟିଏ ବାକ୍ସରେ ପୂରାଇ ଏ ମାଙ୍କଡ ପିଲାଟିକୁ ନଈରେ ଭସାଇ ଦେବା ।”
ସତକୁ ସତ ସେ ମାଙ୍କଡ ଛୁଆକୁ ଗୋଟିଏ ବାକ୍ସରେ ପୂରାଇ ରାଜାଘର ଚାକର ତାକୁ ନେଇ ନଈରେ ଭସାଇଦେବ ବୋଲି ଗଲା । ନଦୀ କୂଳରେ ସେ ଚାକର ଜଣକ ପହଁଚି ବାକ୍ସଟିକୁ ଭସାଇ ଦେବ ବୋଲି ବସିଛି, ଠିକ୍ ଏତିକିବେଳେ ପଡୋଶୀ ରାଜ୍ୟର ରାଣୀ ଗୋଟିଏ ରଥରେ ବସି ସେହି ବାଟେ ଯାଉଥିଲେ । ତାଙ୍କ କୋଳରେ ଥାଏ ତାଙ୍କର ଗୋଟିଏ ପାଂଚବର୍ଷର ପୁଅ । ସେ ଏହି ମାଙ୍କଡ ପିଲାଟିକୁ ଦେଖି ତା ସହିତ ଖେଳିବ ବୋଲି ଖୁବ୍ ଜିଗର୍ କଲା । ତେଣୁ ସେ ରାଣୀ ଏ ଚାକରକୁ କିଛି ଟଙ୍କା ଦେଇ ତାଠାରୁ ସେହି ମାଙ୍କଡପିଲାକୁ କିଣି ନେଇଗଲେ ।
ରାଜଉଆସ ମଧ୍ୟରେ ସେ ମାଙ୍କଡପିଲାଟି ତ ବଡ ଆଦର ଯତ୍ନରେ ଥାଏ । ରଜାପୁଅ ସାଥିରେ ସେ ମାଙ୍କଡ ପିଲାଟି ଖେଳୁଥାଏ, ତାରି ହାତରୁ ବି ଖାଉଥାଏ । ରଜାପୁଅ ପାଠ ପଢିଲେ ବି ତାରି ପାଖରେ ବସି ଏ ମାଙ୍କଡପିଲାଟି ସବୁ ଶୁଣେ । ଦିନେ ଜଣାଗଲା ଯେ, ସେ ମାଙ୍କଡର ପାଟି ଫିଟିଯାଇଛି । ସେ ଅବିକଳ ମଣିଷ ପରି ହିଁ କଥା କହୁଛି । ଏପରି ଅବସ୍ଥା ଦେଖି ହଠାତ୍ ସମସ୍ତେ ତାଟକା ହୋଇଗଲେ ।
ତହୁଁ ସେ ରାଜମହଲର ସମସ୍ତେ ଏ ମାଙ୍କଡ ସହିତ କୌତୁକ କରି ଖୁବ୍ ସୁଖ ପାଇଲେ । ଚାହୁଁ ଚାହୁଁ ସେ ମାଙ୍କଡକୁ ଆସି ଷୋଳବର୍ଷ ବୟସ ହୋଇଗଲା । ତା ବିଷୟରେ ଚାରିଆଡେ ତ ପ୍ରଚାର ହୋଇଯାଇଥାଏ । ପାଖ ବଣରେ ଜଣେ ମାଙ୍କଡ ରାଜା ଥାଆନ୍ତି । ତାଙ୍କରି ଅଧୀନରେ ଥାଆନ୍ତି ଲକ୍ଷ ଲକ୍ଷ ମାଙ୍କଡ ସୈନ୍ୟ । ସେମାନଙ୍କ ଅତ୍ୟାଚାରରେ ପାଖ ପଡୋଶୀ ରାଜାମାନେ କରପତ୍ର ଯୋଡି ଥାଆନ୍ତି । ଦିନେ ସେ ମାଙ୍କଡ ରାଜା ଏହି ମାଙ୍କଡ ରାଜକୁମାରୀକୁ ବାହା ହେବା ପାଇଁ ନିଜ ଦୂତ ପଠାଇଲେ । ଏହି ସମ୍ବାଦ ଶୁଣି ରାଜା ରାଣୀ ବା କାହିଁକି ଆଉ ମନା କରନ୍ତେ, ମାଙ୍କଡ ରାଜାକୁ ମାଙ୍କଡ ରାଜକୁମାରୀ ବାହା ହବ । ପୁଣି ଏହା ଦ୍ୱାରା ତାଙ୍କ ସହିତ ମଧ୍ୟ ବନ୍ଧୁତା ସ୍ଥାପିତ ହେବ ।
କିନ୍ତୁ ଏପରି ଏକ ପ୍ରସ୍ତାବ ଶୁଣି ସେ ମାଙ୍କଡ ରାଜକୁମାରୀର ମନରେ ଆଦୌ ସୁଖ ନ ଥାଏ । ସେ ଯାଇ ରାଜକୁମାରକୁ କହିଲା, “ମୁଁ ତୁମଛଡା ଆଉ କାହାକୁ ମଧ୍ୟ ବାହାହେବି ନାହିଁ । ତୁମେ ଏଥିରେ ରାଜି ହୁଅ ।”
ମାଙ୍କଡକୁ ବାହାହେବ? ଏ କିପରି କଥା । ଏକଥା ଶୁଣି ସେ ରାଜାପୁଅ ଖାଲି ହସି ହସି ବେଦମ୍ ହୋଇଗଲା ।
ସେ ମାଙ୍କଡ ରାଜକୁମାରୀ ଜଣକ ଏଥର ଦେଖିଲା ତାର ଆଉ ରକ୍ଷା ନାହିଁ । ସେ ହଠାତ୍ ଛାତଉପରୁ ଡେଇଁପଡି ଜଙ୍ଗଲ ଭିତରେ ଯାଇ ଲୁଚିଗଲା । ତା ପଛରେ ରାଜାଘର ଲୋକେ କିଛି ବାଟ ଗୋଡାଇ ଗୋଡାଇ ପୁଣି ଫେରି ଆସିଲେ । ତହୁଁ ସେ ମାଙ୍କଡ ରାଜକୁମାରୀ ଅତ୍ୟନ୍ତ ମନଦୁଃଖରେ ଆତ୍ମହତ୍ୟା କରିବ ବୋଲି ଗୋଟିଏ ନଈ ଭିତରକୁ ଡେଇଁ ପଡିଲା । ସୁଅରେ ଭାସିଯାଉଛି, ଏହି ସମୟରେ ମାଛମାନଙ୍କର ରାଜା ତାକୁ (ମାଙ୍କଡଛୁଆକୁ) ପାଣି ଭିତର ଉଆସକୁ ନେଇଗଲେ । ତାର (ମାଙ୍କଡଛୁଆର) ସମସ୍ତ ପ୍ରକାର ହେପାଜତ ମଧ୍ୟ କଲେ । ସେ ମାଙ୍କଡ ଛୁଆକୁ ଆଶ୍ୱାସନା ଦେଇ ମାଛମାନଙ୍କର ରାଜା ତାକୁ କହିଲେ, “ତୋର ଏ ଦୁଃଖ ଆଉ ଅଧିକ ଦିନ ରହିବ ନାହିଁ ।” ଏତିକି କହି ମାଛମାନଙ୍କର ରାଜା ତାକୁ ତଥା ସେ ମାଙ୍କଡଛୁଆକୁ ଗୋଟିଏ ଜାଦୂ ମୁଦି, ଜାଦୂ ପଥର ଆଉ ଦର୍ପଣ ଦେଲେ । କହିଲେ, “ତୁ ଏହାକୁ ସାବଧାନରେ ରଖିଥିବୁ । ତୋର ବିପଦବେଳେ ଏହା ନିଶ୍ଚୟ ତୋର କାମରେ ଆସିବ ।”
ଗଲାବେଳେ ତାଙ୍କର କଇଁଛ ବାହନକୁ କହିଲେ, ଏ ମାଙ୍କଡ ରାଜକୁମାରୀକୁ ରାଜ୍ୟର ସୀମା ପାରି କରି ଦେବା ପାଇଁ । ରାଜକୁମାରୀ କଇଁଛ ଉପରେ ବସି କେତେ ବଣ ବିଲ ଜଙ୍ଗଲ ପାରି ହୋଇଗଲା । ଶେଷରେ ପଡିଲା ଏକ ଅପନ୍ତରା ରାଜ୍ୟ । ସେହି ରାଜ୍ୟରେ ଚାରିଆଡେ ଖାଲି ବାଲି ଆଉ ବାଲି । ସେଇଠି କଇଁଛ ଏ ମାଙ୍କଡ ରାଜକୁମାରୀକୁ ଛାଡିଦେଇ ସେ ତା ନିଜ ରାଜ୍ୟକୁ ଫେରିଗଲା ।
ଏଣେ ସେ ମାଙ୍କଡ ରାଜକୁମାରୀ ଏକୁଟିଆ ବସି ଖାଲି ବିକଳ ହୋଇ କାନ୍ଦିଲା । ଏବେ ସେ କ’ଣ କରିବ? କୁଆଡେ ଯିବ? ମାଛ ରାଜା ତାକୁ କାହିଁକି ବଂଚାଇଲେ, ପୁଣି ଏ ଅପନ୍ତରା ରାଜ୍ୟରେ ତାକୁ ବା କାହିଁକି ଆଣି ଛାଡିଲେ? କେତେ ସମୟ ପରେ ହଠାତ୍ ତାର ମନେ ପଡିଲା ସେ କୁହୁକ ମୁଦି, କୁହୁକ ପଥର ଆଉ ସେ ଦର୍ପଣ କଥା । ତେଣୁ ସେ ସାଙ୍ଗେ ସାଙ୍ଗେ ତାର ବ୍ୟାଗ୍ ରୁ ମୁଦିଟି କାଢି ପିନ୍ଧି ପକାଇଲା । ମାତ୍ର ଏ କ’ଣ ହେଲା! ତାର ଦେହର ଲୋମ ସବୁ କୁଆଡେ ଚାହୁଁ ଚାହୁଁ ଉଭେଇଗଲା । ଲାଙ୍ଗୁଡ କୁଆଡେ ମିଳାଇଗଲା । ତା ଦେହର ରଙ୍ଗ ବି ସମ୍ପୂର୍ଣ୍ଣ ବଦଳିଗଲା । ହଠାତ୍ ତାର ହାତଗୋଡରେ ବଳ ସବୁ ଖୁନ୍ଦି ହୋଇପଡିଲା । ଏବେ ସେ ଦର୍ପଣରେ ନିଜକୁ ଦେଖି ଆଦୌ ବିଶ୍ୱାସ କରିପାରିଲା ନାହିଁ । ଏହି ଅଳ୍ପ ସମୟ ମଧ୍ୟରେ ସେ ଏକ ସୁନ୍ଦରୀ ରାଜକୁମାରୀ ହୋଇଯାଇଛି । ତା’ ଦେହରେ ବି କେତେ ଅଳଙ୍କାର ମାନ ଭର୍ତ୍ତି ହୋଇ ରହିଛି ।
ଏହାପରେ ସେ ରାଜକୁମାରୀ କୁହୁକ ପଥରକୁ ଯେମିତି ଟିକେ ରଗଡି ଦେଇଛି, ତାରି ମଧ୍ୟରୁ ଅସଂଖ୍ୟ ଲୋକ ବାହାରି ପଡିଲେ, ଆଉ ସେ ରାଜା ଝିଅର ସମସ୍ତ ଆଦେଶକୁ ଅପେକ୍ଷା କରି ରହିଲେ । ସେହି ମାନଙ୍କ ସାହାଯ୍ୟରେ ରାଜାଝିଅ ସେଠାରେ ଗୋଟିଏ ରାଜପ୍ରସାଦ ତିଆରି କଲା । ଧନଧାନ୍ୟରେ ସେ ରାଜଅମାର ଭର୍ତ୍ତି ହୋଇଗଲା । ସବୁବେଳେ ଦାସଦାସୀ ସୈନ୍ୟସାମନ୍ତ ଖଟିବାକୁ ଲାଗିଲେ । ଏହିପରିଭାବେ ଖୁବ୍ ଅଳ୍ପ ଦିନରେ ସେ ରାଜକୁମାରୀର ନାଁ ଚାରିଆଡେ ପ୍ରଚାର ହୋଇଗଲା । ସବୁଆଡୁ କେତେ କେତେ ବୀର ରାଜକୁମାର ଆସିଲେ ସେ ରାଜକୁମାରୀକୁ ବାହାହବା ପାଇଁ ।
ସେହି ରାଜକୁମାରୀଙ୍କ ପାଖରେ ବଛା ବଛା ମଲ୍ଲ ବୀରମାନେ ଥାଆନ୍ତି । ରାଜକୁମାରୀ ପଣ କରି ଥାଏ ଯେଉଁ ରାଜକୁମାର ସେହି ମଲ୍ଲବୀରମାନଙ୍କୁ ପରାସ୍ତ କରିବ, ରାଜକୁମାରୀ ତାଙ୍କରି ହିଁ ହାତ ଧରିବ । ଏହି କଥା ଶୁଣି କେତେଆଡୁ କେତେ ରାଜକୁମାର ଆସି ସେହି ମଲ୍ଲମାନଙ୍କ ହାତରେ ପରାଭବ ପାଇ ଫେରିଗଲେ ।
ଦିନକର କଥା । ରାଜକୁମାରୀ ମାଙ୍କଡଛୁଆ ହୋଇ ଯେଉଁ ରାଜକୁମାର ସହିତ ପିଲାଦିନେ ହସି ଖେଳି ବିତାଇଥିଲା, ସେ ମଧ୍ୟ ଆସିଲା ମଲ୍ଲମାନଙ୍କ ସହିତ ଲଢିବା ପାଇଁ । ଏ ରାଜକୁମାରକୁ ଦେଖି ରାଜକୁମାରୀ ଠିକ୍ ଚିହ୍ନିପାରିଲା । ରାଜପାରିଷଦମାନେ ରାଜକୁମାରକୁ ଅନେକ ଆଦର ଗଉରବ କରି ଅଭ୍ୟର୍ଥନା କଲେ । ରାଇଜର ଲୋକେ ସେ ଖୋଲା ପଡିଆରେ ସମସ୍ତେ ଯାଇ ଏକାଠି ହେଲେ । ମଲ୍ଲମାନଙ୍କ ସହିତ ସେ ରାଜକୁମାରର ପ୍ରବଳ ଲଢେଇ ଚାଲିଥାଏ । କିଏ ଜିଣିବ କିଏ ହାରିବ ସେ କଥା କହିବା ଭାରି କଷ୍ଟକର । ଏଣେ ଏ ରାଜକୁମାରୀ ମନେ ମନେ ଖାଲି ପ୍ରଭୁଙ୍କୁ ଡାକୁଥାଏ, “ହେ ଭଗବାନ! ଏହି ରାଜ କୁମାରଙ୍କୁ ଜୟୀ କରିଦିଅ ।”
ସତକ ସତ ସେ ରାଜକୁମାରୀର ଡାକ ଭଗବାନ ଶୁଣିଲେ । ମଲ୍ଲମାନେ ବି ପରାସ୍ତ ହେଲେ । ମାତ୍ର ଏହି ଲଢେଇରେ ସେହି ରାଜକୁମାର ମଧ୍ୟ ଅତ୍ୟନ୍ତ ଅସୁସ୍ଥ ହୋଇ ପଡିଲେ । ରାଜକୁମାରୀର ଆଦେଶରେ ସେହି ରାଜକୁମାରକୁ ଦାସୀମାନେ ରାଜମହଲକୁ ନେଇ ଗଲେ । ସେଠାରେ ନିଜେ ରାଜକୁମାରୀ ସେହି ଆଗନ୍ତୁକ ତଥା ବିଜୟୀ ଅସୁସ୍ଥ ରାଜକୁମାରଙ୍କର ଅନବରତ ସେବା କରିବାକୁ ଲାଗିଲେ ।
କିଛି ଦିନ ପରେ ରାଜକୁମାର ସୁସ୍ଥ ହେଲା । ରାଜକୁମାରୀର ସେବା ଯତ୍ନ ପାଇ ସେ ରାଜକୁମାର ଆହୁରି ମୁଗ୍ଧ ହୋଇଗଲା । ମନେ ମନେ ସେ ଭାବିଲା, ଭାଗ୍ୟରେ ଥିଲେ ଏପରି ରାଜକୁମାରୀକୁ ରାଣୀ କରିବାର ସୌଭାଗ୍ୟ ମିଳେ ।
ରାଜକୁମାରୀ ଦିନେ ତାର ଅତୀତର ସମସ୍ତ କଥା ସେ ରାଜକୁମାରଙ୍କ ଆଗରେ ଫିଟାଇ କହିଲା । ସେ କିପରି ମାଙ୍କଡ ଥିଲା ଏବଂ କିପରି ସେ ତାର ଘର ଛାଡି ଚାଲିଆସିଲା ଏବଂ କିପରି ମାଛରାଜାର ଆଶୀର୍ବାଦରୁ ସେ ମନୁଷ୍ୟ ରୂପ ପାଇଲା ଏବଂ ଏଠାରେ ନଅର ତିଆରି କଲା ଇତ୍ୟାଦି । ମୋଟ ଉପରେ ପରୀରାଣୀର ଅଭିଶାପରୁ ସେ ମାଙ୍କଡ ରୂପ ପାଇଥିଲା ଏବଂ ମାଛରାଜାର ଦୟାରୁ ପୁଣି ମନୁଷ୍ୟ ରୂପ ଲାଭକଲା ।
ଏ ସମସ୍ତ କଥା ଶୁଣି ସେହି ରାଜା ପୁଅର ଆନନ୍ଦ କହିଲେ ନ ସରେ । ସେ ତାର ବାପା ବୋଉଙ୍କୁ ସେଠାକୁ ଡକାଇ ଆଣିଲା । ସେମାନେ ରାଜକୁମାରୀର ରୂପ ଦେଖି ମୋହିତ ହୋଇଗଲେ । କେତେ ଆଡମ୍ବରରେ ସେମାନଙ୍କର ବାହାଘର ହେଲା । ତତ୍ପରେ ସେ ରାଜାପୁଅ ଏବଂ ରାଜକୁମାରୀ ସେଠାରେ ନୂଆ ରାଜ୍ୟ କରି ଅତ୍ୟନ୍ତ ସୁଖରେ ରହିଲେ ।