
ବିରବଲଙ୍କ ଚତୁରତା
ଆକବର ପ୍ରତିଦିନ ବିରବଲଙ୍କୁ ନାନାଦି ପ୍ରଶ୍ନ ପଚାରନ୍ତି । ବିରବଲ ମଧ୍ୟ ହାର ମାନିବା ଲୋକ ନୁହେଁ । ସେ ସମସ୍ତ ସମସ୍ୟାର ସମାଧାନ କରିଦିଅନ୍ତି । ତେଣୁ ବିରବଲଙ୍କୁ କେମିତି ବୋକା ବନାଇବେ ସେଥିପାଇଁ ଆକବର ମନେ ମନେ ଏକ ଯୋଜନା କଲେ । ଆକବର ତାଙ୍କର ମନ୍ତ୍ରୀମାନଙ୍କ ଆଗରେ ଏହି କଥା ପ୍ରକାଶ କଲେ । ସମସ୍ତେ ମଧ୍ୟ ରାଜାଙ୍କ କଥାରେ ଏକମତ ହେଲେ ।
ଦିନେ ବିରବଲ ଆସିବା ପୂର୍ବରୁ ରାଜା ଉପସ୍ଥିତ ଥିବା ସମସ୍ତ ମନ୍ତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଅଣ୍ଡା ଦେଲେ । ବିରବଲ ଯେମିତି ଆସି ପହଁଚିଲେ, ରାଜା କହିଲେ, “ମନ୍ତ୍ରୀଗଣ! ଗତକାଲି ରାତିରେ ମୁଁ ଏକ ସ୍ୱପ୍ନ ଦେଖିଛି । ସ୍ୱପ୍ନରେ ଦେଖିଲି ଯେ ଜଣେ ସାଧୁ ବ୍ୟକ୍ତି ମତେ କହୁଛନ୍ତି ତୁମ୍ଭ ମନ୍ତ୍ରୀଗଣଙ୍କ ମଧ୍ୟରୁ କିଏ ଚତୁର ଜାଣିବାପାଇଁ ତୁମକୁ ଏକ କାମ କରିବାକୁ ହେବ । ପ୍ରାସାଦ ନିକଟରେ ଥିବା ପୁଷ୍କରିଣୀରୁ ଯିଏ କୁକୁଡା ଅଣ୍ଡା ଆଣି ଦେବ ସେ ମନ୍ତ୍ରୀମାନଙ୍କ ମଧ୍ୟରେ ଚତୁର ବୋଲି ଗଣାହେବ । ଆକବର ତ’ ବିରବଲ ଦରବାରକୁ ଆସିବା ପୂର୍ବରୁ ଅନ୍ୟ ମନ୍ତ୍ରୀମାନଙ୍କୁ ଅଣ୍ଡା ଦେଇଥିଲେ । ସେମାନେ ସମସ୍ତେ ପୋଖରୀରେ ବୁଡିଯାଇ ହାତରେ ଅଣ୍ଡା ଧରି ଉପରକୁ ଆସିଲେ । ଶେଷରେ ବିରବଲଙ୍କ ପାଳି ପଡିଲା । ସେ ସଂଗେ ସଂଗେ ପୋଖରୀ ପାଣିକୁ ଡେଇଁ ପଡିଲେ । ବୁଡି ବୁଡି ଯେତେ ଖୋଜା ଖୋଜି କଲେ ମଧ୍ୟ ଅଣ୍ଡା ପାଇଲେ ନାହିଁ ।
ହଠାତ୍ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା । ସେ ଏହାକୁ ରାଜାଙ୍କର ଏକ ସୁଚିନ୍ତିତ ଯୋଜନା ବୋଲି ଅନୁମାନ କରିପାରିଲେ । ତେଣୁ ସେ ତତ୍କ୍ଷଣାତ୍ ଉପରକୁ ଉଠିଯାଇ କୁକୁଡା ପରି ବୋବାଇବାକୁ ଆରମ୍ଭ କଲେ । ଏପରି ଶବ୍ଦ ଶୁଣି ମହାରାଜ ଆକବର ବିରକ୍ତ ହୋଇ କହିଲେ, “ବିରବଲ! ଏପରି ଶବ୍ଦ ବନ୍ଦକରି ଅଣ୍ଡା ଆଣି କେଉଁଠାରେ ରଖିଛ ମୋତେ ଦିଅ ।” ଆକବରଙ୍କ କଥା ଶୁଣି ବିରବଲ ହସି ଉଠି କହିଲେ, “ମହାରାଜ, ମୁଁ ତ’ ଗୋଟିଏ ଗଞ୍ଜା, ମୁଁ କେମିତି ଅଣ୍ଡା ଆଣି ଆପଣଙ୍କୁ ଦେବି ।” ବିରବଲଙ୍କ କଥା ଶୁଣି ସ୍ୱୟଂ ମହାରାଜଙ୍କ ସମେତ ଉପସ୍ଥିତ ସଭ୍ୟମାନେ ଜୋର୍ରେ ହସି ଉଠିଲେ । ଆକବର ମନେ ମନେ ଭାବିଲେ ପ୍ରକୃତରେ ବିରବଲଙ୍କୁ ବୋକା ବନାଇବା କଷ୍ଟକର ।
ଆକବର ଏବଂ ତାଙ୍କର ସ୍ୱପ୍ନ
ଥରେ ମହାରାଜ ଆକବର ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନଟି ଥିଲା ଆକବରଙ୍କର ସବୁ ଦାନ୍ତ ପଡିଯାଇଛି କେବଳ ଗୋଟିଏ ଦାନ୍ତ ରହିଛି । ସ୍ୱପ୍ନଟି ଦେଖିବାପରେ ଆକବରଙ୍କୁ କିଛି ଭଲ ଲାଗିଲା ନାହିଁ । ସେ ରାଜ୍ୟରେ ଥିବା ସମସ୍ତ ଜ୍ୟୋତିଷମାନଙ୍କୁ ଡକାଇଲେ । ଜ୍ୟୋତିଷମାନେ ଆସିବାପରେ ମହାରାଜ୍ ସେମାନଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ଜ୍ୟୋତିଷମାନେ ସବୁ ଶୁଣିବାପରେ କହିଲେ, “ହଜୁର୍! ଏପରି ସ୍ୱପ୍ନ ଦେଖିବା ଅର୍ଥ ଏହା ସୂଚନା ମିଳୁଛି ଯେ, ଆପଣଙ୍କର ସଂପର୍କୀୟମାନେ ସମସ୍ତେ ମୃତ୍ୟୁବରଣ କରିବେ, ଆପଣଙ୍କ ପୂର୍ବରୁ ।” ଜ୍ୟୋତିଷମାନେ ଏହି କଥା କହି ଦରବାରରୁ ବିଦାୟ ନେଲେ ।
ଜ୍ୟୋତିଷମାନଙ୍କ କଥା ଶୁଣି ଆକବର ମନ ଦୁଃଖ କଲେ । ମନମାରି ସେମିତି ଗୋଟିଏ ଜାଗାରେ ବସି ରହିଲେ । ସମସ୍ତ ସଂପର୍କୀୟମାନଙ୍କ ପାଖକୁ ଖବର ପଠାଇ ସେମାନଙ୍କର ଭଲ ମନ୍ଦ ବୁଝୁ ଥାଆନ୍ତି । ସବୁ ସମୟରେ ସେ ସେହି ସ୍ୱପ୍ନ କଥା ହିଁ ଭାବୁଥାଆନ୍ତି । ବିରବଲ ଯେତେବେଳେ ଆକବରଙ୍କର ଦରବାରରେ ଆସି ପହଁଚିଲେ, ରାଜାଙ୍କ ଠାରୁ ସବୁ କଥା ଶୁଣିଲେ । ଜ୍ୟୋତିଷମାନଙ୍କ କଥା ମଧ୍ୟ ଶୁଣିଲେ । ସବୁ କଥା ଶୁଣିବାପରେ ବିରବଲ କିଛି ସମୟ ଚିନ୍ତା କଲେ । ଚିନ୍ତା କରି ମହାରାଜଙ୍କୁ କହିଲେ, “ହଜୁର୍! ଆପଣ ଜ୍ୟୋତିଷମାନଙ୍କ କଥା ବୁଝିପାରିନାହାଁନ୍ତି । ପ୍ରକୃତରେ ଆପଣ ଆପଣଙ୍କ ସଂପର୍କୀୟମାନଙ୍କ ଠାରୁ ଅଧିକ ଦିନ ବଂଚିବେ ।”
ବିରବଲଙ୍କ କଥା ଶୁଣି ଆକବର ଖୁସି ହୋଇଗଲେ । ପ୍ରକୃତରେ ମହାରାଜ୍ଙ୍କର ଯେତେ ସମସ୍ୟା ସୃଷ୍ଟି ହେଉଥିଲା ବିରବଲ ହିଁ ସମସ୍ୟାର ସରଳ ସମାଧାନ କରିଦେଉଥିଲେ ।
ବିରବଲଙ୍କ ଘରକୁ ରାସ୍ତା
ପ୍ରତିଦିନ ନଗର ପରିଭ୍ରମଣ କରିବା ବିରବଲଙ୍କର ଏକ ଅଭ୍ୟାସ । ଏହି ନଗର ଭ୍ରମଣ ସମୟରେ ସେ ଲୋକମାନଙ୍କର ଭଲ ମନ୍ଦ କଥା ପଚାରି ବୁଝନ୍ତି । ଦିନେ ସକାଳେ ଆଗ୍ରା ସହରରେ ବୁଲୁଥିବା ସମୟରେ ହଠାତ୍ ଜଣେ ଲୋକ ଆସି ବିରବଲଙ୍କୁ ପଚାରିଲା, “ମହାଶୟ! ଆପଣ କହିପାରିବେ କି, ବିରବଲଙ୍କ ଘରକୁ ଯିବାକୁ ରାସ୍ତା କେଉଁଟା?” ଲୋକଟିର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ ତାଙ୍କୁ ରାସ୍ତା ବତାଇଦେଲେ ସତ କିନ୍ତୁ ନିଜେ ବିରବଲ ବୋଲି ପରିଚୟ ଦେଲେ ନାହିଁ । ଲୋକଟି କିଛି ସମୟ ପରେ ଯାଇ ବିରବଲଙ୍କ ଘର ନିକଟରେ ପହଁଚିଲା । ଘରର ଦରୱାନ୍ ଙ୍କୁ ପ୍ରଥମେ ବିରବଲ ଉପସ୍ଥିତ ଅଛନ୍ତି କି ନାହିଁ ପଚାରିବାରୁ ବିରବଲ ଘରେ ନାହାଁନ୍ତି ବୋଲି ଦରୱାନ୍ ଜଣାଇଲା । ଲୋକଟି ବିରବଲଙ୍କୁ ତାଙ୍କ ଘରେ ଅପେକ୍ଷା କଲା ।
କିଛି ସମୟ ପରେ ବିରବଲଙ୍କ ଚାକର ଆସି ଲୋକଟିକୁ ବିରବଲ ଆସିଲେଣି ବୋଲି ଜଣାଇଲା । ଲୋକଟି ଯେତେବେଳେ ବିରବଲଙ୍କୁ ସାମ୍ନାରେ ଦେଖିଲା ସେ ବିଶ୍ୱାସ କରିପାରିଲା ନାହିଁ । ମନେ ମନେ ଚିନ୍ତା କଲା, ଏଇ ବ୍ୟକ୍ତିଙ୍କୁ ତ’ ସେ ରାସ୍ତାରେ ବିରବଲଙ୍କ ଘରକୁ ରାସ୍ତା କଥା ପଚାରିଥିଲା । ସେ ସଂଗେ ସଂଗେ ବିରବଲଙ୍କୁ ପଚାରିଲା, “ମହାଶୟ! ଆପଣ ରାସ୍ତାରେ ଆପଣଙ୍କର ପରିଚୟ ଦେଲେ ନାହିଁ କାହିଁକି? ବିରବଲ ସଂଗେ ସଂଗେ କହିଲେ, “ତୁମେ ବିରବଲଙ୍କ ଘରକୁ ରାସ୍ତା ପଚାରୁଥିଲ । ତେଣୁ ମୁଁ ତୁମକୁ ରାସ୍ତା ବତାଇ ଦେଲି । ତୁମେ କ’ଣ ବିରବଲଙ୍କ ସଂପର୍କରେ କିଛି ପଚାରିଛ କି, ମୁଁ ତୁମକୁ ମୋର ପରିଚୟ ଦେଇଥାଆନ୍ତି ।” ଲୋକଟି ବିରବଲଙ୍କ କଥା ଶୁଣି ହସି ଉଠିଲା ।
ବିରବଲଙ୍କର ବୁଦ୍ଧି
ଆକବରଙ୍କର ଯେଉଁ ସବୁ ସମସ୍ୟା ଦେଖାଯାଉଥାଏ, ବିରବଲ ସବୁ ସମସ୍ୟାର ସହଜ ସମାଧାନ କରିଦେଉଥାଆନ୍ତି । ତେଣୁ ବିରବଲ ମହାରାଜାଙ୍କର ଏକାନ୍ତ ପ୍ରିୟ ହୋଇ ଉଠୁଥିଲେ । ବିରବଲଙ୍କ ପ୍ରତି ରାଜାଙ୍କର ଶ୍ରଦ୍ଧା ଦେଖି ଅନ୍ୟ ମନ୍ତ୍ରୀଗଣ ଈର୍ଷାପରାୟଣ ହୋଇପଡୁଥିଲେ । ଏକଥା ଆକବର ଜାଣିବାକୁ ପାଇଲେ । ମହାରାଜ ମନେ ମନେ ଠିକ୍ କଲେ କିପରି ଏହି ମନ୍ତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବେ । ଯାହାଦ୍ୱାରା ସେମାନେ ଉପଲବଧି କରିପାରିବେ ଯେ ବିରବଲ ସେମାନଙ୍କ ଠାରୁ ମହାନ୍ । ଏହି କଥା ମନ ମଧ୍ୟରେ ରଖି ଦିନେ ମହାରାଜ ମନ୍ତ୍ରୀଗଣଙ୍କୁ ଆଦେଶ ଦେଲେ, “ମହାଶୟ! ଗୋଟିଏ ଯାତ୍ରୀଦଳ ସୂଦୁର ଦେଶରୁ ଆସି ଆଗ୍ରା ସହରରେ ପହଁଚିଛନ୍ତି । ମୁଁ ଚାହୁଁଛି ତୁମେମାନେ ସମସ୍ତେ ସେମାନଙ୍କ ବିଷୟରେ ଉପଯୁକ୍ତ ତଥ୍ୟ ସଂଗ୍ରହ କରିଆଣି ମୋତେ ଦିଅ ।” ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ବିରବଲ କିନ୍ତୁ ନଥାନ୍ତି । କୌଣସି ଏକ କାରଣ ପାଇଁ ସେ ସେହି ଦରବାରକୁ ଆସିପାରିନଥିଲେ ।
ଠିକ୍ ଦୁଇଦିନ ପରେ ଆକବର ମନ୍ତ୍ରୀଗଣଙ୍କୁ ପଚାରିଲେ, “ମହାଶୟ! କେତେଜଣ ଯାତ୍ରୀ ବଣିଜ କରିବାକୁ ଆସିଛନ୍ତି? ମନ୍ତ୍ରୀଗଣଙ୍କ ମଧ୍ୟରୁ ଜଣେ ଉଠିପଡି କହିଲେ, “ହଜୁର୍! ସତେଇଶ ଜଣ ଯାତ୍ରୀ ଆସିଛନ୍ତି । ଏହାପରେ ରାଜା ସେମାନଙ୍କର ବ୍ୟବସାୟ, ସାଂଗରେ ଆଣିଥିବା ଜିନିଷପତ୍ର ଏବଂ ପଶୁମାନଙ୍କ ସଂପର୍କରେ ପଚାରିଲେ । ମନ୍ତ୍ରୀଗଣଙ୍କ ମଧ୍ୟରୁ ଜଣ ଜଣ କରି ପ୍ରଶ୍ନର ଉତ୍ତର ଦେଲେ । ଜଣେ ଉଠିପଡି କହିଲା, “ମହାରାଜ୍, ଏମାନେ ସାଂଗରେ ବିଭିନ୍ନ କିସମର ଜିନିଷ ଆଣିଛନ୍ତି । ଆଉ ଜଣେ କହିଲା, ସେମାନଙ୍କ ମଧ୍ୟରୁ ଜଣେ ଲୁଗାପଟା ଆଣିଛନ୍ତି, ଜଣେ ଜୀବଜନ୍ତୁ ମାନଙ୍କର ଚମଡା ଆଣିଛନ୍ତି, ଜଣେ ବିଭିନ୍ନ ପ୍ରକାରର ତେଲ ଆଣିଛନ୍ତି, ଜଣେ ବିଭିନ୍ନ କିସମର ଶସ୍ୟ ଜାତୀୟ ଦ୍ରବ୍ୟ ବିକ୍ରୀ କରିବାକୁ ଆଣିଛନ୍ତି । ଆଉ ଜଣେ ମନ୍ତ୍ରୀ ଉଠିପଡି କହିଲେ, “ମହାରାଜ୍! ଏମାନେ ଘୋଡା ପିଠିରେ ସବାର୍ ହୋଇ ଏଠାକୁ ଆସିଛନ୍ତି । ଓଟ ବୋଧହୁଏ ଆଣି ନାହାଁନ୍ତି ।
ଠିକ୍ ଏହି ସମୟରେ ବିରବଲ ଆସି ପହଁଚିଲେ । ଆକବର ସଂଗେ ସଂଗେ ତାଙ୍କୁ ଯାତ୍ରୀଦଳଙ୍କ ବିଷୟରେ ପଚାରିଲେ । ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ କହିଲେ, “ମହାରାଜ୍! ଆଗ୍ରା ସହରକୁ ଯାତ୍ରୀଦଳ ବେପାର ବଣିଜ କରିବାକୁ ଆସିଥିବା କଥା ମୁଁ ଜାଣେ । ସେମାନେ ବାଇଶି ଜଣ । ସେମାନଙ୍କ ମଧ୍ୟରୁ ଏଗାର ଜଣ ଲୁଗା ବେପାରୀ, ସାତଜଣ ଶସ୍ୟ ବେପାରୀ, ତିନିଜଣ ତେଲ ବିକ୍ରୀ କରିବେ ଏବଂ ଜଣେ ପଶୁପକ୍ଷୀମାନଙ୍କର ଚମଡା ନେଇ ଆସିଛନ୍ତି । ସେମାନଙ୍କ ପାଖରେ ପାଂଚଟି ଓଟ ଅଛି । ସେଥିମଧ୍ୟରୁ ଗୋଟିଏ ଓଟର ଗୋଡ ଭାଙ୍ଗିଯାଇଛି । ଏହା ବ୍ୟତୀତ ସେମାନଙ୍କ ପାଖରେ ପଚିଶଟି ଘୋଡା ଅଛି । ପଚିଶଟି ଘୋଡା ମଧ୍ୟରୁ ଚାରୋଟି କଳାଧଳା, ଦଶଟି କଳା ଘୋଡା, ତିନୋଟି ଧଳା ଘୋଡା ଏବଂ ବାକି ଆଠଟି ଧଳା ଏବଂ ବାଦାମୀ ରଂଗର ।” ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ବିରବଲ ନୀରବ ରହିଲେ । ଆକବର ସଂଗେ ସଂଗେ ଜଣେ କର୍ମଚାରୀଙ୍କୁ ପଠାଇ ସତ୍ୟାସତ୍ୟ ଅନୁସନ୍ଧାନ କଲେ । ଦେଖିଲା ବେଳକୁ ବିରବଲଙ୍କ ତଥ୍ୟ ସଂପୂର୍ଣ୍ଣ ଠିକ୍ ।
ଆକବର ବିରବଲଙ୍କ ଚତୁରତାର ଭୁରି ଭୁରି ପ୍ରଶଂସା କଲେ । ପ୍ରକୃତରେ ବିରବଲ ସମସ୍ତଙ୍କଠାରୁ ଯେ ଅନନ୍ୟ ତାହା ସେ ପ୍ରମାଣ କରି ଦେଖେଇ ଦେଲେ । ସବୁ ମନ୍ତ୍ରୀମାନେ ମଧ୍ୟ ନିଜର ଭୁଲ୍ ବୁଝିପାରିଲେ ।
ଆକବର ବିରବଲ
ଆକବର ଯେତେବେଳେ ଯୁବକ ଥିଲେ, ସେ ଥରେ ତାଙ୍କର ବଂଧୁମାନଙ୍କ ସହିତ ଜଂଗଲକୁ ଶିକାର କରିବାକୁ ବାହାରିଲେ । ସେହି ସମୟଟି ଗ୍ରୀଷ୍ମ ସମୟ ଥିଲା । କିନ୍ତୁ ସେମାନେ ଶିକାର ସଂଧାନରେ ଏତେ ମଜ୍ଜିଯାଇଥିଲେ ଯେ, ସେମାନଙ୍କୁ ଖରା କାଟୁ ନଥାଏ । କିଛି ସମୟ ଜଂଗଲରେ ବୁଲିଲେ । ହେଲେ କେଉଁଠାରୁ କିଛି ଶିକାର ମିଳିଲା ନାହିଁ ।
ସେତେବେଳକୁ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି । ଖରାତାତି ମଧ୍ୟ ସହି ହେଉନଥାଏ । ଦିନ ସାରା ବୁଲାବୁଲି କରିଥିବାରୁ ସେମାନଙ୍କର ତଂଟି ଶୁଖି ଅଠା ହୋଇଯାଉଥାଏ । ପାଣି ମୁନ୍ଦିଏ ମଧ୍ୟ ଖୋଜି ଖୋଜି କେଉଁଠାରେ ପାଇଲେ ନାହିଁ । ଏହି ସମୟରେ ବଂଧୁମାନଙ୍କ ମଧ୍ୟରୁ ଜଣେ କହିଲା, “ଭାଇମାନେ! ଦୂରରେ ବୋଧହୁଏ ଏକ ଜନ ବସତି ଅଛି । ଚାଲ ଆମେ ସମସ୍ତେ ସେଠାକୁ ଯିବା ।” କିଛିବାଟ ଚାଲି ଚାଲି ଯିବା ପରେ ସେମାନେ ବାଟରେ ଏକ ବାଳକକୁ କାଠ ମୁଣ୍ଡାଇ ଯାଉଥିବାର ଦେଖିଲେ । ଆକବର ପିଲାଟିକୁ ପାଖକୁ ଡାକି କହିଲେ, “ବାଳକ! ଏଠାରୁ ଗାଁ କେତେ ଦୂର? ଆମେ ସମସ୍ତେ ଶିକାର ଉଦ୍ଧେଶ୍ୟରେ ଏଠାକୁ ଆସିଥିଲୁ । ଶୋଷରେ ଆମର ପାଟି ଅଠା ହୋଇଗଲାଣି ।”
ଆକବରଙ୍କର କଥା ଶୁଣି ପିଲାଟି କହିଲା,- “ମହାଶୟ! ଆଉ କିଛି ବାଟ ଗଲେ ମୋ ଗାଁ ପଡିବ । ସେଠାରେ ଆପଣ ପିଇବା ପାଇଁ ପାଣି ପାଇବେ ।” ଏହାକହି ବାଳକଟି ବଂଧୁମାନଙ୍କ ମଧ୍ୟରୁ ଜଣକର ଘୋଡା ଉପରେ ବସିପଡିଲା । କିଛି ବାଟ ଯିବା ପରେ ଗାଁ ପଡିଲା । ପିଲାଟି ତା’ର ଘର ପାଖରେ ଓହ୍ଲାଇ ପଡି ଆକବର ଓ ତାଙ୍କର ବଂଧୁମାନଙ୍କୁ ପିଇବା ପାଇଁ ପାଣି ଆଣିଦେଲା ।
ଆକବରଙ୍କୁ ପାଣିଦେବା ସମୟରେ ଆକବର ପିଲାଟିକୁ ତା’ର ନାମ ପଚାରିଲେ? ପିଲାଟି ସଂଗେ ସଂଗେ ଆକବରଙ୍କୁ କହିଲା, “ଆପଣ ପ୍ରଥମେ ଆପଣଙ୍କର ନାମ କୁହନ୍ତୁ । ତା’ପରେ ମୁଁ ମୋର ନାମ କହିବି ।” ପିଲାଟିର ଏପରି କଥା ଶୁଣି ଆକବର ତାକୁ ତାଙ୍କର କି ପରିଚୟ ଦେବେ ଜାଣି ପାରିଲେ ନାହିଁ ।
କିଛି ସମୟ ନୀରବ ରହି ଆକବର କହିଲେ, “ତୁମେ ଜାଣିଛ ମୁଁ କିଏ?” ପିଲାଟି ମଧ୍ୟ ସଂଗେ ସଂଗେ ଆକବରଙ୍କୁ ସେହି କଥା କହିଲା । ପିଲାଟିର କଥାଶୁଣି ଆକବର ହସି ଉଠିଲେ । ନିଜ ହାତରୁ ତାଙ୍କର ମୁଦିଟି ବାହାର କରି ବାଳକ ହାତକୁ ବଢାଇଦେଲେ, ଏବଂ କହିଲେ, “ତୁମେ ଏହି ମୁଦିରୁ ହିଁ ମୋର ପରିଚୟ ଜାଣିପାରିବ ।
ବାଳକଟି ଯେତେବେଳେ ମୁଦିରେ ରାଜାଙ୍କର ପ୍ରତୀକ ଦେଖିଲା ଆକବରଙ୍କୁ କ’ଣ କହିବ ନ’କହିବ କିଛି ଠିକ୍ କରି ପାରିଲା ନାହିଁ । ଆକବର ସେହିସମୟରେ ପିଲାଟିର ମୁହଁର ପ୍ରତିକ୍ରିୟାକୁ ଲକ୍ଷ୍ୟ କରୁଥାଆନ୍ତି । ଏହାପରେ ଆକବର ପିଲାଟିର ପିଠି ଥାପୁଡାଇ କହିଲେ, “ତୁମେ ବଡ ହେଲେ ଆଗ୍ରା ଯାଇ ମୋତେ ଦେଖା କରିବ । ସାଂଗରେ ଏଇ ମୁଦିଟିକୁ ନେବାକୁ କେବେ ଭୁଲିବ ନାହିଁ । କାରଣ ମୁଁ ଏହି ମୁଦି ମାଧ୍ୟମରେ ହିଁ ତୁମକୁ ଚିହ୍ନିବି ।” ଏହା କହି ଆକବର ଓ ତାଙ୍କର ବଂଧୁଗଣ ସେଠାରେ ଚାଲିଆସିଲେ ।
ଏହାପରେ ବାଳକଟି ଘରକୁ ଆସି ତା’ର ମାଆଙ୍କୁ ଆକବର ଦେଇଥିବା ମୁଦିଟି ଦେଖାଇଲା ଓ ସମସ୍ତ କଥା ମାଆଙ୍କୁ କହିଲା । ମାଆ ତା’ର ମୁଦିଟି ଦେଖି ଖୁସି ହୋଇ ତାକୁ ଏକ ସୁରକ୍ଷିତ ସ୍ଥାନରେ ରଖିଲେ, ଏବଂ ପୁଅକୁ କହିଲେ, “ପୁଅରେ! ତୁ ମନଦେଇ ପାଠ ପଢ, କର୍ମରେ କେବେ ଅବହେଳା କରନାହିଁ । ତୁ ବିଦ୍ୟା ବୁଦ୍ଧିରେ ପ୍ରବୀଣ ହେଲେ ରାଜା ଦିନେ ନା ଦିନେ ତୋତେ ଏକ ବିଶିଷ୍ଟ ଆସନରେ ଆସୀନ କରାଇବେ ।